ସପ୍ତଗିରିଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ: ଝୋଡ଼ିଆଙ୍କୁ ଏସ୍ଟି ଓ ସୌରା ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

ନୂଆଦିଲ୍ଲୀ/ରାୟଗଡ଼ା: ଝୋଡ଼ିଆ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ଅନ୍ତର୍ଭୁକ୍ତ ଓ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସୌରା ଭାଷାକୁ ସାମିଲ କରିବା ଦାବି ନେଇ ଆଜି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଦୁଇଟି ଦାବି ସମ୍ବଳିତ ସ୍ମାରକପତ୍ର ପତ୍ର ପ୍ରଦାନ କରିଛନ୍ତି। ଏଥି ସହିତ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଉପରୋକ୍ତ ଦୁଇ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଝୋଡ଼ିଆ ସଂପ୍ରଦାୟ ପୂର୍ବରୁ ପରଜା ଜନଜାତିର ସମକକ୍ଷ ଭାବରେ ମାନ୍ୟତା ପାଇଥିଲେ ତଥା ୧୯୯୭ ପର୍ଯ୍ୟନ୍ତ ଏସ୍ଟି ବର୍ଗରେ ଅର୍ନ୍ତଭୁକ୍ତ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଏସ୍ଟି ତାଲିକାରୁ ବାଦ ଦିଆଯାଇଥିଲା ବୋଲି ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯେଉଁଥି ପାଇଁ ସେମାନେ ବର୍ତ୍ତମାନ ଗଭୀର ସାମାଜିକ ଓ ଅର୍ଥନୈତିକ ସଙ୍କଟରେ ପଡ଼ିଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅନୁରୋଧ ସତ୍ତ୍ବେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କୁ ସୂଚିତ କରିଥିଲେ। ଝୋଡ଼ିଆ ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ପୁନଃ ସାମିଲ କରିବା ତଥା ସେମାନଙ୍କର ଶିକ୍ଷା, ରୋଜଗାର ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ପ୍ରତିନିଧିମଣ୍ଡଳ ଦ୍ବାରା ଅନୁରୋଧ କରାଯାଇଥିଲା। ଏଥି ସହିତ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯିବା ପାଇଁ ମଧ୍ୟ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ପ୍ରତିନିଧିମଣ୍ଡଳ ଦ୍ବାରା କୁହାଯାଇଥିଲା ଯେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ସୌରା ଭାଷାର ପ୍ରଚଳନ ରହିଛି। ୫ ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀଙ୍କ ସୌରା ଭାଷାର ଏକ ସମୃଦ୍ଧ ଐତିହ୍ୟ ଓ ଅନନ୍ୟ ଲିପି ମଧ୍ୟ ରହିଛି। ଏହି ଭାଷାକୁ ସରକାରୀ ସ୍ବୀକୃତି ମିଳିନାହିଁ ଏବଂ ଏହା ଉପେକ୍ଷିତ ରହିଥିବା ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲା। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସୌରା ଭାଷାକୁ ସାମିଲ କରାଗଲେ ସରକାରୀ ପ୍ରକାଶନ, ଶିକ୍ଷାଗତ ପଦକ୍ଷେପ ଓ ସାଂସ୍କୃତିକ ସଂରକ୍ଷଣ ଏକ ଜନଜାତୀୟ ଭାଷାର ହୋଇପାରିବ ବୋଲି ରାଷ୍ଟ୍ରପତିଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଆଲୋଚନାବେଳେ ଦୁଇଟି ଦାବି ସଂପର୍କରେ ସଂପ୍ରଦାୟର ଦସ୍ତଖତ ଅଭିଯାନ ସଂପର୍କରେ ରାଷ୍ଟ୍ରପତିଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଝୋଡ଼ିଆଙ୍କୁ ଏସ୍ଟି ମାନ୍ୟତା ପାଇଁ ଅଭିଯାନ ମାଧ୍ୟମରେ ୧୦ହଜାରୁ ଊର୍ଦ୍ଧ୍ବ ଦସ୍ତଖତ ସଂଗ୍ରହ ଓ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସଂଗ୍ରହ କରାଯାଇଥିବା ୧୫ ହଜାରରୁ ଅଧିକ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯାଇଥିଲା। ପ୍ରତିନିଧିମଣ୍ଡଳରେ କୋରାପୁଟ ସାଂସଦ ଶ୍ରୀ ଉଲାକା ଓ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ସମେତ ରାମପ୍ରସାଦ ଗମାଙ୍ଗ, କେତନ ଶବର, ଦିନମସି ଗମାଙ୍ଗ, ଓଇରୁମ୍ପି ଶବର, ନୀଳକଣ୍ଟ ଝୋଡ଼ିଆ, ସନ୍ଦୁ ଚରଣ ମାଝି, ଦୁଧେଶ୍ବର ଝୋଡ଼ିଆ ଓ ଅନିରୁଦ୍ଧ ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।