ଓଡିଶା

ବଢ଼ିଲା ମାସିକ ଦରମା, ପୂରଣ ହେଲା ଆଶା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର ଶିକ୍ଷକମାନଙ୍କ ମାସିକ ଦରମାରେ ୪,୯୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୧୨ ତାରିଖରେ ଏକ ପ୍ରସ୍ତାବରେ, ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସେମାନଙ୍କର ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ୱାରା ଶିକ୍ଷକମାନେ ଅଧିକ ମାତ୍ରାରେ ମନୋନିବେଶ କରି ଶିକ୍ଷଦାନ କରିବେ। ଯାହାଦ୍ୱାରା ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇବ ବୋଲି ଶିକ୍ଷାବିତମାନେ ମତପୋଷଣ କରିଛନ୍ତି।

ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି, ସରକାର ସତର୍କତାର ସହିତ ବିଚାର କରିବା ପରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ)ଙ୍କ ଦରମା ୧୧,୦୦୦ ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ। ସଂଶୋଧିତ ପାରିଶ୍ରମିକ ହାର ସଂକଳ୍ପ ଜାରି ହେବା ତାରିଖରୁ କାର୍ଯ୍ୟକାରୀ ହେବ। ଏହା ଅର୍ଥ ବିଭାଗର ସହମତିରେ କରାଯାଇଛି। ଏହି ସଂକଳ୍ପ ଓଡ଼ିଶା ଗେଜେଟର ଏକ ଅସାଧାରଣ ସଂଖ୍ୟାରେ ପ୍ରକାଶିତ ହେବ। ଜାନୁଆରି ୧୭ ତାରିଖରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ବୁଧବାର ଏହାର ସଂକଳ୍ପ ପ୍ରକାଶିତ ହୋଇଛି।

ପୂର୍ବ ସରକାର ସମୟରେ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ନେ ସେମାନେ ବାରମ୍ବାର ଦାବି କରି ଆସୁଥିଲେ ହେଁ ସରକାର କର୍ଣ୍ଣପାତ କରୁନଥିଲେ। ସେଥିପାଇଁ ଶିକ୍ଷକମାନେ ଏକାଧିକ ସମୟରେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣ ପ୍ରତିବାଦ ଆଦି କରୁଥିଲେ। ଏହାଦ୍ୱାରା ଶିକ୍ଷକମାନେ ଅସୁବିଧାରେ ପଡ଼ିବା ସହ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଦାନ ବାଧାପ୍ରାପ୍ତ ହେଉଥିଲା। ତାପରେ ବର୍ତ୍ତମାନ ସମୟରେ ସବୁକୁ ବିଚାର କରି ନୂଆ ସରକାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ଶିକ୍ଷକ/ଶିକ୍ଷୟତ୍ରୀ ସମୂହ ସ୍ୱାଗତ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button