ଦେଶ ବିଦେଶ

+2ରେ 80ରୁ 24 ରଖିଲେ ପାସ୍, 24 ରଖ ବେକାର ହୁଅ

୨୦୨୫ରେ ଯୁକ୍ତ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଏଣିକି ବାର୍ଷିକ ପରୀକ୍ଷାରେ ଆଉ ୧୦୦ ନୁହେଁ, ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍‌ କରିବେ। ନ ହେଲେ ଫେଲ୍‌ ବୋଲି ବିବେଚନା କରାଯିବ।

ବାକି ୨୦ ମାର୍କ ଇଣ୍ଟରନାଲ୍‌ ପରୀକ୍ଷା ହେବ।

ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍‌ ବୋଲି ଗଣାଯିବ ନାହିଁ। ଉଦାହରଣ ସ୍ବରୂପ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ମୋଟ ୮୦ ମାର୍କର ପରୀକ୍ଷା ହେବ। ସେଥିରୁ ପରୀକ୍ଷାର୍ଥୀ ୨୪ ମାର୍କ ଅର୍ଥାତ୍‌ ୩୦% ମାର୍କ ରଖିଲେ ହିଁ ଉତ୍ତୀର୍ଣ୍ଣ ହେବେ। ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲ୍‌ ପରୀକ୍ଷାରେ ୨୦ରୁ ୧୮ ମାର୍କ ପାଇଥିବେ, ହେଲେ ଥିଓରି ପରୀକ୍ଷାରେ ୮୦ରୁ ୨୦ ମାର୍କ ରଖିବେ ତାହା ହେଲେ ତାଙ୍କୁ ଫେଲ୍‌ ବୋଲି ଘୋଷଣା କରାଯିବ।

ଇଂରାଜୀ ଓ ମାତୃଭାଷାରୁ ରଚନା ଉଠିଗଲା
ପ୍ରଶ୍ନପତ୍ରରେ ଆସିବନି ୧୦ ମାର୍କ ବିଶିଷ୍ଟ ପ୍ରଶ୍ନ
ଡିସେମ୍ବର ଶେଷ ସପ୍ତାହରେ ଇଣ୍ଟରନାଲ୍‌ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସି‌ଏଚ୍‌ଏସ୍‌ଇ) ପକ୍ଷରୁ ସିବିଏସ୍‌ଇ ଢାଞ୍ଚାକୁ ଆପଣାଯିବା ସହ ବାଧ୍ୟତାମୂଳକ ଇଂରାଜୀ ଓ ମାତୃଭାଷା ବିଷୟରେ ଆସୁଥିବା ରଚନା ଲେଖନୀକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି। ଅର୍ଥାତ୍‌ ଏହି ଦୁଇଟି ବିଷୟରେ ପରୀକ୍ଷାର୍ଥୀଙ୍କୁ ଆଉ ରଚନା ଲେଖିବାକୁ ପଡ଼ିବ ନାହିଁ। କୌଣସି ବିଷୟର ପ୍ରଶ୍ନପତ୍ରରେ ୧୦ ମାର୍କର ପ୍ରଶ୍ନ ରହିବନି। କଳା ବିଭାଗ ବିଷୟଗୁଡ଼ିକରେ ସର୍ବାଧିକ ୮ ମାର୍କ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୫ ମାର୍କ ପର୍ଯ୍ୟନ୍ତ ପ୍ରଶ୍ନ ଆସିବ। ୮୦ ମାର୍କ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କୁ ପୂର୍ବଭଳି ୩ ଘଣ୍ଟା ସମୟ ଦିଆଯିବ। ଇଂରାଜୀ ବିଷୟ ପ୍ରଶ୍ନପତ୍ରରେ ଏକ ମାର୍କ ବିଶିଷ୍ଟ ୫୩ଟି ପ୍ରଶ୍ନ, ଦୁଇ ମାର୍କ ବିଶିଷ୍ଟ ୬ଟି ପ୍ରଶ୍ନ, ୫ ମାର୍କ ବିଶିଷ୍ଟ ଗୋଟିଏ ଓ ୫ ମାର୍କ ବିଶିଷ୍ଟ ଦୁଇଟି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ମାତୃଭାଷା ବିଷୟରେ ୧ ମାର୍କ ବିଶିଷ୍ଟ ୪୦ଟି, ୨ ମାର୍କ ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତର(୪୦ରୁ ୫୦ ଶବ୍ଦ ମଧ୍ୟରେ) ୮ଟି, ୩ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ଉତ୍ତର(୬୦ରୁ ୮୦ ଶବ୍ଦ ମାଧ୍ୟମରେ) ୩ଟି, ୫ ମାର୍କ ବିଶିଷ୍ଟ ୧୨୦ ଶବ୍ଦରେ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

