।ବିରୋଧୀ ଏକତାକୁ ବଡ଼ ଝଟ୍କା: ମେଣ୍ଟରୁ କଂଗ୍ରେସକୁ ହଟାଇବାକୁ ଦାବି କରିବ ଆପ୍

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟରେ ସହଯୋଗୀ ଦଳଙ୍କ ମଧ୍ୟରେ ଏବେ ତୀବ୍ର କନ୍ଦଳ ଦେଖିବାକୁ ମିଳିଛି। ଗୋଟିଏ ପଟେ ମେଣ୍ଟର ନେତୃତ୍ବକୁ ନେଇ ଟିଏମ୍ସି-କଂଗ୍ରେସ-ଶିବସେନା(ଉଦ୍ଧବ ଗୋଷ୍ଠୀ) ମଧ୍ୟରେ ମତଭେଦ ଲାଗି ରହିଥିବା ବେଳେ ଅନ୍ୟପଟେ ଫେବ୍ରୁଆରିରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ କଂଗ୍ରେସ ବିରୋଧରେ ଯୁଦ୍ଧ ଘୋଷଣା କରିଛି। କଂଗ୍ରେସ ବିଜେପିକୁ ସାହାଯ୍ୟ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଦେଶ ବିରୋଧୀ ବୋଲି ବର୍ଣ୍ଣନା କରି କଡ଼ା ସମାଲୋଚନା କରିଥିବା ବେଳେ ମାକେନ ଏବେ ବିଜେପିର ସଂଳାପ ପଢ଼ୁଛନ୍ତି ଏବଂ ବିଜେପିର ନିର୍ଦ୍ଦେଶରେ ବୟାନ ଦେଉଛନ୍ତି ବୋଲି ଆପ୍ କହିଛି। ମାକେନଙ୍କ ବିରୋଧରେ କଂଗ୍ରେସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ହଟାଇବା ପାଇଁ ଆପ୍ ଜୋରଦାର ଦାବି ରଖିବ ବୋଲି ଘୋଷଣା କରିଛି। ଆପ୍ର ଏହି ଚରମବାଣୀକୁ ନେଇ ଦିଲ୍ଲୀ କଂଗ୍ରେସ ଓ ଆପ୍ ନେତା ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଏବଂ ଆପ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ନେତାମାନେ ସଂକଳ୍ପ ଦୋହରାଇଛନ୍ତି।
କେଜ୍ରିୱାଲଙ୍କୁ ‘ଦେଶ ବିରୋଧୀ’, ‘ଠକେଇର ରାଜା’ କହିଲେ ମାକେନ
ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିବାର କିଛି ମାସ ପରେ ଏଭଳି ମୁକାବିଲାତ୍ମକ ସ୍ଥିତି ବିଜେପି ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି କୁହାଯାଉଛି। ୨୦୨୪- ସାଧାରଣ ନିର୍ବାଚନ ସମୟରେ ଉଭୟ ଦଳର ନେତାମାନେ ପରସ୍ପରର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ତେବେ କଂଗ୍ରେସ-ଆପ୍ର ମିଳିତ ପ୍ରୟାସକୁ ପଣ୍ଡ କରି ରାଜଧାନୀର ସମସ୍ତ ୭ଟି ଯାକ ଆସନରେ ବିଜେପି ବିଜୟୀ ହୋଇଥିଲା। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଚଣ୍ଡିଗଡ଼ରେ ମଧ୍ୟ ସେ କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆପ୍ ବାରମ୍ବାର କଂଗ୍ରେସ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ପରିସ୍ଥିତି ସଂପୂର୍ଣ୍ଣ ଓଲଟି ଯାଇଛି ଏବଂ ଉଭୟ ଦଳ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ‘କର ବା ମର’ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଂଗ୍ରେସ ନେତା କେଜ୍ରିୱାଲଙ୍କୁ ଦେଶଦ୍ରୋହୀ କହୁଥିବା ବେଳେ ଯୁବ କଂଗ୍ରେସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିବାରୁ କଂଗ୍ରେସକୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି ସଂଜୟ ସିଂହ କହିଛନ୍ତି।
ସିଂହ କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀରେ ଏବେ ସବୁ ସୀମା ଅତିକ୍ରମ କରାଯାଇଛି। ଅଜୟ ମାକେନ ଯେଉଁ ଦୁଃସାହସିକତା ଦେଖାଇଛନ୍ତି, ସେଥିପାଇଁ କଂଗ୍ରେସ ତାଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ନଚେତ୍ ଆମେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ହଟାଇବାକୁ ଦାବି କରିବୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, କଂଗ୍ରେସର କାର୍ଯ୍ୟକଳାପ ଏବଂ କଥାରୁ ସ୍ପଷ୍ଟ ହେଉଛି ଯେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଭିତିରି ହାତ ମିଳାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ, ନାଗରିକ ସୁବିଧା ଏବଂ ଆଇନ ଶୃଙ୍ଖଳାର ଅବ୍ୟବସ୍ଥା ପାଇଁ ଆପ୍ ଏବଂ ବିଜେପିକୁ ଟାର୍ଗେଟ କରି ଦିଲ୍ଲୀ କଂଗ୍ରେସ ଗତକାଲି ଏକ ୧୨ ସୂତ୍ରୀ ଶ୍ୱେତପତ୍ର ଜାରି କରିଛି। କଂଗ୍ରେସ ନେତା ମାକେନ ଏହାକୁ ନେଇ ଗଣମାଧ୍ୟମକୁ କହିଥିଲେ ଯେ କେଜ୍ରିୱାଲ ହେଉଛନ୍ତି ଜଣେ ଠକ ସେ ସେ ଠକେଇର ରାଜା। ତାଙ୍କର କାର୍ଯ୍ୟକଳାପ ଦେଶ ବିରୋଧୀ ଏବଂ ସେ ଦିଲ୍ଲୀବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ମାକେନ ବୟାନ ଦେଇଥିଲେ।
latest news
Surendra Tanti, RI post image
ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ
yu post image
ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି
tmanmohannn post image
କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି ଡ. ମନମୋହନ ସିଂହ?
krushna patra post image
ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ପୁଣି ପଞ୍ଜିକରଣ: କୃଷ୍ଣଚନ୍ଦ୍ର ପାତ୍ର
Don’t blame us for the plane crash post image
ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ: ଆମେରିକାକୁ ରୁଷିଆର ଜବାବ