ଓଡିଶା

ପରିବେଶ ପାଇଁ ପରିମଳଙ୍କ ସାଇକେଲ ଯାତ୍ରା

ଭୁବନେଶ୍ବର: ରାସ୍ତାରେ ଗଡୁଛି ସାଇକେଲ। ଆଉ ନିଆରା ସାଇକେଲକୁ ଦେଖି ଘଡିଏ ଅଟକି ଯାଉଛନ୍ତି ପଥଚାରୀ। ଚାରିଚକିଆ ନିଆରା ସାଇକେଲ, ଆଉ ତାହାକୁ ଚଳାଉଛନ୍ତି ୫୬ ବର୍ଷୀୟ ପରିମଳ କାଞ୍ଜି। ଦିନକୁ ଦିନ ବଦଳୁଥିବା ଜଳବାୟୁ କୋଲକାତାର ପରିମଳଙ୍କୁ ବି ବ୍ୟଥିତ କରିଥିଲା। ତେଣୁ ଜନସଚେତନତା ପାଇଁ ସାଇକେଲ ଧରି ବାହାରି ପଡ଼ିଲେ ଭାରତ ଯାତ୍ରାରେ। ଭାରତକୁ ଅତି ନିକଟରୁ ବୁଝିବା ସହ ଜନସାଧାରଣଙ୍କ ମନରେ ପରିବେଶ ପ୍ରତି ଭଲ ପାଇବା ବଢ଼ାଇବା ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାରେ ବାହାରିଛନ୍ତି। ଯାହାକୁ ଭେଟୁଛନ୍ତି ତାଙ୍କୁ ଗଛ ଲଗାଇବାକୁ ନିବେଦନ କରୁଛନ୍ତି। ୨୦୨୧ରୁ ଆରମ୍ଭ ହୋଇଛି ପରିମଳଙ୍କ ଏହି ନିଆରା ଅଭିଯାନ।

ପ୍ରତ୍ୟେକ ବର୍ଷ ଜାନୁଆରି ମାସରେ ଆରମ୍ଭ ହୋଇଯାଏ ପରିମଳଙ୍କ ସାଇକେଲ ଯାତ୍ରା। ଭାରତର କୋଣ ଅନୁକୋଣରେ ପହଞ୍ଚି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି। ଯେଉଁ ବୟସରେ ଲୋକଙ୍କ ଅଣ୍ଟାପିଠି ଯନ୍ତ୍ରଣା ଆରମ୍ଭ ହୁଏ, ସେହି ବୟସରେ ଅଦ୍ଭୂତ କାର୍ଯ୍ୟ ହାତକୁ ନେଇଛନ୍ତି ପରିମଳ। ୪ଚକିଆ ସାଇକେଲ ‘କ୍ୟାମ୍ପର୍‌’ରେ କୋଲକାତାରୁ ଲଦାଖ ଯାଏଁ ଯାତ୍ରା ବି କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ କେବେ ସେ ହାର ମାନିନାହାନ୍ତି। ପରିବାର କହିଲେ ୨ ଛୁଆ ଓ ସ୍ତ୍ରୀ। କୋଲକାତାରେ ସଭିଏଁ ରହନ୍ତି। କୁକର୍‌, ଗ୍ୟାସ ଚୁଲା ମରାମତିର ଛୋଟ ଦୋକାନଟିଏ ଅଛି, ଯାହା ଏବେ ତାଙ୍କ ପୁଅ ସମ୍ଭାଳୁଛି। ଆଉ ସାଇକେଲ ହିଁ ତାଙ୍କ ଘର ପାଲଟିଛି। ପରିମଳ ନିଜେ ଡିଜାଇନ୍‌ କରିଛନ୍ତି ତାଙ୍କ ସାଇକେଲ ‘କ୍ୟାମ୍ପର୍‌’। ୪ ଚକର ସାଇକେଲ ‘କ୍ୟାମ୍ପର୍‌’ ଗୋଟିଏ ଘରଠାରୁ କିଛି କମ ନୁହେଁ। ସାଇକେଲ ଚଲାଇ ଥକିଗଲେ ଏହି ସାଇକେଲରେ ହିଁ ଶୋଇପଡ଼ନ୍ତି ପରିମଳ। ଫୋଲଡିଂ ‘କ୍ୟାମ୍ପର୍‌’କୁ ଖୋଲିଦେଲେ ୬ ଫୁଟର ଲମ୍ବା ହୋଇଯାଏ। ବାସ ସେଥିରେ ଆରାମରେ ଶୋଇପଡ଼ନ୍ତି ପରିମଳ।

ସାଇକେଲ ଆଗରେ ସୌରଚାଳିତ ପ୍ୟାନେଲ୍‌ ବି ଲାଗିଛି। ସେଥିରେ ପାୱାର୍‌ ବ୍ୟାଙ୍କ ଚାର୍ଜ ହୋଇଯାଏ। ଆଉ ରାତିରେ ସେଥିରୁ ଚାର୍ଜ ହୋଇଯାଏ ମୋବାଇଲ। ନିତିଦିନିଆ ବ୍ୟବହାର ସାମଗ୍ରୀଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ବି ସାଥିରେ ଧରିଥାନ୍ତି। ଯେଉଁଠି ଥକିପଡ଼ନ୍ତି ସେଇଠି ବିତିଯାଏ ରାତି। ୫୬ ବର୍ଷୀୟ ପରିମଳ କେବେ ସ୍କୁଲ ଯାଇନାହାନ୍ତି କି ପାଠ ପଢ଼ିନାହାନ୍ତି, କିନ୍ତୁ ସାରା ଭାରତକୁ ପଢ଼ାଉଛନ୍ତି ପରିବେଶ ସୁରକ୍ଷାର ପାଠ। ସାଇକେଲ ଚଲାଇ ଏମିତି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟ ଘୂରି ବୁଲୁଛନ୍ତି ପରିମଳ। ଏଥିପାଇଁ ସାହିପଡ଼ିଶାଙ୍କର ଟାହି ଟାପରା ବି ଶୁଣିଛନ୍ତି। କିନ୍ତୁ ସେସବୁ ତାଙ୍କୁ ପ୍ରଭାବ ପକାଇପାରିନାହିଁ। ପରିମଳ କହିଛନ୍ତି, ସମାଜ ପ୍ରତି କିଛି ଭଲ କାମ କରିବା ପାଇଁ ଆମର ଜନ୍ମ ହୋଇଛି। ଜୀବନ ଥିବା ଯାଏ ଏମିତି ପରିବେଶର ସୁରକ୍ଷା ପାଇଁ କାମ କରୁଥିବି। ଦିନକୁ ୪୦ କିଲୋମିଟର ସାଇକେଲ ଚଲାଇ ଗୋଟିଏ ସ୍ଥାନରୁ ଆଉ ଏକ ନୂଆ ସ୍ଥାନରେ ପହଞ୍ଚୁଛନ୍ତି ସେ। ନୂଆ ନୂଆ ଲୋକଙ୍କୁ ଭେଟୁଛନ୍ତି ଆଉ ପରିବେଶ ସୁରକ୍ଷା ପାଇଁ ସଭିଁଙ୍କୁ ବୁଝାଉଛନ୍ତି। ୫୬ ବର୍ଷରେ ବି ସେ ଅଛନ୍ତି ସମ୍ପୂର୍ଣ୍ଣ ଫିଟ୍।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button