କ୍ରାଇମ

ସୁନେଲି ସ୍ବପ୍ନର ସୌଦାଗର ବାବା-ମାତା ମାମଲା: ଧରାପଡ଼ିଲେ ଫେରାର୍ ମାତା – Utkal Mail


ପୂର୍ବରୁ ଜେଲ୍‌ ଯାଇଛି ଭଣ୍ଡ ବାବା

ଭୁବନେଶ୍ବର: ସୁନେଲି ସ୍ବପ୍ନ ଦେଖାଇ ଲୋକଙ୍କୁ ଚୁନ ଲଗାଉଥିବା ଭଣ୍ଡ ବାବା ସ୍ପର୍ଶକାନ୍ତ ସାହୁକୁ ବଡ଼ଗଡ଼ ଥାନା‌ ପୁଲିସ ୪ ଦିନ ପୂର୍ବେ ଗିରଫ କରି ଜେଲ୍‌ ହାଜତକୁ ପଠାଇଛି। ସେହି ମାମଲାରେ ପୁଲିସ ଫେରାର୍ ହୋଇଯାଇଥିବା ମାତା ରିଲି ସାହୁ(୨୪)କୁ ଗିରଫ କରିଛି। ଗତକାଲି ରାତିରେ ପୁଲିସ ରିଲିକୁ ନିମାପଡ଼ା ଅଞ୍ଚଳରୁ ଉଠାଇବା ପରେ ଆଜି କୋର୍ଟ ଚାଲାଣ କରିଛି।

କିଛି ମାସ ତଳେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ମହିଳା ମାତା ରିଲିଙ୍କୁ ସାକ୍ଷାତ କରିଥିଲେ। ଲୋକଙ୍କଠାରୁ ବାବା ସ୍ପର୍ଶକାନ୍ତ ଓ ମାତା ରିଲିଙ୍କ ବାବଦରେ ଜାଣିବା ପରେ ସେ ପ୍ରଥମେ ରିଲିଙ୍କୁ ଭେଟିଥିଲେ। ମହିଳାଙ୍କ ପରିବାରରେ ଲାଗିରହିଥିବା ଆର୍ଥିକ ସମସ୍ୟା ନେଇ ସେ ମାତା ରିଲିଙ୍କୁ ଭେଟିଥିଲେ। ମହିଳାଙ୍କ ସମସ୍ୟା ବିଷୟରେ ଜାଣିବା ପରେ ମାତା ରିଲି ତାଙ୍କୁ ପୁରୀ ଜାତୀୟ ରାଜପଥ ମଙ୍ଗରାଜ ପଏଣ୍ଟସ୍ଥିତ ଘରକୁ ନେଇଥିଲେ। ସେଠାରେ ମହିଳା ବାବା ତଥା ମାତା ରିଲିଙ୍କ ସ୍ବାମୀ ସ୍ପର୍ଶକାନ୍ତଙ୍କୁ ଦେଖିଥିଲେ। ବାବା ସ୍ପର୍ଶକାନ୍ତର ବେଶ ପୋଷାକରୁ ମହିଳାଙ୍କର ବିଶ୍ବାସ ହୋଇଥିଲା। ଏଥିସହିତ ବାବାଙ୍କ ପୂଜା ଘରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ଦେଖି ମହିଳାଙ୍କ ମନରେ ବିଶ୍ବାସ ଜନ୍ମିଥିଲା। ତାଙ୍କ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ ବୋଲି ଭଣ୍ଡ ବାବା ଓ ମାତା ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ପୂଜାପାଠ କରିବାକୁ ପଡ଼ିବ ବୋଲି ଏହି ଠକ ଦମ୍ପତି ତାଙ୍କୁ କହିଥିଲେ।

ଏମିତିକି ସେମାନେ ପୂଜାପାଠ ବଳରେ ବହୁ ଅସାଧ୍ୟ ସାଧନ କରିଛନ୍ତି ବୋଲି ମହିଳାଙ୍କୁ କିଛି ନମୁନା ଦେଖାଇଥିଲେ। ତେଣୁ ମହିଳାଜଣଙ୍କ ରାଜି ହୋଇ ବାବାଙ୍କ ଦାବି ମୁତାବକ ପୂଜାର୍ଚ୍ଚନା ପାଇଁ ପାଖାପାଖି ୫ଲକ୍ଷ ଟଙ୍କା ଗଣି ଦେଇଥିଲେ। ଏତେଗୁଡ଼ାଏ ଟଙ୍କା ଦେବା ପରେ ବି ମହିଳାଙ୍କ ସମସ୍ୟାରେ କୌଣସି ସୁଧାର ଆସିନଥିଲା। ତେଣୁ ସେ ବାବାଙ୍କୁ ବାରମ୍ବାର ଭେଟୁଥିଲେ ଏବଂ ଠକ ଦମ୍ପତି ତାଙ୍କୁ ବହୁ ସୁନେଲି ସ୍ବପ୍ନ ଦେଖାଇ ଭଣ୍ଡାଇ ଚାଲିଥିଲେ। କିଛି ଦିନ ପରେ ସେମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଠକାମିର ଶିକାର ହେବା ଜାଣିବା ପରେ ମହିଳା ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ୪ ଦିନ ତଳେ ପୁଲିସ ଭଣ୍ଡ ବାବା ସ୍ପର୍ଶକାନ୍ତକୁ ଗିରଫ କରିଥିବା ବେଳେ ମାତା ରିଲି ଫେରାର୍‌ ହୋଇଯାଇଥିଲେ। ପୁଲିସ ସୂଚନାନୁସାରେ ଏହି ଭଣ୍ଡ ବାବା ଓ ମାତା ବହୁ ଲୋକଙ୍କୁ ମିଛ ସ୍ବପ୍ନ ଦେଖାଇ ଚୁନ ଲଗାଇଛନ୍ତି। କାହାକୁ କୋଟିପତି କରାଇଦେବାକୁ କହି ଠକିଛନ୍ତି ତ କାହାର ଭାଙ୍ଗିଯାଇଥିବା ଘରକୁ ଯୋଡ଼ିଦେବାକୁ ପ୍ରତିଶ୍ରୁତି ଦେଇ ଲୁଟିଛନ୍ତି। ଏମିତିକି ପ୍ରେମରେ ବିଫଳ ଯୁବକମାନଙ୍କୁ ମଧ୍ୟ ସେମାନେ ଫସାଇଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button