ଓଡିଶା

ଫାର୍ମ ହାଉସ୍‌ରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ୟୁ, ଗିରଫ ହେଲେ ଫାର୍ମହାଉସ୍ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଫାର୍ମହାଉସ୍‌ରେ ରହି କାମ କରୁଥିବା ଦମ୍ପତିଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଏନେଇ ମୃତ ଦମ୍ପତିଙ୍କ ପରିବାର ପକ୍ଷରୁ ବନ୍ତଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସମେତ ସାଇଣ୍ଟିଫିକ୍‌ ଟିମ୍, ବିଦ୍ୟୁତ୍ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ପୁଲିସ ଆଜି ଫାର୍ମହାଉସ୍‌ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ବନ୍ତଳା ଥାନା ପୋକତୁଙ୍ଗା ଗାଁର ଭାବଗ୍ରାହୀ ଦେହୁରୀଙ୍କ ଏକ ଫାର୍ମହାଉସ୍ ରହିଛି। ସେଠାରେ କଦଳୀ ସହିତ ପନିପରିବା ଚାଷ କରିବା ପାଇଁ ସେ ଶ୍ରମିକମାନଙ୍କୁ ନି‌ୟୋଜିତ କରିଥିଲେ। ଏହି ଫାର୍ମହାଉସ୍‌ରେ ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁର ସୁର ପଧାନ(୩୦) ଓ ତାଙ୍କ ପତ୍ନୀ ସୁକାନ୍ତି ପଧାନ(୨୫) ୯ ମାସ ହେଲା କାମ କରୁଥିଲେ। ଗତକାଲି ରାତି ପ୍ରାୟ ସ‌ାଢ଼େ ୯ଟା ସମୟରେ ଭାବଗ୍ରାହୀ ଫାର୍ମହାଉସ୍‌ରେ ପହଞ୍ଚି ଶ୍ରମିକ ଦମ୍ପତି ସୌରବାଡ଼ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ବନ୍ୟଜନ୍ତୁଙ୍କ ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର
ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌
ଗିରଫ ହେଲେ ଫାର୍ମହାଉସ୍ ମାଲିକ

ଆଜି ସକାଳେ ମୃତକଙ୍କ ପରିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫାର୍ମହାଉସ୍‌ର ମାଲିକଙ୍କ ଅବହେଳା ପାଇଁ ଉଭୟଙ୍କ ମୃତ୍ୟୁ ହୋଇଥିବା ମୃତ ସୁକାନ୍ତିଙ୍କ ମାଆ ଗଦେଇମୁଣ୍ଡାର ଜାତକ ପଧାନ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ଅନୁଗୁଳ ଏସ୍‌ଡିପିଓ ରମାକାନ୍ତ ମହାଳିକ, ବନ୍ତଳା ଆଇଆଇସି ସଙ୍ଗୀତା ମହାପାତ୍ର, ସାଇଣ୍ଟିଫିକ୍‌ ଟିମ୍‌ ଫାର୍ମ ହାଉସ୍‌ରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସେହିପରି ବନ୍ତଳା ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀ ମାଧବାନନ୍ଦ ସାହୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ତଦନ୍ତ ପରେ ପୁଲିସ ଫାର୍ମହାଉସ୍‌ର ମାଲିକ ଭାବଗ୍ରାହୀ ଦେହୁରୀ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଏହି ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button