ସ୍ବାଧୀନତା ଦିବସରେ ପନ୍ତ ଜୀବନକୁ ନେଇ ଦେଇଥିବା ଭାଷଣ ହେଲା ଭାଇରାଲ – Utkal Mail
ନୂଆଦିଲ୍ଲୀ: ଗତକାଲି ଦେଶରେ ବିଭିନ୍ନ ସ୍ଥାନରେ ୭୭ତମ ସ୍ବାଧୀନତା ଦିବସକୁ ଧୁମଧାମରେ ପାଳନ କରାଯାଇଥିଲା। ସ୍ବାଧୀନତା ଦିବସ ଅବସରରେ ଅନେକ ମୁଖ୍ୟ ଅତିଥି ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଜୀବନରେ କେମିତି ଆଗକୁ ବଢ଼ିବାକୁ ହେବ ସେ ବିଷୟରେ ନିଜର ଅଭିଭାଷଣ ରଖିଥିଲେ।
ଏହି କ୍ରମରେ ସ୍ବାଧୀନତା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚର୍ଚ୍ଚିତ କ୍ରିକେଟ ଖେଳାଳି ଋଷଭ ପନ୍ତ ବି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ କରିବା ପରେ ପନ୍ତ କହିଥିଲେ, ‘ଆପଣ ବଡ଼ ହୋଇଗଲେ, ଖେଳକୁ ଭଲ ପାଇବା କମ କରି ଦେଇଥାଆନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଅଧିକ ଚାପ ପଡ଼ିବା। ମୋ ମତରେ ବନ୍ଧୁ ଜୀବନରେ ଉପଭୋଗକୁ କେବେ ହାତଛଡ଼ା କରନ୍ତୁ ନାହିଁ। ଏହାର ଭରପୂର ଆନନ୍ଦ ନିଅନ୍ତୁ।’
ପନ୍ତ ସ୍ବାଧୀନତା ଦିବସରେ ଦେଇଥିବା ଏହି ଭାଷଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଗତବର୍ଷ ଡିସେମ୍ବର ମାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ପନ୍ତଙ୍କ କ୍ରିକେଟ୍ ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏପରିକି ଗୁରୁତର ଆହତ ହେବା ପରେ ପନ୍ତ ଆଉ ଭାରତୀୟ କ୍ରିକେଟ୍ ଦଳକୁ ଫେରିବେ କି ନାହିଁ, ସେ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଥିଲା। ପନ୍ତ କିନ୍ତୁ ଏସବୁ ଆକଳନ ଓ ଅଙ୍କକଷାକୁ ଭୁଲ୍ ପ୍ରମାଣିତ କରିଥିଲେ।
ଦୃଢ଼ ଇଚ୍ଛାଶକ୍ତି, ଗଭୀର ଆତ୍ମବିଶ୍ବାସ ଓ କ୍ରିକେଟ୍ ପଡ଼ିଆକୁ ଯଥାଶୀଘ୍ର ଫେରିବାର ଆଗ୍ରହ ପାଇଁ ରେକର୍ଡ ସମୟ ଭିତରେ ପନ୍ତ ସୁସ୍ଥ ହୋଇଥିଲେ। କେବଳ ସେ ସୁସ୍ଥ ହୋଇନାହାନ୍ତି, ଶତପ୍ରତିଶତ ଫିଟ୍ନେସ୍ ପାଇବାକୁ କଠିନ ପରିଶ୍ରମ ବି କରିଥିଲେ।