ରାଜନୀତି

ଦସ୍ତଖତ ଜାଲ କରିଥିବା ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଆପ୍‌ ନେତା ରାଘବ ଚଢ଼ା – Utkal Mail


ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି।

୪ ଜଣ ରାଜ୍ୟସଭା ସାଂସଦ ଦାବି କରିଥିଲେ ଯେ ଅଗଷ୍ଟ ୭ ତାରିଖରେ ଏକ ପ୍ରସ୍ତାବରେ ଚଢ଼ା ସେମାନଙ୍କ ବିନା ଅନୁମତିରେ ସେମାନଙ୍କ ନାମ ସାମିଲ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ବୁଧବାର ସାଂସଦଙ୍କ ଅଭିଯୋଗକୁ ସ୍ୱାଧିକାର କମିଟିକୁ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି।

ସାଂସଦ ସସ୍ମିତ ପାତ୍ର, ଏସ୍‌ ଫାଙ୍ଗନନ୍‌ କୋନିଆକ୍‌, ଏମ୍‌ ଥାମ୍ବିଦୁରାଇ ଓ ନରହରି ଅମିନ୍‌ଙ୍କୁ ନ ପଚାରି ଚଢ଼ା ଗୃହ କମିଟିରେ ସେମାନଙ୍କ ନାମ ଯୋଡ଼ିଥିବା ଅଭିଯୋଗ କରିଥିଲେ। ରାଘବ ଚଢ଼ାଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟସଭାରେ ଗୃହ ନେତା ପୀୟୂଷ ଗୋଏଲ ପ୍ରସ୍ତାବ ଆଗତ କରିଥିଲେ।

ଅନ୍ୟପକ୍ଷରେ ଆପ୍‌ କହିଛି ଯେ ଜାଲିଆତି କିମ୍ବା ନକଲି ଦସ୍ତଖତ ଅଭିଯୋଗରେ ଏହି ନିଲମ୍ବନ କରାଯାଇନାହିଁ ଏବଂ ବୁଧବାର ଆପ୍‌ ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ଏହା କରାଯାଇଛି।

‘ଗତକାଲି ରାଘବ ଚଢ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମାମଲାରେ ନିଜ ପକ୍ଷ ରଖିଥିବାରୁ ଏହି ନିଲମ୍ବନ କରାଯାଇଛି। ସ୍ୱାଧିକାର (ପ୍ରିଭିଲେଜ୍‌) କମିଟି ପକ୍ଷରୁ ଦିଆଯାଇଥିବା ନିଲମ୍ବନ କିମ୍ବା ନୋଟିସ୍‌ ପାଇଁ ପୀୟୂଷ ଗୋଏଲଙ୍କ ପ୍ରସ୍ତାବରେ ଜାଲିଆତି, ନକଲି, ଦସ୍ତଖତ, ଫର୍ଜିଓ୍ଵାଡା ଇତ୍ୟାଦି ଶବ୍ଦ ଉଲ୍ଲେଖ ନାହିଁ। ଏପରିକି ଏ ନେଇ କିଛି ଅଭିଯୋଗ ମଧ୍ୟ ନାହିଁ’ ବୋଲି ଆପ୍‌ କହିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ଜାଣିଶୁଣି ଚଢ଼ାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆପ୍‌ ଅଭିଯୋଗ କରିଛି। ରାଘବ ଚଢ଼ାଙ୍କ ବିରୋଧରେ ନକଲି ଦସ୍ତଖତ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦଳ କହିଛି ଏବଂ ଦଳ ବିରୋଧରେ କହିବା ପାଇଁ ବିଜେପି ଚଢ଼ାଙ୍କୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button