ଡିଜିଟାଲ୍ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା: ୬ ବର୍ଷରେ ୫ ଦଶନ୍ଧିର ଯାତ୍ରା – Utkal Mail
ନୂଆଦିଲ୍ଲୀ: ଭାରତର ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା ବୋଲି କହିଛି। ଭାରତ ଆୟୋଜନ କରୁଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏକ ଦସ୍ତାବିଜରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ ୟୁପିଆଇ, ଜନଧନ, ଆଧାର, ଓଏନ୍ଡିସି ଓ କୋୱିନ୍ ଜରିଆରେ ଭାରତ ଏକ ଦୃଢ଼ ସାର୍ବଜନୀନ ଡିଜିଟାଲ୍ ଭିତିଭୂମି ବିକାଶ କରିପାରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିଚାଳିତ ସରକାର ଡିଜିଟାଲ୍ ଭିତ୍ତିଭୂମି ପାଇଁ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଓ ପ୍ରସ୍ତୁତ କରିଥିବା ନୀତି ନିୟମ ଉପରେ ବିଶ୍ବବ୍ୟାଙ୍କ ଆଲୋକପାତ କରିଛି। ଜନଧନ, ଆଧାର ଓ ମୋବାଇଲ୍ (ଜେଏଏମ୍) ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ତ୍ବରାନ୍ବିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୮ରେ ଭାରତର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହାର ୨୫% ଥିଲା ଯାହା ଗତ ୬ ବର୍ଷ ଭିତରେ ୮୦ ପ୍ରତିଶତରୁ ଅଧିକ ହୋଇପାରିଛି। ଭାରତର ଡିଜିଟାଲ୍ ଭିତ୍ତିଭୂମି କେବଳ ସରକାରୀ କ୍ଷେତ୍ର ନୁହେଁ, ଘରୋଇ କ୍ଷେତ୍ରରେ ମଧ୍ୟ ବିପ୍ଳବ ଆଣିପାରିଛି। ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ପାରଦର୍ଶୀ ହୋଇପାରିଛନ୍ତି। ସେମାନଙ୍କ ଏମ୍ଏସ୍ଏମ୍ଇ ଋଣ ପ୍ରଦାନ ହାର ୮ ପ୍ରତିଶତ ବଢ଼ିଥିବା ବେଳେ ଖର୍ଚ୍ଚ ୬୫ ପ୍ରତିଶତ କମ୍ ହୋଇଛି ଓ ଠକେଇରେ ହେଉଥିବା ହାନି ୬୬ ପ୍ରତିଶତ ହ୍ରାସ ପାଇଛି ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।
ୟୁପିଆଇ ସମ୍ପର୍କରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ କେବଳ ୨୦୨୩ର ମେ’ରେ ୧୪.୮୯ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଛି। ମାସିକ ପ୍ରାୟ ୧୦୦୦ କୋଟି ଥର ୟୁପିଆଇ କାରବାର ହେଉଛି। ୨୦୨୨-୨୩ର ୟୁପିଆଇ କାରବାର ଭାରତର ଜିଡିପିର ୫୦% ପାଖାପାଖି ପହଞ୍ଚିଛି। ୟୁପିଆଇ ପେ’ ଜରିଆରେ ସୀମାପାର ଆର୍ଥିକ କାରବାରକୁ ଦ୍ରୁତ, ସୁଲଭ ଓ ଅଧିକ ପାରଦର୍ଶୀ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବବ୍ୟାଙ୍କ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଦ୍ରୁତ ଅଭିବୃଦ୍ଧି ଓ ନବସୃଜନର ଏହା ହେଉଛି ପ୍ରମାଣ। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଜରିଆରେ ଭାରତ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ବହୁ ଆଗକୁ ବଢ଼ିଛି। ବିଶ୍ବବ୍ୟାଙ୍କ ପ୍ରସ୍ତୁତ କରିଥିବା ଜି୨୦ ଦସ୍ତାବିଜରେ ଭାରତର ଅଭିବୃଦ୍ଧି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ଭାରତ ୬ ବର୍ଷରେ ଯେଉଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ସେଥିପାଇଁ ପାରମ୍ପରିକ ବାଟରେ ଯାଇଥିଲେ ୪୭ ବର୍ଷ ସମୟ ଲାଗିଥାନ୍ତି। ଏହି ସଫଳତା ପାଇଁ ସେ ଦୃଢ଼ ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମି ଓ ଭାରତୀୟଙ୍କ ଭାବକୁ ପ୍ରଶଂସା କରିଛନ୍ତି। ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଡିଜିଟାଲ ପ୍ରକ୍ରିୟାରୁ କୌଣସି ଗୋଟିଏ କ୍ଷେତ୍ର ବି ବାଦ ପଡ଼ିନାହିଁ। ସରକାରଙ୍କ ପ୍ରତିଟି କ୍ଷେତ୍ରରେ ଏହାର ପ୍ରତିଫଳନ ରହିଛି। ଭାରତର ଡିଜିଟାଲ୍ ଭିତ୍ତିଭୂମିରେ ଆଉ ୨୦-୩୦ ନୂଆ ଆପ୍ଲିକେସନ ଯୋଡ଼ିହେବ ବୋଲି ସେ କହିଛନ୍ତି।