ଉଚ୍ଚାରଣରେ ନୁହେଁ, ଆଚରଣରେ ଆମକୁ ସତ୍ସଙ୍ଗୀ ହେବାକୁ ପଡ଼ିବ

ନିରାକାରପୁର: ଉଚ୍ଚାରଣରେ ନୁହେଁ, ଆମକୁ ଆଚରଣରେ ସତ୍ସଙ୍ଗୀ ହେବାକୁ ପଡ଼ିବ। ଆମର ଆଚରଣ ଓ ଜୀବନଧାରା ଏଭଳି ହେବ, ଯେପରି ଆମକୁ ଦେଖି ଜଣେ ଅନୁଭବ କରିପାରିବ କି ଆମେ ଶ୍ରୀଶ୍ରୀଠାକୁରଙ୍କ ଲୋକ। କାରଣ ଆମ ଭିତରେ ଠାକୁର ଅଛନ୍ତି। ରବିବାର ନିରାକାରପୁରରୁ ଓଡ଼ିଶା ପରିକ୍ରମାର ଶୁଭାରମ୍ଭ କରି ଭକ୍ତ ଓ ଅନୁରାଗୀଙ୍କୁ ଏପରି ଆହ୍ବାନ କରିଛନ୍ତି ‘ସତ୍ସଙ୍ଗ’ର ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ।
ନିରାକାରପୁର ସତ୍ସଙ୍ଗ ଉପଯୋଜନା କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମେଶ୍ବର, ଟାଙ୍ଗି, ଚାନ୍ଦପୁର, ଲେଣ୍ଡୁ, ଆରେଡ଼ି, ବଡ଼ପୋଖରୀଆ, ବୋଡ଼ଙ୍ଗରା ପାଟଣା, ନୀଳଗିରି ପାଟଣା, କଣାସ, କାଳୁପଡ଼ା, ଭୁଷଣ୍ଡପୁର, ହରିପୁର, ଟାଙ୍କୋଳ, ଗୋଳବାଇ, ଜଙ୍କିଆ ଏବଂ ଖୋର୍ଦ୍ଧା ଓ ଭୁବନେଶ୍ବରର ବହୁ ଭକ୍ତ ଓ ଅନୁରାଗୀ ଯୋଗ ଦେଥିଲେ। ଆଚାର୍ଯ୍ୟଦେବଙ୍କ ଆଶୀର୍ବଚନ ପରେ ଭଜନ ଓ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ କେବି ଡିଏଭି କଲେଜ୍ ଖେଳପଡ଼ିଆରେ ଅନୁଷ୍ଠିତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ ସମ୍ମିଳନୀରେ ଆଶୀର୍ବଚନ ପ୍ରଦାନ କରି ଶ୍ରୀଶ୍ରୀଆଚାର୍ଯ୍ୟଦେବ କହିଥିଲେ ଯେ ଆମେ ସାଂସାରିକ କର୍ମରେ ଅଧିକାଂଶ ସମୟ ଅତିବାହିତ କରୁଛେ ଏବଂ ସେସବୁ କର୍ମର ଚିନ୍ତାରେ ଆମର ଦିନ କଟୁଛି। ସାଥୀରେ ଠାକୁରଙ୍କୁ ରଖିପାରୁନାହେଁ। କିନ୍ତୁ ଦୈନନ୍ଦିନ ଜୀବନର ପ୍ରତି କର୍ମରେ ଠାକୁରଙ୍କୁ ସାଥିରେ ରଖିବାକୁ ହେବ। କାରଣ ସେ ପାଖରେ ଥିଲେ ହିଁ ଜୀବନ ସହଜ, ସୁନ୍ଦର ଓ ସଫଳ ହୋଇଥାଏ। ଆମେ ଯଦି ଚାଲୁଚାଲୁ ଖାଲରେ ପଡ଼ିଯାଉ, ତେବେ କେହି ଜଣେ ହାତ ବଢ଼ାଇ ଦେଲେ ଉଠିଆସିପାରୁ। ଆଉ ସେଇ ହାତଟି ହେଉଛି ଠାକୁରଙ୍କ ହାତ, ତେଣୁ ତାଙ୍କୁ ସାଥିରେ ରଖିଥିଲେ ଜୀବନରେ ଯଦି କୌଣସି ଅସୁବିଧା ହୁଏ, ତେବେ ସେ ସୁବିଧା କରିଦିଅନ୍ତି। ଏଥିସହ ଶ୍ରୀଶ୍ରୀଆଚାର୍ଯ୍ୟଦେବ ଉପସ୍ଥିତ ସହସ୍ରାଧିକ ଭକ୍ତ ଓ ଅନୁରାଗୀଙ୍କୁ ସୁଖ-ଶାନ୍ତି ଆନନ୍ଦରେ ରହିବା ଲାଗି ଆଶୀର୍ବାଦ ପ୍ରଦାନ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଆଧ୍ୟାତ୍ମିକ ପରିକ୍ରମାରେ ଶ୍ରୀଶ୍ରୀଆଚାର୍ଯ୍ୟଦେବ ରାଜ୍ୟର ସମସ୍ତ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ବ ସ୍ଥାନ ଗସ୍ତ କରିବା ସହ ସ୍ଥାନୀୟ ଅଧିବାସୀ ଓ ସତ୍ସଙ୍ଗୀଙ୍କୁ ଆଶୀର୍ବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୩ ତାରିଖରେ ଏହି କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ବରରେ ପରିସମାପ୍ତି ହେବ।
ନିରାକାରପୁର ସତ୍ସଙ୍ଗ ଉପଯୋଜନା କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମେଶ୍ବର, ଟାଙ୍ଗି, ଚାନ୍ଦପୁର, ଲେଣ୍ଡୁ, ଆରେଡ଼ି, ବଡ଼ପୋଖରୀଆ, ବୋଡ଼ଙ୍ଗରା ପାଟଣା, ନୀଳଗିରି ପାଟଣା, କଣାସ, କାଳୁପଡ଼ା, ଭୁଷଣ୍ଡପୁର, ହରିପୁର, ଟାଙ୍କୋଳ, ଗୋଳବାଇ, ଜଙ୍କିଆ ଏବଂ ଖୋର୍ଦ୍ଧା ଓ ଭୁବନେଶ୍ବରର ବହୁ ଭକ୍ତ ଓ ଅନୁରାଗୀ ଯୋଗ ଦେଥିଲେ। ଆଚାର୍ଯ୍ୟଦେବଙ୍କ ଆଶୀର୍ବଚନ ପରେ ଭଜନ ଓ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହାପରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟପରିଚାଳକ ତଥା ସତ୍ସଙ୍ଗର ସହ-ପ୍ରତି-ଋତ୍ବିକ ଧନେଶ୍ବର ମହାରଣା ଏହି ସମ୍ମିଳନୀରେ ସହଯୋଗ କରିଥିବା ନିରାକାରପୁର ବାସିନ୍ଦା, କଲେଜ୍ କର୍ତ୍ତୃପକ୍ଷ, ସ୍ଥାନୀୟ ପୁଲିସ୍, ଅଗ୍ନିଶମ ବାହିନୀ, ଗଣମାଧ୍ୟମ ଓ ବିଭିନ୍ନ ସଂଗଠନ ଏବଂ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।