ଓଡିଶା

ଗଞ୍ଜେଇ କାରବାର ଓ ଚାଷ ବିରୋଧରେ କନ୍ଧମାଳ ପୋଲିସର ଅଭିଯାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପୋଲିସ ବେଆଇନ ଗଞ୍ଜେଇ କାରବାର ଓ ଲୁଚାଛପାରେ ଏହି ନିଷିଦ୍ଧ ଦ୍ରବ୍ୟର ଚାଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ସେହି କ୍ରମରେ ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ ୩୦୦ ଏକରରୁ ଅଧିକ ଜମିରେ ହୋଇଥିବା ଗଞ୍ଜେଇ ଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି କନ୍ଧମାଳ ପୋଲିସ ବିଭାଗ।

ମୁଖ୍ୟତଃ ପୋଲିସ ବିଭାଗ ଏବଂ ଏଥିସହ ଅବକାରୀ ଓ ରାଜସ୍ବ ବିଭାଗ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରାଉଛନ୍ତି। କେବଳ ଧରପଗଡ଼ କରି ଚୋରାଚାଲାଣ ପୂର୍ବରୁ ଏହି ନିଷିଦ୍ଧ ନିଶା ସାମଗ୍ରୀ ଧରୁନାହାନ୍ତି ବରଂ ଏଥିସହ ଜଙ୍ଗଲ ଓ ପାହାଡ଼ ତଳେ ହେଉଥିବା ଗଞ୍ଜେଇ ଫସଲ ଉଚ୍ଛେଦ କରିବା ସହ ତାହାକୁ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି। ବିଶେଷ କରି ଶୀତ ଋତୁରେ ଜିଲ୍ଲାର ଦୁର୍ଗମ ଇଲାକାରେ ଗଞ୍ଜେଇ ଗଛ ଲଗାଯାଉଛି। ଏହା ପଛରେ ରହିଥାନ୍ତି ଗଞ୍ଜେଇ ମାଫିଆ ଓ ମାଓବାଦୀ ସମର୍ଥକ। ଦୁର୍ଗମ ଇଲାକାରେ ହେଉଥିବାରୁ ମାଓବାଦୀମାନେ ଏହାର ପୃଷ୍ଠପୋଷକ ଭାବେ ଚାଷ କରୁଥିବା ଆଦିବାସୀ ଓ ମାଫିଆ ମାନଙ୍କୁ ସୁରକ୍ଷା ଦେଇଥାନ୍ତି। ସୁରକ୍ଷା ବାହିନୀ ବିରୋଧରେ ଯୁଦ୍ଧ ତଥା ରକ୍ତପାତ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଏହା ସେମାନଙ୍କ ପାଇଁ ସହଜ ପନ୍ଥା ପାଲଟିଛି। କମ୍ ପରିଶ୍ରମରେ ଅଧିକ ଆୟ ଉପାର୍ଜନ କରିଥାନ୍ତି ସେମାନେ ଓ ସେହି ଲୋଭ ଦେଖାଇ ନିରୀହ ଆଦିବାସୀ ଓ ଯୁବକଙ୍କୁ ଏହି ଅପରାଧିକ କାର୍ଯ୍ୟକଳାପରେ ସାମିଲ ମଧ୍ୟ କରାଇଥାନ୍ତି।

ତେବେ କଠିନ ଭୈଗୋଳିକ ପରିସ୍ଥିତି ଓ ପ୍ରତିକୂଳ ପରିବେଶ ସତ୍ତ୍ବେ ପୋଲିସ ବାହିନୀ ନେତୃତ୍ବରେ ଗଞ୍ଜେଇ ଚାଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ଦୁଇ ଦିନ ମଧ୍ୟରେ ଫୁଲବାଣୀ ସଦର ଥାନା, ଗୋଚ୍ଛାପଡା ଥାନା, ବାଲିଗୁଡ଼ା ଥାନା ଇଲାକାରେ ୩୦୦ ଏକରରୁ ଅଧିକ ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ସଦର ଥାନା ପୋଲିସ ତତ୍ତ୍ୱାବଧାନରେ କେରେଡ଼ି ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ମିଳିତ ଚଢ଼ଉ କରାଯାଇ ପ୍ରାୟ ୯୦ ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ବେଳେ ମାଜିଷ୍ଟ୍ରେଟ ବିରଞ୍ଚି କହଁର, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଏବଂ ଏକ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ସାମିଲ ଥିଲେ। ସେହିପରି ଗୋଚ୍ଛାପଡା ଥାନା ପୋଲିସ ପ୍ରାୟ ୧୦୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଦେଇଛି। ସେପଟେ ବାଲିଗୁଡ଼ା ଥାନା ପୋଲିସ ଓ ଅବକାରୀ ବିଭାଗ ସିଦ୍ରିଗାଁ ପଞ୍ଚାୟତର ପୃଥକ୍ ସ୍ଥାନରେ ମିଳିତ ଚଢ଼ଉ କରି ୧୧୫ ଏକର ଜାଗାରୁ ଗଞ୍ଜେଇ ଗଛ କାଟି ଜାଳି ଦିଆଯାଇଛି। ଚଢ଼ଉ ବେଳେ ଏସ୍‌ଡିପିଓ ଜି.ଆର୍. ରାଘବେନ୍ଦ୍ର (ଆଇପିଏସ୍), ଥାନାଧିକାରୀ ବାବା ଶଙ୍କର ସରାଫ ନେତୃତ୍ବ ନେଇଥିଲେ। ବିଭିନ୍ନ ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button