ବିକାଶରୁ କୋଶେ ଦୂରରେ ପାଦେରିମାହା ଗାଁ: ଆଜି ବି କାଠପୋଲ ଭରସା

ଘୁ.ଉଦୟଗିରି: ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଗମ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପକ୍କାରାସ୍ତା ନିର୍ମାଣ ହେଉଛି। ହେଲେ ଆଜି ବି ଏଭଳି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ପକ୍କାରାସ୍ତା ଲୋକଙ୍କ ପାଇଁ ସାତସପନ ପାଲଟିଛି। ରାସ୍ତା ନଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ୍ଠୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହୋଇ ରହୁଛନ୍ତି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଚାଞ୍ଚେଡ଼ି ଗ୍ରାମପଞ୍ଚାୟତର ପାଦେରିମାହା ଗ୍ରାମ ଏହାର ଜ୍ବଳନ୍ତ ଉଦାହରଣ। ଆଜି ବି ଏହି ଗ୍ରାମର ଲୋକଙ୍କ ଗମନାଗମନ ପାଇଁ କାଠପୋଲ ଏକମାତ୍ର ଭରସା ପାଲଟିଛି। ନିଜେ ଏହି ପୋଲକୁ ସେମାନେ ତିଆରି କରି ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ବାରମ୍ବାର ଗୁହାରି କରିବା ସତ୍ତ୍ବେ ପକ୍କାରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରଶାସନ ତତ୍ପରତା ଦେଖାଉ ନଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ଏହି ଗାଁରେ ୧୮ପରିବାରରେ ୭୫ ଜଣ ସଦସ୍ୟ ବସବାସ କରୁଛନ୍ତି। ସମସ୍ତଙ୍କର ଜୀବିକା ହେଉଛି ଚାଷ। କିନ୍ତୁ ରାସ୍ତା ନଥିବାରୁ ଲୋକେ ବର୍ଷସାରା ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁ ଦେଇ ଏକ ବିରାଟ ନାଳ ଯାଇଥିବା ବେଳେ ଏହା ଉପରେ ଆଜିଯାଏଁ ପୋଲ ନିର୍ମାଣ ହୋଇପାରିନି। ଫଳରେ ନିଜେ ଚାନ୍ଦା ଆଦାୟ କରି ନାଳ ଉପରେ ଗ୍ରାମବାସୀ କାଠପୋଲ ନିର୍ମାଣ କରିଛନ୍ତି। ଦୈନନ୍ଦିନ ଜୀବନଜୀବିକା, ପିଡିଏସ୍ ସାମଗ୍ରୀ, ଭତ୍ତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତା ମେଣ୍ଟାଇବାକୁ ପ୍ରତିଦିନ ସେମାନେ ଏହି କାଠପୋଲ ଉପରେ ଯାତାୟାତ କରିଥା’ନ୍ତି। ସେହିପରି ପିଲାମାନେ ମଧ୍ୟ ଏହି ବିପଜ୍ଜନକ ପୋଲ ଦେଇ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥା’ନ୍ତି। ଆମ୍ବୁଲାନ୍ସ ଆସି ପାରୁ ନଥିବାରୁ ଗର୍ଭବତୀ ଓ ଅସୁସ୍ଥଙ୍କୁ ଦୋଳା କରି ଆଣିବାକୁ ପଡ଼ିଥାଏ। ଖରା ଓ ଶୀତଦିନରେ କଷ୍ଟେମଷ୍ଟେ ଯାତାୟାତ ସମ୍ଭବପର ହୋଇପାରୁଥିବା ବେଳେ ବର୍ଷାଦିନେ ନାଳରେ ପାଣି ଆସିଲେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥାଏ। ଏହାମଧ୍ୟରେ ପୋଲ ଓ ରାସ୍ତା ନିର୍ମାଣ ପାଇଁ ବହୁବାର ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି। କିଛି ଅଘଟଣ ଘଟିଲେ, ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତି କମ୍ରେ ନୂଆ ସରକାର ଆମ ଗୁହାରି ଶୁଣନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି।