ଓଡିଶା

କୋମାରେ ‘ଡାହାଣୀ ନିରୋଧ’ ଆଇନ: ମାମଲା ସଂଖ୍ୟା ବଢ଼ୁଛି, ୫ବର୍ଷରେ ଗଡ଼ିଲାଣି ୪୪ ମୁଣ୍ଡ

ଭୁବନେଶ୍ବର: ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଆଜି ବି ଓଡ଼ିଶାରେ ‘ଡାହାଣୀ’ ନାମକ ଅନ୍ଧବିଶ୍ବାସ ଦୂର ହୋଇନି। କୌଣସି ନା କୌଣସି କାରଣ ପାଇଁ ଜଣେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ହତ୍ୟା କରାଯାଉଛି। ଆଉ କେଉଁଠି ଗାଁରୁ ସାମାଜିକ ବାସନ୍ଦର ସାମ୍ନା କରିବାକୁ ପଡ଼ୁଛି। ଡାହାଣୀ ବିରୋଧରେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି ସତ ହେଲେ ଏହା ଏକପ୍ରକାର କୋମାରେ ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯେଉଁ ଭଳି ଢଙ୍ଗରେ କାମ କରିବା କଥା ତାହା କରୁନାହିଁ। ଯାହାଫଳରେ ରାଜ୍ୟରେ ପ୍ରତିବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଛି ଓ ଅନେକ ଜୀବନ ମଧ୍ୟ ଯାଉଛି। ଉଲ୍ଲେଖଥାଉକି, ୨୦୦୫ ମସିହାରୁ ଘରୋଇ ସ୍ତରରେ ରାଜ୍ୟରେ ଡାହାଣୀ ଜନିତ ମାମଲା ଓ ଏଥିପାଇଁ ହେଉଥିବା ହତ୍ୟାର ଡକ୍ୟୁମେଣ୍ଟେସନ ଆରମ୍ଭ ହୋଇଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ହେବା ପରେ ସରକାରୀ ସ୍ତରରେ ଏହାକୁ ରୋକିବା ପାଇଁ ଆଇନ ପ୍ରଣୟନ ହୋଇଥିଲା। ୧୯ ବର୍ଷ ପରେ ବି ଏଥିରେ ସୁଧାର ଆସିନି। ପୁଲିସ ତଥ୍ୟ ଅନୁସାରେ, ୨୦୧୮-୨୦୨୨ ମସିହା ଭିତରେ ରାଜ୍ୟରେ ସରକାରୀଭାବେ ୪୬୪ଟି ଏଭଳି ମାମଲା ପଞ୍ଜୀକୃତ ହୋଇଛି। ଏଥିରେ ମୟୂରଭଞ୍ଜରେ ସର୍ବାଧିକ ୧୬୯ ରହିଛି। ଏହାବ୍ୟତୀତ ରାୟଗଡ଼ା ୫୬, କେନ୍ଦୁଝର ୫୨, ସୁନ୍ଦରଗଡ଼ ୩୬, ଗଞ୍ଜାମ ୧୭, କଳାହାଣ୍ଡି ୧୦, ରାଉରକେଲା ୧୨, କୋରାପୁଟ ୧୫, ଯାଜପୁର ୭, ଜଗତସିଂହପୁର ୨, ଗଜପତି-ବୌଦ୍ଧ-କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ତେବେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ କୌଣସି ମାମଲା ରୁଜୁ ହୋଇନାହିଁ। ହେଲେ ଏ ଦିଗରେ କାମ କରୁଥିବା ବ୍ୟକ୍ତିବିଶେଷ କିନ୍ତୁ ସରକାରୀ ତଥ୍ୟକୁ ମାନିବାକୁ ନାରାଜ। ସେମାନଙ୍କ ମତରେ ଏହାଠାରୁ ଢେର୍ ଅଧିକ ଘଟଣା ଘଟୁଛି, ତଳେ ଚାପି ଦିଆଯାଉଛି।

ରାଜ୍ୟରେ ୨୦୧୪ ମସିହାରୁ ଡାହାଣୀ ନିରୋଧ ଆଇନ କାର୍ଯ୍ୟକାରୀ ହେଲାଣି। ଏଥିରେ କୌଣସି ମହିଳାଙ୍କୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କିମ୍ବା ସାମାଜିକ ବାସନ୍ଦ ପାଇଁ ବାଧ୍ୟ କରାଗଲେ ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଜେଲ ସହ ୫ହଜାର ଟଙ୍କା ଜରିମାନା ଆଦାୟର ନିୟମ ରହିଛି। କୌଣସି ବ୍ୟକ୍ତି ଦ୍ବିତୀୟଥର ଲାଗି ଏଭଳି କାର୍ଯ୍ୟରେ ଲିପ୍ତ ରହିଥିବା ସ୍ପଷ୍ଟ ହେଲେ ସର୍ବାଧିକ ୭ବର୍ଷ ପର୍ଯ୍ୟନ୍ତ ‌ଦଣ୍ଡାଦେଶ ସହ ୧୦ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। କେବଳ ସେତିକି ନୁହେଁ, ଆଇନକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୧୭ ମସିହାରେ ଏକ ସମ୍ମିଳିତ ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, ମହିଳା ଓ ଶିଶୁ ବିକାଶ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପୁଲିସ ଜରିଆରେ କେଉଁ କେଉଁ କାର୍ଯ୍ୟ କରାଯିବ ତାହା ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ଏସବୁ କେବଳ କାଗଜପତ୍ରରେ ହିଁ ସୀମିତ ରହିଛି।

