ଓଡିଶା

ବେସାମରିକ ପ୍ରତିରକ୍ଷା ପଙ୍ଗୁ! ୩୧ଟଙ୍କାରେ ଦିନେ ଖଟିବାକୁ ଆଗ୍ରହ ନାହିଁ

ଭୁବନେଶ୍ବର: ଯୁଦ୍ଧ ପରିସ୍ଥିତି ହେଉ କି କୌଣସି ଜରୁରିକାଳୀନ ବା ପ୍ରାକୃତିକ ବିପର୍ଯ୍ୟୟ; ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ୧୯୬୮ ମସିହାରୁ ଦେଶରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ନିଯୁକ୍ତି ବ୍ୟବସ୍ଥା ହୋଇଥିଲା। ଓଡ଼ିଶାରେ ଏହାର ଶାଖା କାର୍ଯ୍ୟ କରୁଛି। ହେଲେ ଏବେ ପରିସ୍ଥିତି ଏମିତି ହୋଇଛି ଯେ ଏହା ପଙ୍ଗୁ ହେବାକୁ ବସିଲାଣି। ଦିନେ ଡ୍ୟୁଟି କଲେ ମାତ୍ର ୩୧ଟଙ୍କା ମିଳୁଥିବାରୁ କେହି ସ୍ବେଚ୍ଛାସେବୀ ଏଥିରେ ଯୋଗଦେବାକୁ ଆଗ୍ରହ ଦେଖାଉନାହାନ୍ତି। ଯେଉଁମାନେ କାମ କରିବେ ବୋଲି ଭାବି ଏଥିରେ ଯୋଗଦେଇଥିଲେ ସେମାନଙ୍କୁ ନେତା, ମନ୍ତ୍ରୀଙ୍କ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏଣୁ ସେମାନେ ବି ଏହି ସଂସ୍ଥାରୁ ବାହାରିଯିବାକୁ ମନସ୍ଥ କଲେଣି।

ଓଡ଼ିଶାରେ ବେସାମରିକ ପ୍ରତିରକ୍ଷା ଶାଖା ଅଗ୍ନିସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା, ଡିଜିଙ୍କ ନେତୃତ୍ବରେ କାର୍ଯ୍ୟ କରୁଛି। କିନ୍ତୁ ଏହି ବିଭାଗର ଫୋକସ୍‌ କେବଳ ଅଗ୍ନିସେବା ଓ ଗୃହରକ୍ଷୀଙ୍କ ଉପରେ ରହିଛି। ଅତ୍ୟାଧୁନିକ ସରଞ୍ଜାମ କିଣା ହେଉ କି ନୂତନ ନିଯୁକ୍ତି, ‌ଦରମା ବୃଦ୍ଧି, ସରକାରୀ ସହାୟତା ଯୋଗାଇବା ସବୁ କେବଳ ଅଗ୍ନିଶମ ସେବା ଓ ଗୃହରକ୍ଷୀଙ୍କ ପାଇଁ ହେଉଛି। ଅଥଚ ବେସାମରିକ ପ୍ରତିରକ୍ଷା ପାଇଁ ସେମିତି କିଛି ଯୋଜନା ନାହିଁ। ବରଂ ସ୍ବେଚ୍ଛାକୃତ ଭାବେ ସେମାନେ ଯୋଗ ଦେଉଥିବାରୁ ସରକାର ବି ତାଙ୍କୁ ନିଜ ଇଚ୍ଛାରେ ବ୍ୟବହାର କରୁଥିବା ଅଭିଯୋଗ ହେଲାଣି। ଏହି ସଂସ୍ଥା ଯେ ସରକାରଙ୍କ ଫୋକସ୍‌ରେ ନାହିଁ, ଏହାର ସଦ୍ୟ ଉଦାହରଣ ହେଲା, ପ୍ରତିବର୍ଷ ଡିସେମ୍ବର ୬ରେ ବେସାମରିକ ପ୍ରତିରକ୍ଷାର ପ୍ରତିଷ୍ଠା ଦିବସ ବଡ଼ ଆଡ଼ମ୍ବରରେ ପାଳନ ହୁଏ। ଏହି ଦିନରେ ପ୍ରାୟ ୫୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ସାମିଲ୍ କରାଯାଏ। କିନ୍ତୁ ଚଳିତବର୍ଷ ଜଣେ ବି ସ୍ବେଚ୍ଛାସେବୀଙ୍କୁ ସାମିଲ କରାଗଲାନି କି ପ୍ରତିଷ୍ଠା ଦିବସ ଯେପରି ପାଳନ ହୁଏ ସେମିତି ହେଲାନି।

