ରାଜନୀତି

ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ୍‌ ଗସ୍ତରେ ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍ ଗସ୍ତରେ ଯିବେ। ଆସନ୍ତା ଅକ୍ଟୋବର ୨୨ରୁ ୨୩ ପର୍ଯ୍ୟନ୍ତ ସେ ରୁଷ୍ ଗସ୍ତ କରିବେ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରୁଛନ୍ତି। ଏଥର ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷ୍ ଅଧ୍ୟକ୍ଷତା କରୁଛି।

ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମୋଦୀଙ୍କ ରୁଷ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିପକ୍ଷ ଏବଂ ଆମନ୍ତ୍ରିତ ନେତାମାନଙ୍କ ସହ କାଜାନରେ ଦ୍ୱିପାକ୍ଷିକ ବୈଠକ କରିବେ। ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ବିଶ୍ୱ ବିକାଶ ଓ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା’।

ଏହି ସମ୍ମିଳନୀ ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ଶିଖର ସମ୍ମିଳନୀ ବ୍ରିକ୍ସ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ଆକଳନ କରିବ ଏବଂ ଭବିଷ୍ୟତରେ ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ରଚିହ୍ନଟ କରିବାପାଇଁ ଏକ ସୁଯୋଗ ପ୍ରଦାନ କରିବ। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଉପସ୍ଥିତ ରହିବେ।

ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଅକ୍ଟୋବରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପୁଣି ଥରେ ହେବ। ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବାର ସମ୍ଭାବନା ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button