ଦେଶ ବିଦେଶ

ହମାସ୍‌ ଓ ପୁଟିନ୍‌ଙ୍କୁ ଜିତାଇ ଦେବୁନାହିଁ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ – Utkal Mail


ୱାସିଂଟନ୍‌: ହମାସ୍‌ ଓ ପୁଟିନ୍‌ଙ୍କୁ ବିଜୟମଣ୍ଡିତ କରାଇ ଦେବୁ ନାହିଁ ବୋଲି ଗୁରୁବାର ଦିନ ଓଭାଲ୍‌ ଅଫିସ୍‌ରୁ ଜାତି ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନ ଶେଷରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରିଛନ୍ତି।

ରାଷ୍ଟ୍ରପତି ବାଇଡେନ୍‌ କହିଲେ, ହମାସ୍‌ ଓ ପୁଟିନ୍‌ଙ୍କ ଆତଙ୍କ ଓ ସ୍ବେଚ୍ଛାଚାର ପୃଥକ୍‌ ବିପଦର ପ୍ରତିନିଧିତ୍ବ କଲେ ମଧ୍ୟ ସେମାନଙ୍କ ଉଦ୍ଦେଶ୍ୟରେ ସମାନତା ରହିଛି। ଉଭୟ ପଡ଼ୋଶୀ ରାଷ୍ଟ୍ରମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ନଷ୍ଟ କରିବାକୁ ଚାହାନ୍ତି।

ଗାଜା ଷ୍ଟ୍ରିପ୍‌ରେ ଥାଇ ଚଳିତ ଅକ୍ଟୋବର ୭ରେ ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀ ଓ ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍‌ ଆକ୍ରମଣ କରିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କାର୍ଯ୍ୟନୁଷ୍ଠାନକୁ ଉଦ୍ଦେଶ୍ୟ କରି ବାଇଡେନ୍‌ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

Image Courtesy of NDTV

ଯଦି ଏଭଳି ଆନ୍ତର୍ଜାତିକ ଶତ୍ରୁତା ଲାଗି ରହେ ତେବେ ବିଶ୍ବର ଅନ୍ୟ ପ୍ରାନ୍ତଗୁଡ଼ିକୁ ସଂଘର୍ଷ ଓ ବିବାଦ ବ୍ୟାପିଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ଓ ଇସାଏଲ୍‌ ଲାଗି ବ୍ୟାପକ ଅର୍ଥ ମଞ୍ଜୁର କରିବା ଲାଗି ସେ କଂଗ୍ରେସକୁ କହିବେ। ଯୁକ୍ତି ଦର୍ଶାଇ ସେ କହିଛନ୍ତି ଯେ, ଏହା ହେବ ବିଶ୍ବ ନେତା ଭାବ‌େ ଯୁକ୍ତରାଷ୍ଟ୍ର ଆମେରିକାର ଭବିଷ୍ୟତ ପାଇଁ ବିନିଯୋଗ। ଏହି ବିନିଯୋଗର ସୁଧ ଭାବେ ପିଢ଼ି ପରେ ପିଢ଼ି ଆମେରିକୀୟମାନଙ୍କୁ ସୁରକ୍ଷା ଯୋଗାଇ ଦେବ। କାରଣ ଆମେରିକାର ମିତ୍ରମାନେ ଆମ୍ଭମାନଙ୍କୁ ଓ ଆମେରିକାକୁ ସୁରକ୍ଷିତ ରଖିଛନ୍ତି। ଆମେରିକୀୟ ମୂଲ୍ୟବୋଧ ଯୋଗୁଁ ଅନ୍ୟ ରାଷ୍ଟ୍ରମାନେ ଆମ ସହିତ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଗାଜାରେ ପଣବନ୍ଦୀ ଥିବା ଆମେରିକୀୟମାନଙ୍କ ସୁରକ୍ଷା ନିମନ୍ତେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି ବୋଲି ରାଷ୍ଟ୍ରପତି ବାଇଡେନ୍‌ ଏହି ଉଦ୍‌ବୋଧନରେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button