ଓଡିଶା

ପଣ୍ଡରୀଜୋର ସ୍କୁଲ୍‌ରେ ଅଭାବନୀୟ ଚିତ୍ର: ଶାଢ଼ି ଟାଙ୍ଗି ପଢ଼ୁଛନ୍ତି ୨ଟି ଶ୍ରେଣୀର ବିଦ୍ୟାର୍ଥୀ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ର ଦାଦନପ୍ରବଣ ଅଞ୍ଚଳ ପଣ୍ଡରୀଜୋର ଗାଁ ସ୍କୁଲର ଅଭାବନୀୟ ଚିତ୍ର ସାମନାକୁ ଆସିଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ଏଠାରେ ମାତ୍ର ୩ଟି କୋଠରି ରହିଛି। ଯେଉଁଥିରେ ଏକାଧିକ ଶ୍ରେଣୀର ପିଲା ବସି ପାଠ ପଢ଼ୁଛନ୍ତି। ଅଧିକ ପିଲା ହେଲେ ବାରଣ୍ଡାରେ ବସାଇ ପାଠପଢ଼ା ଯାଉଥିବା ଦେଖିବାକୁ ମିଳିଛି। ତେବେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରିରେ ପାଠ ପଢ଼ାଯାଉଛି। ଉଭୟ ଶ୍ରେଣୀରେ ୬୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। କୋଠରି ଅଭାବ ଯୋଗୁଁ ଗୋଟିଏ କୋଠରି ମଝିରେ ଶାଢ଼ି ଟାଣି ଉଭୟ ପାର୍ଶ୍ୱରେ ବସାଇ ପିଲାଙ୍କୁ ପାଠ ପଢ଼ାଯାଉଛି। ସେହିପରି ସ୍କୁଲରେ ୬ ଜଣ ଶିକ୍ଷକ ରହିଛନ୍ତି। ଅଫିସ୍ ଗୃହ ନଥିବାରୁ ବାରଣ୍ଡାରେ ଅଫିସ କାମ ଚାଲିଛି।

ଏହି ସ୍କୁଲରେ ପ୍ରଥମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ାଯାଉଥିଲା। ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଯୋଡ଼ିହେଲା। ତା’ପରେ ନବମ ଓ ଦଶମ ଶ୍ରେଣୀ ମଧ୍ୟ ସାମିଲ ହେଲା। ହେଲେ କୋଠରି ସଂଖ୍ୟା ବଢ଼ି ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପାଠ ପଢ଼ୁଥିବା ଦେଖାଯାଉଛି। ଅନ୍ୟପଟେ ଯେଉଁ କୋଠରି ଅଛି ତାହା ମଧ୍ୟ ବିପଦସଂକୁଳ। କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ। ତେଣୁ ପାଠପଢ଼ା ସମୟରେ ସର୍ବଦା ଭୟ ଲାଗି ରହୁଥିବା ପ୍ରଧାନଶିକ୍ଷକ ନନ୍ଦକିଶୋର ପଧାନ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ନୂତନ ଶ୍ରେଣୀ କୋଠରି ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୨୩ରୁ କାମ ଆରମ୍ଭ ହୋଇଥିଲେ ହେଁ କେବେ ସରିବ ଜଣାପଡ଼ିନାହିଁ। ନିର୍ମାଣ କାମ ଅଧାପନ୍ତରିଆ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ କମିଟି ସଭାପତି ସନ୍ତୋଷ ଧରୁଆ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଗୃହନିର୍ମାଣ କାମ ଆଗକୁ ବଢ଼ିପାରୁନାହିଁ। ଏ ସମ୍ପର୍କରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ଗୃହନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button