ମାମଲା ସଂଖ୍ୟା ବଢ଼ୁଛି, ୫ବର୍ଷରେ ଗଡ଼ିଲାଣି ୪୪ ମୁଣ୍ଡ
ମୟୂରଭଞ୍ଜରେ ସର୍ବାଧିକ, ଉପକୂଳ ଓଡ଼ିଶାରେ କମ୍‌
ସରକାରଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଲେ ବିଶେଷଜ୍ଞ

ରାଜ୍ୟ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋଙ୍କ ମତରେ ଏହାକୁ ରୋକିବାକୁ ସରକାରୀ ସ୍ତରରେ ଯେଭଳି ଉଦ୍ୟମ ହେବା କଥା, ତାହା ପରିଦୃଷ୍ଟ ହେଉନାହିଁ। କେବଳ ଆଇନ କିମ୍ବା ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରିଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଅନେକ ସମୟରେ ଗଣମାଧ୍ୟମରେ ‘ମା’ ନୁହେଁ ଡାହାଣୀ’ ଭଳି ଶବ୍ଦର ବ୍ୟବହାର ମଧ୍ୟ ଲୋକଙ୍କ ମାନସିକ ସ୍ତରରେ ପ୍ରଭାବ ପକାଉଛି। ତେଣୁ ଗଣମାଧ୍ୟମ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ହେତୁବାଦୀ ଦେବେନ୍ଦ୍ର ସୂତାର କହିଛନ୍ତି, ଜଣକୁ ଡାହାଣୀ ଆଖ୍ୟା ଦିଆଯିବା ପଛରେ ଅନେକ ମନ୍ଦ ଉଦ୍ଦେଶ୍ୟ ଥିଲେ ହେଁ ପ୍ରମୁଖତାରେ ଅନ୍ଧବିଶ୍ବାସ ରହିଛି। ଅନେକ ସମୟରେ ମାନସିକ ରୋଗକୁ ଠିକ୍ ଭାବେ ବୁଝି ନ ପାରି ଡାହାଣୀର ଆଖ୍ୟା ଦିଆଯାଉଛି। ପ୍ରତିବର୍ଷ ଏଥିପାଇଁ ୬୦-୭୦ ଜୀବନ ଯାଉଛି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନେ ମୁଖ୍ୟତଃ ଗରିବ ଶ୍ରେଣୀର। ଏହି ଘଟଣା ପାଇଁ ସେମାନଙ୍କ ଜୀବନ ତଳିତଳାନ୍ତ ହୋଇଯାଉଛି। ଆଦିବାସୀ ଅଞ୍ଚଳରେ ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଯଦିଓ ଡାହାଣୀ ନିରୋଧ ଆଇନ ରହିଛି ଓ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି, ମାତ୍ର ଏହାର କାର୍ଯ୍ୟକାରିତାରେ ଶିଥିଳତା କାରଣରୁ ମାମଲା ବଢ଼ି ଚାଲିଛି।

କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏଥିପାଇଁ ଆଇନ ଓ ଆକ୍ସନ୍ ପ୍ଲାନ ରହିଛି। କିନ୍ତୁ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନ ପାରିବା କଥା ସତ। କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଏଜେନ୍ସିଙ୍କ ଭିତରେ ସମନ୍ବୟର ଅଭାବ ରହୁଛି। ଗୋଟିଏ ଗୋଟିଏ ମାମଲାର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ସଂଖ୍ୟକ ମାନବ ସମ୍ବଳର ଅଭାବ ରହିଛି। ଲୋକଙ୍କୁ ଯେଉଁଭଳି ଭାବେ ସଚେତନତା କରାଯିବା କଥା ତାହା ହେଉନାହିଁ ଏବଂ ଏହି ମାମଲାର ପ୍ରାକ୍ ସୂଚନା ସଂଗ୍ରହକୁ ଆବଶ୍ୟକ ଗୁରୁତ୍ବ ଦିଆଯାଉ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button