ଓଡିଶା

ଘର ଭାଙ୍ଗିଲେ ହାତୀପଲ: ଶୋଇଥିବା କୁନିଝିଅକୁ ଦଳି ମାରିଲା

ଓଡ଼ାପଡ଼ା: ରାତିଅଧରେ ଘର ଭାଙ୍ଗିଲେ ହାତୀପଲ। ଏହି ସମୟରେ ଘର ଭିତରେ ଶୋଇଥିଲା ୭ ବର୍ଷର କୁନି ଝିଅ। ହାତୀ ଦେଖି ସମସ୍ତେ ଜୀବନ ବିକ‌ଳରେ ଦୌଡ଼ିଥିବା ବେଳେ ଛୁଆଟି ଉଠି ପାରି ନଥିଲା। ଫଳରେ ହାତୀ ପାଦରେ କୁନି ଝିଅଟିର ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଦାଳୁ ପଞ୍ଚାୟତ ହାଣ୍ଡିଫୁଟା ଦଳିତ ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସେହି ଗ୍ରାମର ପ୍ରମୋଦ ନାୟକଙ୍କ ଝିଅ ପ୍ରିୟଙ୍କା ନାୟକ (୭)। ଏହାକୁ ନେଇ ଆଜି ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବିଭିନ୍ନ ଦାବିରେ ରାସ୍ତା‌‌ରୋକ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଦଳିତସାହିର ପ୍ରମୋଦ ନାୟକ, ପ୍ରଶାନ୍ତ ନାୟକ ଓ ରବି ନାୟକଙ୍କ ଘର ଭାଙ୍ଗି ଦେଇଥିଲେ। ହାତୀ ଆକ୍ରମଣରେ ବସ୍ତି ବାସିନ୍ଦା ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଥିଲେ। ‌ଧାଁ ଧପଡ଼ ଭିତରେ ଏକ ହାତୀ ପ୍ରମୋଦଙ୍କ ଘର ଭିତରେ ପଶିଥିଲା। ନିଦରେ ଶୋଇଥିବା କୁନିଝିଅ ପ୍ରିୟଙ୍କା ଉପରେ ହାତୀ ଚଢ଼ିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ପରେ ଗ୍ରାମବାସୀ ମିଶି ହାତୀପଲକୁ ଘଉଡ଼ାଇଥିଲେ। ହାତୀପଲ ଯିବା ପରେ ଭଙ୍ଗାଘର ଭିତରୁ ପ୍ରିୟଙ୍କାର ମୃତଦେହ ଉଦ୍ଧାର କରାଯାଇଥିଲା।

କ୍ଷତିପୂରଣ ଦାବିରେ ୮ଘଣ୍ଟା ରାସ୍ତାରୋକ

ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ଜଣାଇବା ପରେ ବି ବନବିଭାଗ ହାତୀଙ୍କୁ ଘଉଡ଼ାଉ ନାହିଁ। ଯେଉଁଥି ପାଇଁ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହିତ ଅକାଳରେ କୁନି ଛୁଆଟିର ଜୀବନ ଚାଲି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ଧରି ହାଣ୍ଡିଫୁଟା ଅଞ୍ଚଳରେ ହାତୀପଲ ଉତ୍ପାତ କରୁଥିବାବେଳେ ବନବିଭାଗ ହାତ ଟେକି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ଓ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଆଜି ସକାଳୁ ଗ୍ରାମବାସୀ ହିନ୍ଦୋଳ-ଗୁଡ଼ିଆକାଟେଣି ରାସ୍ତାର ହାଣ୍ଡିଫୁଟାଠାରେ ରାସ୍ତାରୋକ କରିବା ଫଳରେ ବହୁ ସଂଖ୍ୟାରେ ଗାଡ଼ିମୋଟର ରାସ୍ତାର ଦୁଇପଟେ ଅଟକି ରହିଥିଲା। ଖବର ପାଇ ଓଡ଼ାପଡ଼ା ଫରେଷ୍ଟର୍‌ ସୁବାସଚନ୍ଦ୍ର ସାହୁ ଓ ମୋଟଙ୍ଗା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦାବି ପୂରଣ ନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ବୋଲି ବୁଝାସୁଝା କରିଥିଲେ ମଧ୍ୟ ଲୋକେ କିଛି ଶୁଣି ନଥି‌ଲେ। ମୃତକଙ୍କ ପରିବାର, ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତିପୂରଣ ସହିତ ସ୍ଥାନୀୟ ଅଞ୍ଚଳରେ ଆଲୋକୀକରଣ ଏବଂ ହାତୀପଲ ଘଉଡ଼ାଇବା ଜିଦ୍‌ରେ ଅଡ଼ି ବସିଥିଲେ। ଏପରିକି ବସ୍ତିରେ ମାଟିଘରେ ରହୁଥିବା ଲୋକଙ୍କୁ ପକ୍କାଘର ପ୍ରଦାନ ପାଇଁ ସେମା‌ନେ ଦାବି କରିଥିଲେ। ଆନ୍ଦୋଳନର ୮ଘଣ୍ଟା ପରେ ମଧ୍ୟ ଘଟଣାସ୍ଥଳରେ କୌଣସି ପଦାଧିକାରୀ ନ ପହଞ୍ଚିବାରୁ ଲୋକେ ଆହୁରି ତାତିଥିଲେ। ତେବେ ଅପରାହ୍‌ଣ ୪ଟା ପରେ ବିଧାୟିକାଙ୍କ ପ୍ରତିନିଧି ସେଠାରେ ପହଞ୍ଚି ସମସ୍ତ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button