ଓଡିଶା

ଭୁବନେଶ୍ବର ୪ ଘଣ୍ଟା ଠପ୍‌: ଫସିଲା ଆମ୍ବୁଲାନ୍ସ, ଅଣନିଶ୍ବାସୀ ବରିଷ୍ଠ ନାଗରିକ

ଭୁବନେଶ୍ବର: ରାଜଧାନୀରେ ଘରୁ ବାହାରିଲେ କେତେବେ‌ଳେ କେଉଁଠି ପହଞ୍ଚିବେ ତାହାର ଠିକଣା ନାହିଁ। ନା ଦୁର୍ଘଟଣା ନା ପର୍ବପର୍ବାଣୀ, ଅକାରଣରେ ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। ତେବେ ଆଜି କଟକ-ଭୁବନେଶ୍ବର ରାସ୍ତା ବାଲିକୁଦା ଛକରେ ହୋଇଥିବା ଦୁର୍ଘଟଣା ଯୋଗୁ ସାରା ରାଜପଥ ସମେତ ସାରା ସହରର ଟ୍ରାଫିକ୍‌ ଠପ୍‌ ହୋଇଯାଇଥିଲା।

ସନ୍ଧ୍ୟା ୬ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାତ୍ରପଡ଼ାରୁ ବାଲିକୁଦା, ସାମନ୍ତରାପୁରରୁ ରସୁଲଗଡ଼ ଜାମ୍‌ ହୋଇ ଯାଇଥିଲା। ଫ୍ଲାଏ ଓଭର ଉପରେ ଯେମିତି, ସର୍ଭିସ୍‌ ରୋଡ୍‌ରେ ବି ସ୍ଥିତି ସେମିତି। ଆମ୍ବୁଲାନ୍ସ ଭିତରେ ରୋଗୀ, କାର୍‌ ଭିତରେ ବରିଷ୍ଠ ନାଗରିକ, ଅଣନିଶ୍ବାସୀ ହୋଇ ପଡ଼ୁଥିଲେ ଯେମିତି। ନା ଆଗକୁ ବଢ଼ିପାରୁଥିଲେ, ନା ପଛକୁ ଫେରିବାର ସୁଯୋଗ ଥିଲା। କେତେକ ରଙ୍ଗ୍‌ରୁଟ୍‌ରେ ଯିବାକୁ ବସିଥିବା ବେଳେ ଫସିଯିବାରୁ ଫାଙ୍କା ଥିବା ଜାଗା ମଧ୍ୟ ସେମାନଙ୍କ ପାଇଁ ସିଲ୍‌ ହୋଇ ଯାଇଥିଲା।

