ଓଡିଶା

ଜବରଦଖଲକାରୀଙ୍କ ଠାରୁ ମଞ୍ଚକୁ ମୁକ୍ତ କରିବାକୁ ପଡ଼ିବ: ସୌମ୍ୟରଞ୍ଜନ

ଜଗତସିଂହପୁର: ନାଟକ ହେଉଛି ଅତିରଞ୍ଜନ। ଯେମିତି ବଡ଼ ପରିବର୍ତ୍ତନ ନ ହେଲେ ତାକୁ ନାଟକୀୟ ପରିବର୍ତ୍ତନ କୁହାଯାଏ ନାହିଁ। ଅତିରଞ୍ଜନର ଆବଶ୍ୟକତା ବୋଧେ ଏଇଥି ପାଇଁ ଅଛି ଯେଭଳି ମଞ୍ଚର ଆବଶ୍ୟକତା ଅଛି। ମଞ୍ଚ ନ ଥିଲେ ନାଟକ ହୁଏନା। କାରଣ ମଞ୍ଚ ଆମ ସମସ୍ତଙ୍କ ଉଚ୍ଚତା ବଢ଼ାଇ ଦିଏ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ। ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ତିନି ଦିନିଆ ଶାରଳା ନାଟକ ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଥିଲେ, ମଞ୍ଚ ଆମ ଉଚ୍ଚତା ବଢ଼ାଇଥିବାରୁ ଆପଣମାନଙ୍କୁ ଆମେ ସ୍ପଷ୍ଟ ଭାବେ ଦେଖାଯାଉଛୁ। ଯଦି ଆମେ ସମତଳରେ ଛିଡ଼ା ହୋଇ ଥାଆନ୍ତୁ ତା’ହେଲେ ଆପଣ ଦେଖିପାରି ନ ଥାନ୍ତେ। ଆଜି ମଞ୍ଚଟିକୁ ଅନ୍ୟମାନେ ମାଡ଼ି ବସିଛନ୍ତି। ଯେଉଁ ମଞ୍ଚରେ ନାଟକ ହେବା କଥା ସେହି ନାଟକ ମଞ୍ଚକୁ ଅନେକ ସଂଘ, ରାଜନୈତିକ ଦଳର ନେତା ମାଡ଼ି ବସିବା ଫଳରେ କଳାକାରଙ୍କ ପାଇଁ ମଞ୍ଚରେ ଆଉ ଜାଗା ନାହିଁ। ତେଣୁ ସେମାନେ ପରିବେଷଣ କରିବେ କିପରି? ସେଇଥି ପାଇଁ ମଞ୍ଚକୁ ଜବରଦଖଲକାରୀଙ୍କ ଠାରୁ ମୁକ୍ତ କରିବାକୁ ପଡ଼ିବ। କଳାକାରମାନେ ମଞ୍ଚକୁ ମୁକ୍ତ କରିବା ପାଇଁ ଗୋଟିଏ ଅଭିଯାନ ବା ଆନ୍ଦୋଳନ ଆରମ୍ଭ କରିବା ଦରକାର ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ। ଏଭଳି ଏକ ପ୍ରୟାସ ପାଇଁ ଉଦ୍ୟୋକ୍ତାଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ଅନ୍ୟତମ ଅତିଥି ଏସ୍‌ପି ଭବାନୀଶଙ୍କର ଉଦ୍‌ଗାତା କହିଲେ, ପ୍ରୋତ୍ସାହନ ମିଳିଲେ ନାଟକର ଉନ୍ନତି ହୋଇପାରିବ। ସେହିପରି ପୌର ନିର୍ବାହୀ ଅଧିକାରୀ ସୀମା ଜେନା, ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା, ଶାରଳା ନାଟକ ଉତ୍ସବର ସଭାପତି ଚିନ୍ମୟୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତା ଓ ନିର୍ଦ୍ଦେଶକ ରମାକାନ୍ତ ମିଶ୍ରଙ୍କୁ ‘କୃପାସିନ୍ଧୁ ମହାନ୍ତି ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ନାଟ୍ୟକାର ଭାଗୀରଥି ଦାସ, ସାମ୍ବାଦିକ ରାଧାକାନ୍ତ ମିଶ୍ର ଓ ମନୋଜ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍‌ଘାଟନୀ ସନ୍ଧ୍ୟାରେ ଭୁବନେଶ୍ବର ବିଦ୍ୟାଜନକ ସୃଜନା ଅନୁଷ୍ଠାନ ପକ୍ଷରୁ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ କାହାଣୀ ‘ମାଗୁଣିର ଶଗଡ଼’ ପରିବେଷଣ କରାଯାଇଥିବା ବେଳେ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଆଜିର କାର୍ଯ୍ୟକ୍ରମରେ ଶାରଳା ନାଟକ ଉତ୍ସବର ସମ୍ପାଦକ ସୋମନାଥ ପରିଡ଼ା, କଳାସମ୍ପାଦକ ଅଜୟ କୁମାର ଗୋଚ୍ଛାୟତ, ସଂଗଠନ ସମ୍ପାଦକ ସତ୍ୟବ୍ରତ ବିଶ୍ବାଳ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ସ୍ବାଇଁ, କ୍ରିଏଟିଭ୍ ହେଡ୍‌ ସୁଦୀପ୍ତ ସୁନ୍ଦର ସ୍ବାଇଁ, ଉପସଭାପତି କାଳୀକିଙ୍କର ମହାନ୍ତି, ସହସମ୍ପାଦକ ବିଧାନ ନାୟକ, ସହକୋଷାଧ୍ୟକ୍ଷ ସୁଦୀପ୍ତ ପରିଡ଼ା, ନାଟ୍ୟକର୍ମୀ ଶାରଦା ଦାସ, ଦିଲୀପ ଗୋଚ୍ଛାୟତ, ବିଜୟ କୁମାର ରାଉତ, ଶିକ୍ଷାବିତ ସୁଭାଷ ଚନ୍ଦ୍ର ରାଉତ, ଆଇନଜୀବୀ ନରେଶ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button