ରାଜନୀତି

କଂଗ୍ରେସର ୪-ଡି ଜବାବ

ନୂଆଦିଲ୍ଲୀ: ଲୋକସଭାରେ ଆଜି ୱକଫ୍ ସଂଶୋଧନ ବିଲ୍ ଉପସ୍ଥାପନ କରିବା ପରେ କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିଛି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ  ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ୱକଫ୍ ସଂଶୋଧନ ବିଲ୍ ଜରିଆରେ ସରକାର ସମ୍ବିଧାନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।  ଗୋଗୋଇ କହିଲେ ଯେ, ଏହି ବିଲ୍‌ର ଉଦ୍ଦେଶ୍ୟ ୪ଟି ଡି- ସମ୍ବିଧାନକୁ ଦୁର୍ବଳ କରିବା (ଡାଇଲୁଟ୍ ଦ କନଷ୍ଟିଚ୍ୟୁସନ), ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଦନାମ କରିବା (ଡିଫେମ୍ ମାଇନରିଟି କମ୍ୟୁନିଟି), ଭାରତୀୟ ସମାଜକୁ ବିଭାଜନ କରିବା (ଡିଭାଇଡ୍ ଇଣ୍ଡିଆନ ସୋସାଇଟି) ଓ ସଂଖ୍ୟାଲଘୁମାନଙ୍କୁ ଅଧିକାରରୁ ବଞ୍ଚିତ କରିବା (ଡିସ୍‌ଏନ୍‌ଫ୍ରାଞ୍ଚାଇଜ୍ ମାଇନରିଟିଜ୍)।

ସମସ୍ତ ଦଳର ମତାମତକୁ ଦୃଷ୍ଟିରେ ରଖି ଯୁଗ୍ମ ସଂସଦୀୟ କମିଟି (ଜେପିସି) ଆଲୋଚନା ହୋଇଛି ବୋଲି ଉଭୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ରିଜିଜୁ କରିଥିବା ଦାବିକୁ ଖଣ୍ଡନ କରି କଂଗ୍ରେସ ନେତା କହିଛନ୍ତି ଯେ କୌଣସି କ୍ଲଜ୍-ବାଇ-କ୍ଲଜ୍ ଆଲୋଚନା ହୋଇ ନ ଥିଲା। ବିରୋଧୀଙ୍କ ଦ୍ୱାରା ପ୍ରସ୍ତାବିତ ଗୋଟିଏ ବି ସଂଶୋଧନ ଗୃହୀତ ହୋଇନାହିଁ। ଯେଉଁମାନେ ୱକଫ୍ ବିଷୟରେ ଜାଣିନଥିଲେ ସେମାନଙ୍କୁ ଜେପିସିକୁ ନିମନ୍ତ୍ରଣ କରାଯାଇଥିଲା। ଵକଫ୍ ସଂଶୋଧନ ବିଲ୍ ବିରୋଧରେ ବିତର୍କ କରି ଗୋଗୋଇ ଚେତାବନୀ ଦେଇଛନ୍ତି ଯେ ଆଜି ସେମାନେ ଗୋଟିଏ ସମ୍ପ୍ରଦାୟର ଜମିକୁ ଟାର୍ଗେଟ କରୁଛନ୍ତି। ଭବିଷ୍ୟତରେ ଅନ୍ୟ ସଂଖ୍ୟାଲଘୁଙ୍କର ଅନ୍ୟ କିଛିକୁ ଟାର୍ଗେଟ କରିବେ। ଗୋଗୋଇ ଏକ ସଂଶୋଧନକୁ ଦର୍ଶାଇ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଅତି କମ୍‌ରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଇସଲାମ ଧର୍ମ ପାଳନ କରନ୍ତି ତେବେ ହିଁ ସେ ସମ୍ପତ୍ତିକୁ ୱକଫ୍ ଘୋଷଣା କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button