ଦେଶ ବିଦେଶ

ହମାସର ‘ଫାଇନାନ୍‌ସର’ଙ୍କୁ ଟାର୍ଗେଟ କଲା ଆମେରିକା; ଗାଜା, କତାର, ତୁର୍କୀରେ କଟକଣା – Utkal Mail


ଓ୍ଵାସିଂଟନ୍‌: ହମାସକୁ ପାଣ୍ଠି ଯୋଗାଣରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଇଡେନ୍‌ ପ୍ରଶାସନ ବୁଧବାର କଟକଣା ଜାରି କରିଛି। ସକ୍ରିୟ ଥିବା ଏକ ଗୁପ୍ତ ହମାସ୍‌ ନିବେଶ ପୋର୍ଟଫୋଲିଓ ଏବଂ  ଇରାନ୍‌ ସହ ଜଡ଼ିତ ଏକ ଆର୍ଥିକ ସହାୟକ ଗୋଷ୍ଠୀ, ଗାଜାସ୍ଥିତ ଭର୍ଚୁଆଲ୍‌ ମୁଦ୍ରା ବିନିମୟ ବ୍ୟବସ୍ଥା ଆଦିକୁ ଟାର୍ଗେଟ୍‌ କରିଛି ଆମେରିକା। ହମାସ୍‌କୁ ପାଣ୍ଠି ଯୋଗାଣ ବନ୍ଦ ଲାଗି ଆମେରିକା ପଦକ୍ଷେପ ନେବା ଆରମ୍ଭ କରିଛି।

ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟନିର୍ବାହୀ ଆଦେଶ ଅନୁଯାୟୀ ଗାଜା, ସୁଦାନ, ତୁର୍କୀ, ଆଲଜେରିଆ ଏବଂ କାତାର ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ୯ ଜଣ ବ୍ୟକ୍ତିବିଶେଷ ଏବଂ ଗୋଟିଏ ସଂସ୍ଥାକୁ ଟାର୍ଗେଟ କରି ଏହି ପ୍ରତିବନ୍ଧକ ଲଗାଯାଇଛି ବୋଲି ଆମେରିକାର ଟ୍ରେଜେରି ବିଭାଗ ଏକ ବିବୃତିରେ କହିଛି।

ଟ୍ରେଜେରି ସେକ୍ରେଟାରି ଜେନେଟ୍‌ ୟେଲେନ୍‌ କହିଛନ୍ତି, ‘ବହୁ ଶିଶୁଙ୍କ ସମେତ ଇସ୍ରାଏଲର ସାଧାରଣ ନାଗରିକଙ୍କ ନିର୍ମମ ଓ ନିରବଚ୍ଛିନ୍ନ ହତ୍ୟାକାଣ୍ଡ ପରେ ହମାସର ପାଣ୍ଠିଯୋଗାଣକାରୀ ଏବଂ ସହାୟକମାନଙ୍କୁ ଟାର୍ଗେଟ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ରୁତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଉଛି।’

‘ଇସ୍ରାଏଲର ଜନସାଧାରଣଙ୍କ ଉପରେ ଅତ୍ୟାଚାର କରିବା ଏବଂ ଆତଙ୍କିତ କରିବା ପାଇଁ ହମାସ ଆତଙ୍କବାଦୀମାନଙ୍କୁ ପାଣ୍ଠି ସଂଗ୍ରହ ଏବଂ ଏହାକୁ ବ୍ୟବହାର କରିବାର କ୍ଷମତାରୁ ବଞ୍ଚିତ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବା ଜାରି ରଖିବୁ’ ବୋଲି ଟ୍ରେଜେରି ସେକ୍ରେଟାରୀ ୟେଲେନ୍‌ କହିଛନ୍ତି।

ଅକ୍ଟୋବର ୭ରେ ହମାସର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିବା ପରେ ଏହି ପଦକ୍ଷେପ ନିଆଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button