କ୍ରାଇମ

ପରୀକ୍ଷାରେ ଉତ୍ତର କହିଲେନି ବୋଲି… ସହପାଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ – Utkal Mail


ଭୁବନେଶ୍ବର: ରାଜଧାନୀରେ ଶିକ୍ଷାନୁଷ୍ଠାନରେ ହିଂସା ଓ ଅଶାନ୍ତି ଥମିବାର ନାଁ ଧରୁନି। କିଛିଦିନ ତଳେ ବିଜେବି ଓ ମହର୍ଷି କଲେଜରେ ଦେଖାଦେଇଥିବା ହିଂସା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ସେଭଳି ଏକ ଘଟଣା ଘଟିଛି। ପରୀକ୍ଷା ସମୟରେ ଉତ୍ତର ନ କହିବାରୁ ଦିନ ଦିବାଲୋକରେ ଛାତ୍ରଙ୍କ ଗହଳି ଭିତରେ ଜଣେ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରିରେ ଆକ୍ରମଣ କରିଛି। ଏ ଘଟଣା ଘଟିଛି ବଡ଼ଗଡ଼ ଥାନା ପାଣ୍ଡବନଗର ସ୍ଥିତ କ୍ରିଷ୍ଣା ଇଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଓ ସାଇନ୍ସ ସମ୍ମୁଖରେ। ଆକ୍ରମଣରେ +୩ କଳା ଦ୍ବିତୀୟ ବର୍ଷର ଛାତ୍ର ବିଶ୍ବଜିତ ସ୍ବାଇଁ ଆହତ ହୋଇଛନ୍ତି। ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଅନ୍ୟପଟେ ଏଭଳି ଘଟଣା ପରେ କଲେଜ ଆଖପାଖ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ବାରମ୍ବାର କଲେଜରେ ଛାତ୍ର ହିଂସା ବଢ଼ିବା ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।

ସୂଚନା ମୁତାବକ, ଆଜି ଅପରାହ୍ନ ପାଖାପାଖି ୧.୩୦ଟା ସମୟରେ କ୍ରିଷ୍ଣା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଓ ସାଇନ୍ସର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବା ପରେ କିଏ ଘରକୁ ତ କିଏ ହଷ୍ଟେଲକୁ ଫେରୁଥିଲେ। ବିଶ୍ବଜିତ ମଧ୍ୟ ପରୀକ୍ଷା ପରେ ଫେରୁଥାଆନ୍ତି। ତେବେ ସେ କଲେଜ ବାହାରେ ଯାଉଥିବା ବେଳେ ଅଚାନକ ଜଣେ ସହପାଠୀ ବ୍ୟାଗ୍‌ରୁ ଛୁରି ବାହାର କରି ତାଙ୍କ ପେଟକୁ ବାରମ୍ବାର ଆକ୍ରମଣ କରିଥିଲା। ସେ ଜୀବନ ବିକଳରେ ଦୌଡ଼ିଥିଲେ ବି ସହପାଠୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ତା’ର ଏଭଳି ଭୟଙ୍କର ରୂପ ଦେଖି ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଭୟରେ ଦୌଡ଼ାଦୌଡ଼ି ହୋଇଥିଲେ। ବିଶ୍ବଜିତ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଛାତ୍ର ସେଠାରୁ ଫେରାର୍‌ ହୋଇ ଯାଇଥିଲା। କିଛି ସମୟ ମଧ୍ୟରେ ସେଠାରେ ଛାତ୍ରଛାତ୍ରୀଙ୍କ ଭିଡ ଜମିବା ସହ ଉତ୍ତେଜନା ଦେଖାଦେଇଥିଲା। କ୍ୟାମ୍ପସ ବାହାରେ ହୋହଲ୍ଲା ଶୁଣି କର୍ତ୍ତୃପକ୍ଷ ବାହାରକୁ ଆସିଥିଲେ। ଖବରପାଇ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଛାତ୍ରଛାତ୍ରଙ୍କୁ ବୁଝାସୁଝା କରିବା ସହ ଆହତ ବିଶ୍ବଜିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତେ‌ବେ ଛାତ୍ର ଜଣକ କାହିଁକି ବିଶ୍ବଜିତଙ୍କୁ ଆକ୍ରମଣ କଲା, ଏହା ପଛରେ କାରଣ ଅସ୍ପଷ୍ଟ ରହିଛି।

ଅନ୍ୟପଟେ ପୁଲିସ ୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ାକି ପଚରା ଉଚରା କରିଛି। ସେମାନେ କହିଛନ୍ତି ଯେ ପରୀକ୍ଷା ସମୟରେ ଅଭିଯୁକ୍ତ ଛାତ୍ର ଜଣକ କିଛି ପ୍ରଶ୍ନର ଉତ୍ତର ଦେଖାଇବାକୁ ବିଶ୍ବଜିତଙ୍କୁ କହିଥିଲା। ହେଲେ ସେ ଉତ୍ତର ନଦେଖାଇବାରୁ ରାଗରେ ଏଭଳି କାଣ୍ଡ ଘଟାଇଥିବା ସେମାନେ ପୁଲିସକୁ କହିଛନ୍ତି। ହେଲେ ଏହାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। କାରଣ ଅଭିଯୁକ୍ତ କିଭଳି ଜାଣିଲା ଯେ, ତା’କୁ କିଛି ପ୍ରଶ୍ନର ଉତ୍ତର ଆସିବ ନାହିଁ ଓ ବିଶ୍ବଜିତ ତାକୁ ଉତ୍ତର କହିବେ ନାହଁ? ଯଦି ଜାଣିନଥିଲା, ତେବେ ସେ କାହିଁକି ବ୍ୟାଗ୍‌ରେ ଛୁରି ନେଇ ଆସିଥିଲା? ନା ପରୀକ୍ଷାରେ ସାହାଯ୍ୟ କରିବା ନେଇ ଆଗରୁ ତାଙ୍କୁ ଧମକ ଚମକ ଦେଇଥିଲେ? ଯଦି ସେଭଳି କିଛି ହୋଇଥିଲା, ତେବେ ବିଶ୍ବଜିତ କାହାକୁ ଏ ସମ୍ପର୍କରେ ଜଣାଇଥିଲେ କି? ଏଭଳି ଅନେକ ପ୍ରଶ୍ନକୁ ନେଇ ତଦନ୍ତ ଚାଲିଛି। ଅଭିଯୁକ୍ତ ଛାତ୍ରର ଗିରଫ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୁଲିସ କହିଛି। ତା’କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି। ଅନ୍ୟପଟେ କ୍ୟାମ୍ପସରେ ଉତ୍ତେଜନା ଯୋଗୁଁ ଆଜି ସେଠାରେ କିଛି ସମୟ ପାଇଁ ପୁଲିସ ମୁତୟନ କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button