ଓଡ଼ିଶାରେ ପ୍ରାୟ ୫ହଜାରରୁ ଅଧିକ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ଅଛନ୍ତି। ଏହାର କାର୍ଯ୍ୟ ଭୁବନେଶ୍ବର, ରାଉରକେଲା ସମେତ ୯ଟି ଅଞ୍ଚଳରେ ଦୃଶ୍ୟମାନ ହୁଏ। ଏହି ସ୍ବେଚ୍ଛାସେବୀଙ୍କୁ ତତ୍କାଳୀନ ସରକାର କୋଭିଡ-୧୯ ମହାମାରୀ ବେଳେ ବିପର୍ଯ୍ୟୟ ପରିଚାଳନା କାମରେ ଲଗାଇଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ଆକ୍ରାନ୍ତଙ୍କୁ ଖାଦ୍ୟ ଦେଲେ, ହସ୍ପିଟାଲକୁ ସ୍ଥାନାନ୍ତର କଲେ, ବ୍ୟାଙ୍କ, ପିଡିଏସ୍‌ ଦୋକାନ, ବଜାରରେ ଛିଡ଼ା ହୋଇ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରାଇଲେ। ଏହାପରେ ସରକାର ସେମାନଙ୍କ ଦକ୍ଷତାକୁ ଭୁଲିଗଲେ। ଏହାପରେ ଅମ୍ଫାନ୍‌, ୟଶ୍, ଦାନା ଭଳି ବାତ୍ୟା ଓଡ଼ିଶାରେ ମାଡ଼ ହୋଇଥିଲା। ଦୁଇ ଥର ବଡ଼ ବନ୍ୟା ହେଲାଣି। ହେଲେ କୌଣସି ଗୋଟିଏ ବି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉନାହିଁ। ବଡ଼ ବନ୍ୟା, ବାତ୍ୟା ମୁକାବିଲାରେ ସରକାର ଅଗ୍ନିଶମ ସେବା କର୍ମଚାରୀ, ଓଏସ୍‌ଡମାକୁ ବ୍ୟବହାର କଲେ। ଏପରିକି ଜିଲ୍ଲାପାଳମାନେ ଅନ୍ୟ ବିଭାଗର କର୍ମଚାରୀଙ୍କୁ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ କରୁଛନ୍ତି, ଅଥଚ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କୁ ଖୋଜୁନାହାନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନର ବି ସେହି ରାସ୍ତାରେ। ଉଦ୍‌ବେଗର ବିଷୟ ହେଉଛି, ବାହାନଗା ରେଳ ଦୁର୍ଘଟଣାବେଳେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ରାତି ତମାମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ହେଲେ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସେମାନଙ୍କୁ ଡକାଗଲାନି।

୩୧ଟଙ୍କାରେ ଦିନେ ଖଟିବାକୁ ଆଗ୍ରହ ନାହିଁ
ନୂଆ ସ୍ବେଚ୍ଛାସେବୀ ସାମିଲ ହେଉନାହାନ୍ତି
ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ କରାଯାଉନି
ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବାକୁ ହେବ: ଡିଜି

