ସିଲି ପଏଣ୍ଟ୍: କ୍ଷମା ମାଗିଲା ମୋଟୋ ଜିପି – Utkal Mail
ନୂଆଦିଲ୍ଲୀର ବୁଦ୍ଧ ଅନ୍ତର୍ଜାତୀୟ ସର୍କିଟରେ ଗୁରୁବାର ମୋଟୋ ଜିପିର ଇଣ୍ଡିଆନ୍ ଗ୍ରାଁ ପ୍ରି ରେସିଂ ଚାଲିଥିବାବେଳେ ପ୍ରତିଯୋଗିତାର ଠିକ୍ ଠାକ୍ ଚାଲିଥିଲା। କିନ୍ତୁ ଏହାର ପ୍ରସାରଣ ବେଳେ ଭାରତୀୟ ମାନଚିତ୍ରକୁ କଦର୍ଥ କରି ଦେଖାଯିବାରୁ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଥିଲା। ପ୍ରଦର୍ଶିତ ଭାରତୀୟ ମାନଚିତ୍ରରେ ଜମ୍ମୁ କଶ୍ମୀରର ରେଖାଚିତ୍ର ନଥିଲା। ଭାରତୀୟ ସାର୍ବଭୌମତ୍ବର ଏହା ଅଂଶବିଶେଷ ହୋଇଥିବାରୁ ଏଭଳି ବ୍ୟତିକ୍ରମକୁ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜୋରଦାର ସମାଲୋଚନା କରିଥିଲେ। ମୋଟୋ ଜିପି କର୍ତ୍ତୃପକ୍ଷ କିନ୍ତୁ ତୁରନ୍ତ ଏକ ପ୍ରେସ୍ ବିଜ୍ଞପ୍ତିରେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲା। ଭାରତୀୟ ପ୍ରଶଂସକଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥୀ। ଏହା କୌଣସି ଉଦ୍ଦେଶ୍ୟମୂଳକ ଭାବେ କରାଯାଇନଥିଲା। ଆୟୋଜକ ଦେଶର ସମର୍ଥନ ପ୍ରଶଂସନୀୟ ବୋଲି ଏଥିରେ କୁହାଯାଇଥିଲା। ସୂଚନାଯୋଗ୍ୟ, ନିକଟରେ ଶୁଭ ନାମରେ ପରିଚିତ କାନାଡ଼ା ଅବସ୍ଥାପିତ ପଞ୍ଜାବୀ ଗୀତିକାର ଶୁଭନିତ ସିଂହ ଏଭଳି ବିବାଦର ସୂତ୍ରପାତ କରିଥିଲେ। ସେ ଇନ୍ଷ୍ଟାଗ୍ରାମରେ ଛାଡ଼ିଥିବା ଏକ ଷ୍ଟୋରିରେ ଯୋଡ଼ିଥିବା ଭାରତ ମାନଚିତ୍ରରେ ଜମ୍ମୁ କଶ୍ମୀର, ପଞ୍ଜାବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ଜାଣି ଜାଣି ରଖିନଥିଲେ। ଏଥି ସହ ଲେଖିଥିଲେ ‘ପଞ୍ଜାବ ପାଇଁ ପ୍ରାର୍ଥନା କରନ୍ତୁ’। ଏହାକୁ ମଧ୍ୟ ଜୋରଦାର ସମାଲୋଚନା କରାଯାଇଥିଲା।