ଓଡିଶା

କଣାସ ଡାଇରିଆ: ୮୩ ଆକ୍ରାନ୍ତ, ସରକାରୀ ଭାବେ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: ପୁରୀ ଜିଲ୍ଲାର କଣାସ ବ୍ଲକ୍‌ରେ ଗତ ୮ଦିନ ହେବ ଡାଇରିଆ ଅଣାୟତ୍ତ ହୋଇପଡ଼ିଛି। ଜାଗୁଳେଇପଦର ଗାଁରୁ ଆରମ୍ଭ ହୋଇଥିବା ଡାଇରିଆ ଧୀରେ ଧୀରେ ଏକାଧିକ ଗାଁକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୮୩ଜଣ ଆକ୍ରାନ୍ତ ଓ ଜଣେ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ‌ଦିଆଯାଇଛି। ଦୟାନଦୀର ଦୂଷିତ ଜଳ ପିଇବା କାରଣରୁ ଡାଇରିଆ ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ନୀଳକଣ୍ଠ ମିଶ୍ର କହିଛନ୍ତି, ଚଳିତ ମାସ ଗୋଟିଏ ଭୋଜିରୁ ଝାଡ଼ାବାନ୍ତି ବ୍ୟାପିଥିଲା। ପ୍ରଥମେ ୧୦-୧୨ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପାଣି ସମସ୍ୟା ପାଇଁ ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। ଜାଗୁଳେଇପଦର ଗ୍ରାମରୁ ନୂଆଗାଁ, ଗୋପୀନାଥପୁର, ପାଇକମରା, କଳାପଦର, ନଈକୂଳପାଟଣା, ନୂଆ ଦୋକନ୍ଦା ପ୍ରଭୃତି ଗାଁକୁ ବ୍ୟାପିଥିଲା। ୮୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ତହିଁରୁ ୭୬ଜଣ ସୁସ୍ଥ ହୋଇସାରିଛନ୍ତି। ଜଣେ ଏଥିରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଅନ୍ୟମାନେ ନିର୍ଦ୍ଦିଷ୍ଟ ଭାବେ ଡାଇରିଆରେ ପ୍ରାଣ ହରାଇଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରହିଛି। ଗୋଟିଏ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି। ତେଣୁ ଏହା ହଇଜା ନୁହେଁ, ଡାଇରିଆ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

ବେସରକାରୀ ଭାବେ ୪ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ
ସଂଗୃହୀତ ୬ ଜଳ ନମୁନାରୁ ୪ ପିଇବା ଅନୁପଯୋଗୀ
ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା, ଆଉ ଏକ ଟିମ୍‌ର ଘଟଣାସ୍ଥଳ ପରିଦର୍ଶନ

ଡାଇରିଆ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରୁ ୬ଟି ଜଳ ନମୁନା ସଂଗ୍ରହ ହୋଇଥିଲା। ତହିଁରୁ ୪ଟି ନମୁନା ପିଇବା ଅନୁପଯୋଗୀ ରହିଛି। ସେହିପରି ଏହି ଅଞ୍ଚଳରେ ଡାଇରିଆ ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣାସ ଡାଇରିଆକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗର ଆଉ ଏକ ଟିମ୍‌ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମଧ୍ୟ ଆବଶ୍ୟକ ସହାୟତା ଓ ଡାଇରିଆ ବ୍ୟାପିବା ସମ୍ପର୍କିତ ତଦନ୍ତ ପାଇଁ ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ୩ଜଣ ସଦସ୍ୟ ବିଶିଷ୍ଟ ୧୨ଟି ଦଳ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଜାଗୁଲେଇପଦର, ନୂଆଁଗାଁରେ ୨ଟି ଆମ୍ବୁଲାନ୍ସ ଓ ବିଶେଷଜ୍ଞଙ୍କୁ କଣାସରେ ଚିକିତ୍ସା ସହାୟତା ପାଇଁ ମୁତୟନ କରାଯାଇଛି। ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଥିବା ଲୋକଙ୍କୁ ପ୍ରତିରୋଧକ ରୂପେ ‘ଡକ୍ସିସାଇକ୍ଲିନ୍’ ଦିଆଯାଉଛି। ୮୮ଟି ନଳକୂପକୁ କ୍ଲୋରିନ୍ ପକାଇ ବିଶୁଦ୍ଧ କରାଯାଇଛି। ଅବଶିଷ୍ଟ କୂପଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ବିଶୁଦ୍ଧୀକରଣ କରାଯିବ। ପାନୀୟ ଜଳଯୋଗାଣ କରୁଥିବା ପାଣି ଟ୍ୟାଙ୍କର ସଂଖ୍ୟାକୁ ୨୬କୁ ବୃଦ୍ଧି କରାଯାଇଛି। ଦୟାନଦୀର ସୁପର୍‌ କ୍ଲୋରିନେସନ୍ କରାଗଲା ପରେ ନରାଜ ବ୍ୟାରେଜ୍ ଉନ୍ମୁକ୍ତ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button