ଧର୍ମ

ଯୁଗବାର୍ତ୍ତା ପ୍ରଚାରକ ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ – ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳା ପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀ ଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ।ସେ ପାଠପଢ଼ିବା ସମୟରେ ବ୍ରାହ୍ମ ସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ।ଭଗବାନଙ୍କୁ ଆନ୍ତରିକ ଦର୍ଶନକରିବା କୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନରଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁ ରୁପେ ବରଣ କରିଥିଲେ।ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ।

ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା।ମାତ୍ର ୨୬ ବର୍ଷ ବୟସରେ ସେସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେଯେଉଁ ରାମକୃଷ୍ଣଦେବଙ୍କ ସଙ୍ଗେ ତାଙ୍କ ଜୀବନ ଏତେ ନିବିଡ଼ ଭାବରେ ଜଡ଼ିତ, ଯାହାଙ୍କ ସଂସ୍ପର୍ଶରେ ଆସି ସେ ଈଶ୍ୱରଦର୍ଶନ କରିଥିଲେ, ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ହୋଇଥିଲେ ଏବଂ ଅନ୍ୟଙ୍କୁ ମଧ୍ୟ ଅଧ୍ୟାତ୍ମରାଜ୍ୟ ବିଷୟରେ ସାହାଯ୍ୟ କରିବାର ଶକ୍ତି ଅର୍ଜନ କରିଥିଲେ, ସେହି ଦେବମାନବଙ୍କ ସହିତ ସେତେବେଳକୁ ତାଙ୍କର ପରିଚୟ ହୋଇ ନ ଥାଏ । ଏହି ସମୟରେ ଦିନେ ଅପ୍ରତ୍ୟାଶିତ ଭାବରେ ନରେନ୍ଦ୍ର ଓ ଶ୍ରୀରାମକୃଷ୍ଣଦେବଙ୍କର ମିଳନ ହେଲା । ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ । ପ୍ରତିବେଶୀ ସୁରେନ୍ଦ୍ରନାଥ ମିତ୍ରଙ୍କ ଘରକୁ ପରମହଂସଦେବ ଆସିଥାଆନ୍ତି, ପରିଚିତ ଭକ୍ତମାନଙ୍କୁ ନେଇ ଗୋଟିଏ ଛୋଟ ଉତ୍ସବରେ ଆୟୋଜନ ହୋଇଥାଏ । ଗାୟକ ଅଭାବରୁ ଏହି ଉତ୍ସବରେ ଭଜନ ଗାଇବା ପାଇଁ ସୁରେନ୍ଦ୍ରନାଥ ପଡ଼ୋଶୀ ନରେନ୍ଦ୍ରଙ୍କୁ ଡକାଇ ପଠାଇଲେ । ପ୍ରାଣ ଢାଳି ଗାଇଲେ ନରେନ୍ଦ୍ରନାଥ । ଶ୍ରୀରାମକୃଷ୍ଣ ଗୀତ ଶୁଣି ମୁଗ୍ଧ । ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ-‘ଏଇ ଯେ ସେହି ଅଖଣ୍ଡ ଘରର ଋଷି !’ ସାଗ୍ରହରେ ପାଖକୁ ଡାକିଲେ ଏବଂ ଦିନେ ଦକ୍ଷିଣେଶ୍ୱରକୁ ଯିବା ପାଇଁ ନରେନ୍ଦ୍ରଙ୍କୁ ଅନୁରୋଧ କଲେ ।

ଏହି ସମୟରେ ନରେନ୍ଦ୍ର ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରୀକ୍ଷା ପରେ ବିଶ୍ୱନାଥ ଦତ୍ତ ତାଙ୍କର ବିବାହ ପାଇଁ ଉଦ୍ଯୋଗୀ ହେଲେ । କିନ୍ତୁ ନରେନ୍ଦ୍ରନାଥ ସ୍ପଷ୍ଟ ଜଣାଇ ଦେଲେ ଯେ, ‘ମୁଁ ବିବାହ କରିବି ନାହିଁ ।’ ସେତେବେଳକୁ ସେ ଅନ୍ତର୍ଦ୍ୱନ୍ଦରେ ବିଶେଷ ଜର୍ଜରିତ । ରାମଚନ୍ଦ୍ର ଦତ୍ତ ନରେନ୍ଦ୍ରଙ୍କର ଜ୍ଞାତିଭାଇ । ସେ ନରେନ୍ଦ୍ରଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିପାରି କହିଲେ, ‘ଦେଖ ନରେନ୍, ଯଦି ଭଗବତ୍ ଲାଭ ହିଁ ତୁମ ଜୀବନର ଲକ୍ଷ୍ୟ ହୋଇଥାଏ, ତେବେ ଏଣେତେଣେ ନ ବୁଲି ଦକ୍ଷିଣେଶ୍ୱରରେ ଥିବା ପରମହଂସଦେବଙ୍କ ପାଖକୁ ଯାଅ, ଶାନ୍ତି ପାଇବ ।’ ନରେନ୍ଦ୍ରଙ୍କର ମନେପଡ଼ିଲା ପରମହଂସଙ୍କ ଆମନ୍ତ୍ରଣ କଥା । ସେ କେତେଜଣ ବନ୍ଧୁଙ୍କୁ ସଙ୍ଗରେ ନେଇ ଦିନେ ଦକ୍ଷିଣେଶ୍ୱରଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ପରମହଂସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ । ଗୀତ ଗାଇବାକୁ ଅନୁରୋଧ କଲେ । ନରେନ୍ ମଧ୍ୟ ଦୁଇଟି ଗୀତ ଗାଇଲେ-‘ମନ ଚାଲ ନିଜ ନିକେତନ’ ଇତ୍ୟାଦି ଏବଂ ‘ଯିବ କି ହେ ଦିନ ମୋର ବିଫଳେ ଚାଲି’ ଇତ୍ୟାଦି ।

