ଓଡିଶା

ସାପୁଆ ଡ୍ୟାମ୍‌ ତଳ ଜମି ପଡ଼ିଆ : ଦିଶାହୀନ ଡ୍ୟାମ୍‌ ପରିଚାଳନା, ପାଣି ମାଡ଼ୁନି

ର‌ାସୋଳ: ଚାଷଜମିକୁ ଜଳସେଚନ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଦଣ୍ଡିରିସ୍ଥିତ ସାପୁଆ ଡ୍ୟାମ୍‌ ଯୋଜନା ହୋଇଥିଲା। କିନ୍ତୁ ଡ୍ୟାମ୍‌ ନିର୍ମାଣର ବହୁବର୍ଷ ପରେ ମଧ୍ୟ ଏହି ସ୍ବପ୍ନ ପୂରଣ ହୋଇପାରୁ ନାହିଁ। ଦୀପତଳ ଅନ୍ଧାର ଭଳି ସାପୁଆ ଡ୍ୟାମ୍‌କୁ ଲାଗିଥିବା ଚାଷଜମିକୁ ବି ପାଣି ମାଡ଼ୁପାରୁ ନାହିଁ।

ଦିଶାହୀନ ଡ୍ୟାମ୍‌ ପରିଚାଳନା, ପାଣି ମାଡ଼ୁନି
ଶାଖା କେନାଲ ଶୁଖିଲା

ହିନ୍ଦୋଳ ବ୍ଲକ୍‌ର ରାସୋଳ, ଦଣ୍ଡିରି, କୁନୁଆ, ବୁହାଳିପାଳ, କଳିଙ୍ଗା ଓ ନୂଆବଗ ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କ୍ଷୁଦ୍ର ସେଚନ ପ୍ରକଳ୍ପ। ୮୫୦ ହେକ୍ଟରରେ ପରିବ୍ୟାପ୍ତ ଏହି ଡ୍ୟାମ୍‌ ମାଧ୍ୟମରେ ପ୍ରାୟ ୨୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ବିଶେଷ କରି ଖରିଫ୍‌ ଚାଷ ସମୟରେ ଚାଷୀ ଡ୍ୟାମ୍‌ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଆନ୍ତି। କିନ୍ତୁ ପରିଚାଳନାଗତ ତ୍ରୁଟି ଲାଗି ଏହା ସଫଳ ହୋଇପାରୁ ନାହିଁ। ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷୀ ଠିକ୍‌ ସମୟରେ ଆବଶ୍ୟକ ମୁତାବକ ପାଣି ପାଏନି। ତେଣୁ ଡ୍ୟାମ୍‌ ପାଣି କେନାଲ୍‌ରେ ଗଲେ ସେମାନେ ଚାଷବାସ କରନ୍ତେ। ହେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ କେତେବେଳେ ପାଣି ଛାଡ଼ୁଛନ୍ତି ତ କେବେ ନାହିଁ। ତେଣୁ ବିଭାଗୀୟ ଅଧିକାରୀ ଓ ଜଳ ପରିଚାଳନା ଦାୟିତ୍ୱରେ ଥିବା ପାଣି ପଞ୍ଚାୟତର ଅବହେଳା ଯୋଗୁଁ ସବୁବେଳେ ସମସ୍ୟା ସୃଷ୍ଟି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଡ୍ୟାମ୍‌ରେ ଜଳ‌ଧାରଣ କ୍ଷମତାର ପ୍ରାୟ ୯୫ ପ୍ରତିଶତ ଜଳ ଏବେ ରହିଛି। ତଥାପି ମୁଖ୍ୟ କେନାଲ୍‌ରେ ପାଣି ଆସୁନି। ଏହି ମୁଖ୍ୟ କେନାଲ୍‌ ସାପୁଆରୁ ବାହାରି ନୂଆବଗ ପଞ୍ଚାୟତର ବଡ଼ଯୋରା ପର୍ଯ୍ୟନ୍ତ ଯାଇଛି। ମୁଖ୍ୟ କେନାଲରେ ପାଣି ନ ଥିବାରୁ ଶାଖା କେନାଲ ବି ଶୁଖିଲା। ତେଣୁ ଧାନ ଚାଷ ଛଡ଼ା ସ୍ଥ‌ାନୀୟ ଅଞ୍ଚଳର ଚାଷୀ ଆଉ କିଛି କରିପାରୁ ନାହାନ୍ତି। ପାହାଡ଼ ତଳ ଜମି ହୋଇଥିବାରୁ ଜଳସେଚନ ଏଠାକାର ପ୍ରମୁଖ ସମସ୍ୟା। ବୋରିଂ କିମ୍ବା କୂଅ ଚାଷୀଙ୍କ ଲାଗି ସ୍ବପ୍ନ।

ଉଲ୍ଲେଖଯୋଗ୍ୟ ଯେ୧୯୯୨ ମସିହାରେ ତିଆରି ହୋଇଥିଲା ସାପୁଆ ଡ୍ୟାମ୍‌। ଦୁଇଟି ପାହାଡ଼କୁ ଯୋଡ଼ି ଝରଣା ପାଣିକୁ ଅଟକାଇ ଜଳସେଚନ କରାଯାଇଥାନ୍ତା। ୩୦ବର୍ଷ ପରେ ମଧ୍ୟ ଡ୍ୟାମ୍‌ ତଳ ଜମି ଜଳସେଚନ ଅଭାବରୁ ପଡ଼ିଆ ପଡ଼ିବା ‌ଏହି ଯୋଜନାର କାର୍ଯ୍ୟକାରିତାକୁ ପଦାରେ ପକାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button