ଉପକୂଳ ସୁରକ୍ଷା ଦୃଷ୍ଟିରୁ ଦେଶ ପାଇଁ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଭାବେ ବିବେଚିତ ହେଉଛି। ଉପକୂଳରେ ଆବଶ୍ୟକୀୟ ସୁରକ୍ଷାକର୍ମୀ ନାହାନ୍ତି। ହେଲେ ପ୍ରଶିକ୍ଷଣ ନେଇଥିବା ୫ହଜାର ‌ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ମନୋବଳ ଭାଙ୍ଗିବାକୁ ଏବେ ରୀତିମତ ଷଡ଼୍‌ଯନ୍ତ୍ର ଚାଲିଛି। କୌତୂହଳ କଥା ହେଲା, ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କୁ ନିୟୋଜିତ କରାଯାଉଛି। ଏଥିପାଇଁ ଦିନକୁ ଭତ୍ତା ମିଳୁଛି ମାତ୍ର ୩୧ଟଙ୍କା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେସାମରିକ ପ୍ରତିରକ୍ଷାକୁ କାମରେ ଲଗାଯାଉ ନଥିବାରୁ ନିକଟରେ ଅର୍ଥ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଛି ଯେ ଯଦି ବେସାମରିକ ପ୍ରତିରକ୍ଷା କାମ କରୁନି ଏହାକୁ କାହିଁକି ବନ୍ଦ କରାଯିବନି? ଏଥିପାଇଁ କାହିଁକି ଅର୍ଥ ବରାଦ ହେଉଛି। ଏହାପରେ ଗୃହ ବିଭାଗ କ’ଣ ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା। ରାଜ୍ୟ ସରକାର କିପରି ବେସାମରିକ ପ୍ରତିରକ୍ଷାକୁ ଅଣଦେଖା କରୁଛନ୍ତି ତା’ର ଆଉ ଏକ ଉଦାହରଣ ହେଲା, ତତ୍କାଳୀନ ଓଡ଼ିଶା ଅଗ୍ନିସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଡିଜି ୨୦୨୨ ମସିହାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ଯେ ରାଜ୍ୟରେ ବେସାମରିକ ପ୍ରତିରକ୍ଷା କାର୍ଯ୍ୟ ବେଶ୍ ପ୍ରଶଂସନୀୟ। ହେଲେ ସେମାନଙ୍କୁ ବହୁତ କମ୍‌ ଭତ୍ତା ମିଳୁଛି। ଡ୍ୟୁଟି କଲେ ୩୧ଟଙ୍କା, ଟ୍ରେନିଂ ନେଲେ ଭତ୍ତା ବାବଦକୁ ୨୮ଟଙ୍କା ଦିନକୁ ମିଳୁଛି। ତେଣୁ ସେମାନଙ୍କୁ ଯଥାକ୍ରମେ ୩୨୬ଟଙ୍କା ଓ ୨୫୦ଟଙ୍କା ପ୍ରଦାନ କରାଯାଉ। ଏପରିକି ଦିନ ମଜୁରିଆଙ୍କୁ ଦୈନିକ ୩୨୬ଟଙ୍କା ମଜୁରି ମିଳୁଥିବାବେଳେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କୁ ସେତିକି ଭତ୍ତା ପ୍ରଦାନ କରାଯାଉ ବୋଲି ଚିଠି ଲେଖିଥିଲେ। ହେଲେ ଏହି ପ୍ରସ୍ତାବ ୩ବର୍ଷ ହେଲା ଫାଇଲ୍ ତଳେ ଚାପି ହୋଇଯାଇଛି।

ଓଡ଼ିଶା ଅଗ୍ନିସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟରେ ବେସାମରିକ ପ୍ରତିରକ୍ଷା କାର୍ଯ୍ୟ କରିବ କି ନାହିଁ ସେନେଇ ରାଜ୍ୟ ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବାକୁ ହେବ। ଏନେଇ ଆଲୋଚନା ଚାଲିଛି। ଏବେ ରାଜ୍ୟରେ ସବୁ ବ୍ଲକରେ ଅଗ୍ନିଶମ କେନ୍ଦ୍ର ଖୋଲିଲାଣି। ବିପର୍ଯ୍ୟୟ ପରିଚାଳନାରେ ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ନିୟୋଜିତ ହେଉଛନ୍ତି। ତେଣୁ ବେସାମରିକ ପ୍ରତିରକ୍ଷା ଓଡ଼ିଶାରେ ରହିବ ନା ବନ୍ଦ ହୋଇଯିବ, ଯଦି ରହିବ ତେବେ କିପରି କାମ କରିବ ସେନେଇ ସରକାର ଯାହା ନିଷ୍ପତ୍ତି ନେବେ ତାହା ଉପରେ ଏହାର ଭବିଷ୍ୟତ ନିର୍ଭର କରୁଛି।
ସୂଚନାଯୋଗ୍ୟ ଯେ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କୁ ଦିଲ୍ଲୀରେ ଦିନକୁ ୭୩୨ଟଙ୍କା, ରାଜସ୍ଥାନରେ ୫୯୦ଟଙ୍କା, ପଶ୍ଚିମବଙ୍ଗରେ ୫୬୫ଟଙ୍କା, ହରିୟାଣାରେ ୫୩୨ଟଙ୍କା, ବିହାରରେ ୪୦୦ଟଙ୍କା, କର୍ଣ୍ଣାଟକରେ ୩୦୦ଟଙ୍କା, ଆସାମରେ ୩୧୫ଟଙ୍କା, ଝାଡ଼ଖଣ୍ଡରେ ୨୫୦ଟଙ୍କା, ମହାରାଷ୍ଟ୍ର ଓ ତ୍ରିପୁରାରେ ୨୦୦ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଟି ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଭତ୍ତା ୫୦ଟଙ୍କାରୁ ବି କମ୍‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button