ଓଡିଶା

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅନାଥ ହେଲା ୧୧ ବର୍ଷର ପୁଅ

ଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ରଗଡ଼ାସାହିର ଦୁର୍ଯ୍ୟୋଧନ ମହାନ୍ତ (୪୦) ଓ ତାଙ୍କ ପତ୍ନୀ ଭାରତୀ ମହାନ୍ତ(୨୮)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଦୁର୍ଯ୍ୟୋଧନ ସ୍ତ୍ରୀ ଓ ଏଗାର ବର୍ଷର ପୁଅ ସହ ଛତିଶଗଡ଼ର କୋରବା ଜିଲ୍ଲା ଅନ୍ତର୍ଗତ କୁସମୁଣ୍ଡାଠାରେ ରହୁଥିଲେ। ଦୁର୍ଯ୍ୟୋଧନ ବହୁବର୍ଷ ହେଲା କୁସମୁଣ୍ଡା କୋଇଲା ଖଣିରେ ହାଇୱା ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିଲେ।

ଗତକାଲି ସକାଳୁ ପୁଅ ବୁବୁନ ସ୍କୁଲ୍ ଯିବା ପରେ ଭାରତୀ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ଉଭୟଙ୍କ ମୃତଦେହକୁ ନିଜ ଗାଁ ରଗଡ଼ାସାହିକୁ ଆଣିଥିଲେ। ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବାପା, ମାଙ୍କ ମୃତ୍ୟୁ ପରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏକମାତ୍ର ପୁଅ ବୁବୁନ ଅନାଥ ହୋଇଯାଇଛି।

କଙ୍କଡ଼ାହାଡ଼ ବ୍ଲକ୍ ଡ୍ରାଇଭର୍ ସଂଘର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଘରଠାରୁ ଶ୍ମଶାନ ପର୍ଯ୍ୟନ୍ତ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ବାମ ସରପଞ୍ଚ ଫକୀର ଚରଣ ମହାନ୍ତ, ସମିତି ସଭ୍ୟା ଲକ୍ଷ୍ମୀ ହେସା, କଙ୍କଡ଼ାହାଡ଼ ବ୍ଲକ୍ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ, ଡ୍ରାଇଭର୍ ସଂଘର ବ୍ଲକ ସମ୍ପାଦକ ସୁଧାକର ସାହୁ, ଉପସଭାପତି ସ୍ବାଧୀନ ମହାନ୍ତ, ଡ୍ରାଇଭର୍ ସଂଘ ଜିଲ୍ଲା ସମ୍ପାଦକ ଗଙ୍ଗାଧର ରାଉତ, ସହ ସମ୍ପାଦକ ସୁବ୍ରତ ମିଶ୍ର ଶ୍ମଶାନରେ ପହଞ୍ଚି ଶୋକବ୍ୟକ୍ତ କରିଥିଲେ। ଖବର ପାଇ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। ଅନାଥ ପୁଅକୁ ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button