ଶ୍ରୀଜେଶ୍ଙ୍କ ୩୦୦ ତମ ମ୍ୟାଚ୍: ଫାଇନାଲ୍ରେ ଭାରତ – Utkal Mail
ଚେନ୍ନାଇ: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ପୁଣି ତାହାର ଆଧିପତ୍ୟ ବଜାୟ ରଖି ଫାଇନାଲ୍ରେ ପହଞ୍ଚିଛି। ଫାଇନାଲ୍ରେ ଭାରତର ମୁକାବିଲା ମାଲେସିଆ ସହିତ ହେବ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ୫-୦ ଗୋଲ୍ରେ ଜାପାନ୍କୁ ପରାସ୍ତ କରିଥିଲା। ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ମାଲେସିଆ ପୂର୍ବତନ ବିଜେତା ଦକ୍ଷିଣ କୋରିଆକୁ ୬-୨ ଗୋଲ୍ରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲା। ପଞ୍ଚମ ସ୍ଥାନ ମ୍ୟାଚ୍ରେ ପାକିସ୍ତାନ ୬-୧ ଗୋଲ୍ରେ ଚୀନ୍କୁ ହରାଇଛି।
ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ଭାରତ ଖାତା ଖୋଲିବା ସହ ଲଗାତାର ତିନିଟି ଗୋଲ୍ ସ୍କୋର କରିଥିଲା। ଆକାଶଦୀପ ସିଂହ (୧୯ ମିନିଟ୍) ପ୍ରଥମ ଗୋଲ୍ ଦେଇଥିଲା ବେଳେ ଅଧିନାୟକ ହର୍ମନପ୍ରୀତ୍ ସିଂହ (୨୩ ମିନିଟ୍) ପେନାଲ୍ଟି କର୍ଣ୍ଣରରୁ ଦ୍ବିତୀୟ ଗୋଲ୍ ଦେଇଥିଲେ। ମନଦୀପ ସିଂହ (୩୦ ମିନିଟ୍) କ୍ବାର୍ଟରର ଶେଷ ସମୟରେ ଗୋଲ୍ ଦେଇ ବ୍ୟବଧାନ ୩-୦ କରିଥିଲେ। ଏତିକିରେ ଭାରତୀୟ ଖେଳାଳି ସନ୍ତୁଷ୍ଟ ରହିନଥିଲେ। ତୃତୀୟ କ୍ବାର୍ଟରରେ ସୁମିତ (୩୯ ମିନିଟ୍) ଏବଂ ଶେଷ କ୍ବାର୍ଟରରେ କର୍ତ୍ତି ସେଲ୍ଭମ୍ (୫୧ ମିନିଟ୍) ଫିଲ୍ଡ ଗୋଲ୍ ଜରିଆରେ ବିଜୟ ମୁଣ୍ଡି ମାରିଥିଲେ।
ଶ୍ରୀଜେଶ୍ଙ୍କ ୩୦୦ ତମ ମ୍ୟାଚ୍
ଭାରତୀୟ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶ ୩୦୦ତମ ଆନ୍ତର୍ଜାତିକ ମ୍ୟାଚ୍ର ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ଶୁକ୍ରବାର ଜାପାନ୍ ବିପକ୍ଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ସେମିଫାଇନାଲ୍ରେ ଶ୍ରୀଜେଶ ଏହି ମାଇଲଖୁଣ୍ଟ ମ୍ୟାଚ୍ ଖେଳିଥିଲେ। ତାଙ୍କର ଦକ୍ଷତା ଓ ଅଭିଜ୍ଞତା ଯୋଗୁଁ ଭାରତ ଏହି ମ୍ୟାଚ୍ରେ ଗୋଟିଏ ବି ଗୋଲ୍ ବରଣ କରିନଥିଲା। ଭାରତୀୟ ଦଳରେ ଶ୍ରୀଜେଶ ସବୁଠୁ ଅଧିକ ଆନ୍ତର୍ଜାତିକ ଅଭିଜ୍ଞତା ରଖିଥିବା ଖେଳାଳି ହୋଇପାରିଛନ୍ତି। ଭାରତ ପାଇଁ ସେ ୪ ବିଶ୍ବକପ୍ରେ ଖେଳିଛନ୍ତି। ୨୦୧୦ ବିଶ୍ବକପ୍ରେ ଭାରତ ପାଇଁ ପଦାର୍ପଣ କରିଥିବା ଶ୍ରୀଜେଶ ବିଶ୍ବକପ୍ ବ୍ୟତୀତ ୨୦୧୪, ୨୦୧୮, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୨, ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ଖେଳିସାରିଛନ୍ତି। ୨୦୨୧ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଇଥିଲା। ଏହାବ୍ୟତୀତ ୨୦୨୧ରେ ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ମଧ୍ୟ ପାଇଥିଲେ। ହକିରେ ଏକାଧିକ ପୁରସ୍କାରର ସେ ଅଧିକାରୀ ହୋଇଛନ୍ତି। ତାଙ୍କର ଏହି ମାଇଲ୍ଖୁଣ୍ଟ ମ୍ୟାଚ୍ ଅବସରରେ ଏଫ୍ଆଇଏଚ୍ ସଭାପତି ତୟବ ଇକ୍ରାମ୍, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ ଶ୍ରୀଜେଶଙ୍କୁ ଏକ ସ୍ମାରକୀ ଉପହାର ପ୍ରଦାନ କରିଥିଲେ।