ଆଜି ସନ୍ଧ୍ୟାରେ ଘଟିଥିବା ଅଭାବନୀୟ ସ୍ଥିତି ରାଜଧାନୀରେ ନୂଆ କଥା ନୁହେଁ। ୬ରୁ ପ୍ରାୟ ୮ଟା ଯାଏ ଜାମ୍‌ ହେବାପରେ ହୁଗୁଳିବାକୁ ଆରମ୍ଭ କରୁଥିବାବେଳେ ବାଲିକୁଦାରେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ତାହା ଆହୁରି ୨ ଘଣ୍ଟା ବଢ଼ି ଯାଇଥିଲା। ତା’ର ପ୍ରଭାବ ସାରା ସହର ଉପରେ ପଡ଼ିଥିଲା। ଜାମ୍‌ରେ ଗାଡ଼ିସବୁ ଘଣ୍ଟା ଘଣ୍ଟା ଛିଡ଼ାହୋଇ ରହିଥିଲା। ଏହି ଧାଡ଼ି କ୍ରମଶଃ ପାତ୍ରପଡ଼ା ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ବରମୁଣ୍ଡା ସର୍ଭିସ୍‌ ରୋଡ୍‌ରୁ ଏନ୍‌ଏଚ୍‌କୁ ଗାଡ଼ି ଉଠି ପାରୁନଥିବାରୁ ସର୍ଭିସ୍‌ରୋଡ୍‌ରେ ମଧ୍ୟ ଗାଡ଼ି ବରମୁଣ୍ଡା ଫ୍ଲାଏଓଭର ତଳ ପର୍ଯ୍ୟନ୍ତ ଗାଡ଼ି ଛିଡ଼ା ହୋଇ ରହିଥିଲା। ଏଭଳି ସମାନ ଅବସ୍ଥା କ୍ରାଉନ୍‌ ହୋଟେଲ ସାମ୍ନାରେ ହୋଇଥିଲା। ସିଆରପି ସର୍ଭିସ୍‌ ରୋଡ୍‌ରୁ ଶହଶହ ଗାଡ଼ି ଏହି ଜାଗାରେ ଏନ୍‌ଏଚ୍‌କୁ ଉଠୁଥିବାରୁ ଜାମ୍‌ ହୋଇ ଯାଇଥିଲା। ଫଳରେ ସର୍ଭିସ୍‌ ରୋଡ୍‌ରେ ମଧ୍ୟ ପଛକୁ ପଛ ବରମୁଣ୍ଡା ପର୍ଯ୍ୟନ୍ତ ଗାଡ଼ି ଲମ୍ବି ଯାଇଥିଲା। ବାଣୀବିହାର ସତ୍‌ସଙ୍ଗବିହାର ସାମ୍ନାରେ ମଧ୍ୟ ସମାନ ସ୍ଥିତି ଥିଲା। ଏନ୍‌ଏଚ୍‌ରେ ଗାଡ଼ି ଛିଡ଼ା ହୋଇଥିବା ବେଳେ ବାଣୀବିହାର ସର୍ଭିସରୋଡ୍‌ରୁ ଏନ୍‌ଏଚ୍‌କୁ ଉଠିବାକୁ ଚାହୁଥିବା ଗାଡ଼ି ଛିଡ଼ା ହୋଇ ରହିଥିଲା। ଫଳରେ ସତ୍‌ସଙ୍ଗ ବିହାରରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଜାମ୍‌ ହୋଇ ଯାଇଥିଲା। ପଳାସୁଣିରେ ମଧ୍ୟ ସମାନ ସ୍ଥିତି ଥିଲା। ରସୁଲଗଡ଼ ସର୍ଭିସ୍‌ ରୋଡ୍‌ରୁ ଗାଡ଼ି ଉଠୁଥିବା ଏନ୍‌ଏଚ୍‌ ଜାମ୍‌ ଥିବାରୁ ଉପରକୁ ଉଠି ପାରିନଥିଲେ। ଫଳରେ ଫ୍ଲାଏ ଓଭର ସମେତ ସର୍ଭିସରୋଡ୍‌ ମଧ୍ୟ ଜାମ୍‌ ହୋଇଯାଇଥିଲା।

ରାସ୍ତାର ଅପରପାର୍ଶ୍ବ ମଧ୍ୟ ସ୍ଥିତି ସମାନ ଥିଲା। ଏନ୍‌ଏଚ୍‌ ଓ ସର୍ଭିସରୋଡ୍‌ର ଏଭଳି ସ୍ଥିତି ଭୁବନେଶ୍ବର ସହରକୁ ପ୍ରଭାବିତ କରିଥିଲା। ଏହା ଫଳରେ ସାମନ୍ତରାପୁରରୁ ରସୁଲଗଡ଼ ପର୍ଯ୍ୟନ୍ତ ଜାମ୍‌ ହୋଇ ଯାଇଥିଲା। ରସୁଲଗଡ଼ ଦେଇ ବାଣୀବିହାର ଓ କଟକ ଯିବାକୁ ଚାହୁଥିବା ଯାତ୍ରୀ ଫସି ଯାଇଥିଲେ। ରସୁଲଗଡ଼ ଛକରେ କିଛି ବାଇକ୍‌ ଚାଳକ ଜାମ୍‌ ଯୋଗୁ ଗାଡ଼ି ବୁଲାଇ ରଙ୍ଗ୍‌ରୁଟ୍‌ରେ ଯିବାକୁ ଚାହୁଥିବାରୁ ରାସ୍ତା ଜାମ୍‌ ହୋଇଥିଲା। ପୁଲିସ ମଧ୍ୟ ହାତ ଟେକି ଦେଇଥିଲା। ଫ୍ଲାଏ ଓଭର ଉପରେ ଆମ୍ବୁଲାନ୍ସ ଫସି ରହିଥିବା ବେଳେ କେତେକ ବରିଷ୍ଠ ନାଗରିକ ମଧ୍ୟ ଅଟକି ରହିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍‌ରୁ ନିଆଁ ଲିଭାଇବା ପରେ ଚଳାଚଳ ସ୍ବାଭାବିକ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button