ଓଡିଶା

ଅନୁଗୁଳରେ ଜମି ‌ବେପାର ପଛ‌ରେ ବଡ଼ ଷଡ଼୍‌ଯନ୍ତ୍ର! ସହର ଉପକଣ୍ଠ ଜମି ଉପରେ ନଜର

ବର୍ଷକୁ କୋଟି କୋଟିର କାରବାର। ଏକର ଏକର ଜମି କିଣାବିକା ହେଉଛି। କିନ୍ତୁ ସରକାର ଯେତିକି ପାଉଛନ୍ତି, ତାହାର ୧୦ଗୁଣା ଅଧିକ ବେପାର ଚାଲିଛି। ବିଲ୍‌ଡର୍‌ମାନେ ଅନ୍ୟ ନାଁରେ ଜମି କିଣି ବିକୁଥିଲା ବେଳେ କୋମାରେ ପଡ଼ିଛି ରେରା ଆଇନ୍‌। ପ୍ଲଟିଂ ବେପାର କରୁଥିବା ଲୋକେ ନିଜ ନାଁରେ ଜମି କିଣି ବିକୁ ନଥିବାରୁ ରେରା ଆଇନ କାର୍ଯ୍ୟକାରୀ ହେଉନି। ଅନୁଗୁଳ ଜିଲ୍ଲାରେ ଏମିତି ଚାଲିଛି ଜମି କିଣାବିକା। ତେବେ ସହର ଉପକଣ୍ଠ ଜମି ଉପରେ ସମସ୍ତଙ୍କ ନଜର ପଡ଼ିଥିଲାବେଳେ ଜିଲ୍ଲା ବାହାର ଲୋକେ ଅନୁଗୁଳରେ ଜମି କିଣିବାକୁ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ଜିଲ୍ଲାର ମାଟି ତ‌ଳେ ରହିଛି ମୂଲ୍ୟବାନ ଖଣିଜ ସଂପଦ। ଗୋଟିଏ ପରେ ଗୋଟିଏ କୋଇଲା ଖଣି ଖୋଲୁଛି। ଅନ୍ୟ କଳକାରଖାନା ବି ଖୋଲା ଚାଲିଛି। କର୍ମଚାରୀ ଓ ଶ୍ରମିକ ନିଯୁକ୍ତି ବି ବଢ଼ି ଚାଲିଛି। ଏହାର ପ୍ରଭାବ ଜମି କିଣାବିକା ଉପ‌ରେ ପଡ଼ୁଛି। ଜିଲ୍ଲା ବାହାର ଲୋକେ ଅନୁଗୁଳମୁହାଁ ହେଉଥିବାରୁ ଜମି ବିକ୍ରିବଟା ଜୋରସୋର ଚାଲିଛି। ଫଳରେ ଜମି ଦର ମଧ୍ୟ ବଢ଼ି ଚାଲିଛି। ସବୁଠାରୁ ଅଧିକ ବିକ୍ରିବଟା ହେଉଛି ଛେଣ୍ଡିପଦା ଅଞ୍ଚଳରେ। ଗତ କିଛି ବର୍ଷ ମଧ୍ୟରେ ଏହି ତହସିଲ୍‌ ଅଧୀନରେ ବର୍ଷକୁ ପ୍ର‌ାୟ ୧୦ କୋଟିରୁ ଅଧିକ ଜମି ଖରିଦ୍‌ ରାଜସ୍ବ ଆଦାୟ କରୁଛନ୍ତି ସରକାର। ରେଜିଷ୍ଟ୍ରେସନ୍, ଡ୍ୟୁଟି ଫି’ ଓ ମ୍ୟୁଟେସନ୍‌ ବାବଦ ରାଜସ୍ବ ସିନା ସରକାର ପାଉଛନ୍ତି, ହେଲେ ଜମି କିଣାବିକାରେ ବର୍ଷକୁ ‌ପ୍ରାୟ ଶହେ କୋଟି ଟଙ୍କାରୁ ଅଧିକ ବେପାର ହେଉଛି।

ସହର ଉପକଣ୍ଠ ଜମି ଉପରେ ନଜର
ଜିଲ୍ଲା ବାହାର ଲୋକ କିଣୁଛନ୍ତି ଅଧିକ
କୋମାରେ ପଡ଼ିଛି ‘ରେରା’ ଆଇନ୍‌

