ଦେଶ ବିଦେଶ

ଦଲେୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଜଟିଳ ସ୍ଥିତି: ସରକାର ଓ ଚାଷୀନେତାଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଫସଲ ପାଇଁ ଏମ୍‌ଏସ୍‌ପି ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କୁ ପଞ୍ଜାବ ସରକାର ହସ୍ପିଟାଲରେ ଭର୍ତ୍ତି କରିବାରେ ବିଫଳ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଏହାକୁ ସମାଲୋଚନା କରିବା ସହ ତାଙ୍କୁ ହସ୍ପିଟାଲ ନେବାକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକମାନଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ୩୩ ଦିନ ଧରି ବିନା ଖାଦ୍ୟରେ ଥିବା ଦଲେୱାଲଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବାରେ ବିଫଳ ହୋଇଥିବାରୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ପଞ୍ଜାବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ତୁରନ୍ତ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘କିଏ ଚାହୁଁଛନ୍ତି ଦଲେୱାଲ ରାସ୍ତାରେ ମରିଯାଆନ୍ତୁ? ସେ ଏକ ପ୍ରକାର ସହକର୍ମୀଙ୍କ ଚାପରେ ଥିବା ଜଣାପଡିଛି। ଦଲେୱାଲଙ୍କୁ ବିଶ୍ୱାସ ଜନ୍ମାନ୍ତୁ ଯେ ସେ ଡାକ୍ତରଖାନାରେ ମଧ୍ୟ ତାଙ୍କର ଅନଶନ ଜାରି ରଖିପାରିବେ। ଯେଉଁ କୃଷକ ନେତାମାନେ ଦଲେୱାଲଙ୍କୁ ଡାକ୍ତରଖାନା ଯିବାକୁ ଦେଉନାହାନ୍ତି, ସେମାନେ ତାଙ୍କର ଶୁଭେଚ୍ଛୁ ନୁହନ୍ତି’ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣରାଜନୈତିକ)ର ଆବାହକ ଦଲେୱାଲ ନଭେମ୍ବର ୨୬ ତାରିଖରୁ ଖାନୌରୀ ସୀମାରେ ଆମରଣ ଅନଶନରେ ବସିଛନ୍ତି।

ପଞ୍ଜାବ ଆଡ୍‌ଭୋକେଟ ଜେନେରାଲ ଗୁରମିନ୍ଦର ସିଂହ କହିଛନ୍ତି ଯେ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ଏବଂ ୮ ଜଣିଆ ଡାକ୍ତରୀ ଦଳ ଚାଷୀନେତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ଦଲେୱାଲଙ୍କୁ ମନାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପୂରା ଜାଗା ଘେରାଉରେ ଅଛି, କୃଷକ ନେତାମାନେ ଟ୍ରାକ୍ଟର ଟ୍ରଲିଗୁଡ଼ିକୁ ୱେଲ୍ଡିଂ କରି ରଖିଛନ୍ତି, କୃଷକମାନଙ୍କ ମେଳିକୁ ନେଇ ଆମେ ଅସହାୟ ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି। ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରି ଜଷ୍ଟିସ ଧୁଲିଆ ଏହା ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ବ୍ୟତୀତ ଆଉ କିଛି ନୁହେଁ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ଆପଣ ସମସ୍ୟା ସୃଷ୍ଟି କରିଛନ୍ତି ଏବଂ ଏବେ ଆପଣ କହୁଛନ୍ତି ଆପଣ କିଛି କରିପାରିବେ ନାହିଁ। ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ କାହିଁକି ମାମଲା ରୁଜୁ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସୁପ୍ରିମ୍‌କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ପଞ୍ଜାବ ସରକାର କୋର୍ଟଙ୍କ ପୂର୍ବ ନିର୍ଦେଶ ପାଳନ ପାଇଁ ଯେଉଁ ପ୍ରୟାସ କରିଛନ୍ତି, ସେଥିରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୩୧ରେ ହେବ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button