ବୋର୍ଡ ପରୀକ୍ଷା ପୂର୍ବରୁ ଇଣ୍ଟରନାଲ୍‌ ପରୀକ୍ଷା କରାଯିବ। ସମ୍ଭବତଃ ଡିସେମ୍ବର ୨୬ରୁ ୩୦ ମଧ୍ୟରେ ଇଣ୍ଟରନାଲ୍‌ ପରୀକ୍ଷା ପରେ ଫେବ୍ରୁ୍ଆରିରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୩ରେ ପଞ୍ଜୀକରଣ କରିଥିବା ଏବଂ ୨୦୨୫ରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୂତନ ଢ଼ାଞ୍ଚା ଲାଗୁ କରାଯିବ। ନୂଆ ଢାଞ୍ଚାରେ ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକରେ ୭୦ ମାର୍କ ଥିଓରି ଓ ୩୦ ମାର୍କ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ବିଷୟରେ ଥିଓରି ୮୦ ମାର୍କ ଓ ପ୍ରୋ‌ଜେକ୍ଟ ୨୦ ମାର୍କ ରହିଛି। ଧନ୍ଦାମୂଳକ ବିଭାଗର ଟ୍ରେଡ୍‌ ବିଷୟରେ ୪୦ ମାର୍କ ଥିଓରି ଓ ୬୦ ମାର୍କ ପ୍ରାକ୍ଟିକାଲ୍‌ ରହିବ। ପ୍ରାକ୍ଟିକାଲ ନ ଥିବା ୧୦୦ ମାର୍କ ବିଶିଷ୍ଟ ବିଷୟରେ ୮୦ ମାର୍କ ଥିଓରି ଓ ୨୦ ମାର୍କ ଇଣ୍ଟରନାଲ୍‌ ଏବଂ ୫୦ ମାର୍କ ବିଶିଷ୍ଟ ବିଷୟରେ ୪୦ ମାର୍କ ଥିଓରି ଓ ୧୦ ମାର୍କ ଇଣ୍ଟରନାଲ୍‌ ମାର୍କ ରଖାଯାଇଛି। ୨୦୨୩ରେ ପଞ୍ଜୀକରଣ କରି ୨୦୨୫ରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଇଣ୍ଟରନାଲ୍‌ ମାର୍କ ବ୍ୟବସ୍ଥା ପ୍ରଚଳିତ ହୋଇଛି। ୨୦୨୨ ପର୍ଯ୍ୟନ୍ତ ପଞ୍ଜୀକରଣ କରିଥିବା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଢାଞ୍ଚା ଅନୁଯାୟୀ ପ୍ରସ୍ତୁତ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ପ୍ରାକ୍ଟିକାଲ ନ ଥିବା ବିଷୟର ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଇଂରାଜୀ ଓ ଏମ୍‌ଆଇଏଲ୍‌(ଭାଷା ବିଷୟ)ରେ ଯଥାକ୍ରମେ ୧୦୦ ଓ ୫୦ ମାର୍କରେ ପରୀକ୍ଷା ଦେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button