ଦନ୍ତା ଆକ୍ରମଣରେ ଜଣେ ମୃତ, ଡ୍ରୋନ ସାହାଯ୍ୟରେ ଦନ୍ତାର ଗତିବିଧି ଉପରେ ନଜର ରଖିଛି ବନବିଭାଗ

ଅନୁଗୋଳ : ପୁଣି ମାତିଲା ଦନ୍ତା । ଆକ୍ରମଣରେ ଜଣେ ମୃତ । ମୃତକ ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ କରତପଟା ସେକ୍ସନ ଧୋକୁଟା ହରିଜନ ସାହିର ବିଜୟ ନାଏକ । ସୂଚନାନୁସାରେ ଗତକାଲି ରାତିରେ ଘର ପଛପଟକୁ ଯାଇଥିବା ବେଳେ ତାଙ୍କୁ ଦଳି ଦେଇଛି ଦନ୍ତା।
ଗତ ୬ ତାରିଖରେ ଶଙ୍ଖପୁର ଅଞ୍ଚଳର ଜଣଙ୍କୁ ମାରିଥିଲା ଦନ୍ତା । ଗାଁ ଆଖପାଖରେ ୬ ହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି । ବନବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତାର ଗତିବିଧି ଉପରେ ନଜର ରଖିଛି । ଦନ୍ତା ଆକ୍ରମଣ ଯୋଗୁ ଆତଙ୍କିତ ଅଛନ୍ତି ସ୍ଥାନୀୟ ଅଧିବାସୀ ।
ସେହିପରି କିଛି ଦିନ ପୂର୍ବରୁ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆତଙ୍କ ଦେଖାଯାଇଥିଲା । ଦନ୍ତା ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ଦନ୍ତା ଆକ୍ରମଣରେ ଗାଁର ବିଦ୍ୟାଧର ଦେହୁରୀଙ୍କ ମୃତ୍ୟୁ ହୋଇଥିଲା । ସେ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ ।
ଦନ୍ତା ହାତୀ ବିଦ୍ୟାଧରଙ୍କୁ ଟେକି କଚାଡି ଦେଇଥିଲା । ବିଦ୍ୟାଧରଙ୍କର ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦାନ୍ତହାତୀ ନିକଟ ଜଙ୍ଗଲକୁ ଚାଲିଯାଇଥିଲା ।