ଶ୍ରୀରାମକୃଷ୍ଣ ତାଙ୍କର ଯୋଗଦୃଷ୍ଟି ସହାୟରେ ଜାଣିପାରିଥିଲେ ଯେ ନରେନ୍ଦ୍ରନାଥ ହିଁ ସେହି ଅଖଣ୍ଡ ଘରର ଋଷି-ତାଙ୍କର ଯୁଗବାର୍ତ୍ତା ପ୍ରଚାର ପାଇଁ ଜଗତ ଆସିଛନ୍ତି । ଏହାପରେ ପୁଣି ଯେଉଁଦିନ ନରେନ୍ଦ୍ର ଦକ୍ଷିଣେଶ୍ୱର ଆସିଥିଲେ, ସେଦିନ ପରମହଂସଦେବ ତାଙ୍କୁ ଏକା ପାଇ ଭାବାବସ୍ଥାରେ ସ୍ପର୍ଶ କଲେ । ଏହା ଫଳରେ ନରେନ୍ଦ୍ରଙ୍କର ବାହ୍ୟଜ୍ଞାନ ଲୁପ୍ତ ହୋଇଗଲା । ସେହି ଅବସ୍ଥାରେ ପରମହଂସଦେବ ତାଙ୍କୁ ପଚାରିଲେ, ତୁମେ କିଏ, କେଉଁଠାରୁ ଆସିଛ, କାହିଁକି ଆସିଛ, କେତେଦିନ ରହିବ ?’ ଧ୍ୟାନାବସ୍ଥାରେ ନରେନ୍ଦ୍ର ଯାହା କହିଥିଲେ, ତାହା ଶୁଣି ପରମହଂସଦେବ ତାଙ୍କ ସମ୍ବନ୍ଧରେ ନିଶ୍ଚିନ୍ତ ହେଲେ ।

ସେହିଦିନଠାରୁ ନରେନ୍ଦ୍ରଙ୍କ ଧର୍ମଜୀବନର ଶିକ୍ଷାଦୀକ୍ଷା ଆରମ୍ଭ ହେଲା । ଦକ୍ଷିଣେଶ୍ୱରକୁ ତାଙ୍କର ଯାତାୟତ କ୍ରମେ ବଢ଼ି ଚାଲିଲା । ନରେନ୍ଦ୍ରଙ୍କ ବିଚାରଶୀଳ ମନ; ସେ ପରମହଂସଦେବଙ୍କର ପ୍ରତ୍ୟେକଟି କଥା ଓ ଆଚରଣ ପରଖି ନେଉଥାନ୍ତି । ତାଙ୍କୁ ମଧ୍ୟ ସେ ଏକ ପ୍ରଶ୍ନ ପଚାରିଥିଲେ, ‘ଆପଣ କଅଣ ଈଶ୍ୱରଙ୍କୁ ଦେଖିଛନ୍ତି ?’ ଶ୍ରୀରାମକୃଷ୍ଣ ତତ୍କ୍ଷଣାତ୍ ଉତ୍ତର ଦେଲେ, ‘ଦେଖିଛି କଅଣରେ ! କଥା ମଧ୍ୟ କହିଛି । ଏଇ ତତେ ଯେମିତି ଦେଖୁଛି ତା’ଠାରୁ ବି ଭଲଭାବେ ତାଙ୍କୁ ଦେଖିବାକୁ ପାଏ । ତୁ ଦେଖିବାକୁ ଚାହୁଁ ତ ତତେ ବି ଦେଖାଇଦେବି । କିନ୍ତୁ କେତେଜଣ ବା ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି ?’

ଶ୍ରୀରାମକୃଷ୍ଣଙ୍କର ଶିକ୍ଷା ଫଳରେ ନରେନ୍ଦ୍ର ବୁଝିଲେ ଯେ ପ୍ରତ୍ୟେକ ଧର୍ମ ହିଁ ସତ୍ୟ । ଶିବଜ୍ଞାନରେ ଜୀବସେବା ଭଗବାନଙ୍କର ଶ୍ରେଷ୍ଠ ପୂଜା । ତେଣୁ ସେ ପରବର୍ତ୍ତୀ କାଳରେ ଘୋଷଣା କରିଥିଲେ, ‘ବହୁ ରୂପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ୱର ! ଜୀବେ ପ୍ରେମ କରେ ଯେଉଁ ଜନ, ସେହି ଜନ ସେବଇ ଈଶ୍ୱର ।’ ଶ୍ରୀରାମକୃଷ୍ଣ କହୁଥିଲେ, ‘ନରେନ୍ଦ୍ରର ଖୁବ୍ ଉଚ୍ଚ ଘର । ନିରାକାରର ଘର । ଦିନେ ପ୍ରସିଦ୍ଧ ବ୍ରାହ୍ମନେତା କେଶବଚନ୍ଦ୍ର ସେନ୍ ଓ ବିଜୟକୃଷ୍ଣ ଗୋସ୍ୱାମୀଙ୍କ ସଙ୍ଗେ ତୁଳନା କରି ସେ କହିଥିଲେ, କେଶବ ଓ ବିଜୟ, ଏ ଦୁଇଜଣଙ୍କ ଅନ୍ତରରେ ଈଶ୍ୱରୀୟ ଜ୍ଞାନ ପ୍ରଦୀପ ପରି ଜଳୁଛି, ଆଉ ନରେନ୍ ଭିତରେ ସେ ଜ୍ଞାନର ଦୀପ୍ତି ସୂର୍ଯ୍ୟପରି ତେଜୀୟାନ୍ ।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button