ଏହା ପଛକୁ ରହିଛି ବଅଁରପାଳ ତହସିଲ୍‌। ଅନୁଗୁଳ ସହର ଉପକଣ୍ଠ ଭାବେ ବଅଁରପାଳ ତହସିଲ୍‌ର ବିଭିନ୍ନ ଅଞ୍ଚଳରେ ଜମି କିଣାବିକା ହାଉଯାଉ ହେଉଛି। ସରକାରୀ ତଥ୍ୟ ମୁତାବକ, ଏଠାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯ କୋଟି ୭୯ ଲକ୍ଷ ୯୬୪ ଟଙ୍କାର ରେଜିଷ୍ଟ୍ରେସନ୍ ଫି’ ପାଇଛନ୍ତି ସରକାର। ସେହିପରି ୨୦୨୩-୨୪ ବର୍ଷରେ ୮ କୋଟି ୪୯ଲକ୍ଷ ୮୧ହଜାର ୪୮୪ ଟଙ୍କା ରାଜସ୍ବ ଆଦାୟ ହୋଇଛି। କୁଇଓ, ଜରାସିଂହା, କାଣ୍ଡସର, ନାଲକୋ, ତୁରଙ୍ଗ, ତୁବେ ଆଦି ଅଞ୍ଚଳ ଅନୁଗୁଳ ସହରକୁ ବିଭିନ୍ନ ଦିଗରୁ ଲାଗି ଥିବାରୁ ଏହି ଅଞ୍ଚଳରେ ଜମି କିଣି ଘର କରିବାକୁ ଲୋକେ ବେଶୀ ଆଗ୍ରହ ଦେଖାଉଛନ୍ତି। ତେବେ ଅନୁଗୁଳ ସହରରେ ଆଉ ଜମି ମିଳୁନି। ତେଣୁ ଜମି ବିକ୍ରିବଟା ବି କମି ଗଲାଣି। କିଛି ବର୍ଷ ପୂର୍ବରୁ ଅନୁଗୁଳ ତହସିଲ୍‌ ସର୍ବାଧିକ ରାଜସ୍ବ ଆଦାୟ କରୁଥିଲା। ହେଲେ ଏବେ ତାହା ଖସି ବାର୍ଷିକ ମାତ୍ର କୋଟିଏରୁ ୨ କୋଟି ଟଙ୍କାର ରାଜସ୍ବ ଆଦାୟରେ ସୀମିତ ରହୁଛି। ଅନ୍ୟପଟେ ବିଲ୍‌ଡର୍‌ମାନେ ଜମି କିଣାବିକାରେ କେବଳ
ମଧ୍ୟସ୍ଥି ସାଜୁଛନ୍ତି। ସ୍ବୀକୃତିପ୍ରାପ୍ତ ବିଲ୍‌ଡର୍‌ ସଂସ୍ଥା ଜିଲ୍ଲାରେ କାମ କରୁଛି କି ନାହିଁ ‌କେହି ଜାଣନ୍ତିନି।

ଯେଉଁ ଜମି ବ୍ୟବସାୟୀ ଏହି ବିକ୍ରିବଟା କରୁଛନ୍ତି, ସେମାନେ ବଡ଼ ପ୍ଲଟ୍‌ ଦେଖି କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କେବଳ କାରବାର କରାଉଛନ୍ତି। ଜମି ରେଜିଷ୍ଟ୍ରେସନ୍ ପୂର୍ବରୁ ବିଲ୍‌ଡର୍‌ ଜମି ଦର ସ୍ଥିର କରି ବିକ୍ରେତାଠାରୁ ଟଙ୍କା ‌ନେଇ କ୍ରେତାଙ୍କୁ ଦେବା କାମ କରୁଛନ୍ତି। ନଚେତ୍‌ ନିଜେ କ୍ରେତାକୁ ଅଗ୍ରୀମ ଟଙ୍କା ଦେଇ ବଡ଼ ଜମିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି। ତେବେ ବିଲ୍‌ଡର୍‌ କିମ୍ବା ସଂସ୍ଥା ନାମରେ ଜମି କିଣାବିକା ହେଉ ନଥିବାରୁ ରେରା ଆଇନ୍ କାର୍ଯ୍ୟକାରୀ ହେଉନି। କେବଳ ଘର କରିବା ସମୟରେ ତାମ୍‌ଡ଼ା ଓ ପୌରପାଳିକା ଜାଣୁଛି ସିନା କିନ୍ତୁ ଆଇନତଃ ବିଲ୍‌ଡର କିମ୍ବା ବିଲ୍‌ଡର୍‌ ସଂସ୍ଥା ପ୍ଲଟ୍‌ ଓ ଫ୍ଲାଟ୍‌ ବିକୁ ନଥିବାରୁ ହାତ ବାନ୍ଧି ବସିବାକୁ ପଡ଼ୁଛି। ଯାହାଦ୍ବାରା ବିଲ୍‌ଡର ଲାଭ ପାଉଥିଲା ‌ବେଳେ ସରକାର ଅଧିକ ରାଜସ୍ବ ହରାଉଛନ୍ତି ଓ ଜମି କିଣି ଘର କରୁଥିବା ଲୋକ ରେରା ଆଇନରେ ପାଇବାକୁ ଥିବା ସୁବିଧାରୁ ବଞ୍ଚିତ ହେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button