ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା, ଦିନ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା । ଦିନ ସାଢ଼େ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- ସିବିଏସ୍ଇ ୨୦୨୫ ପାଇଁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ଭାରତ ଓ ବିଦେଶର ୨୬ଟି ଦେଶର ୭ ହଜାର ୮୪୨ଟି କେନ୍ଦ୍ରରେ ପାଖାପାଖି ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ସିବିଏସଇର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ୱେବକାଷ୍ଟ ବ୍ୟବସ୍ଥା କରାଯାଇଛି ।
ଏଥିରେ କେନ୍ଦ୍ର ଅଧୀକ୍ଷକ, ଉପକେନ୍ଦ୍ର ଅଧୀକ୍ଷକ, ସହକାରୀ ଅଧୀକ୍ଷକ, ନଗର ସଂଯୋଜକ ଓ ପର୍ଯ୍ୟବେକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା । ଏଥିରେ ମୂଲ୍ୟାୟନ ପ୍ରୋଟୋକଲ ଏବଂ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଆଜି ପ୍ରଥମ ଦିନରେ ଇଂରାଜୀ (ଯୋଗାଯୋଗ) ଓ ଇଂରାଜୀ (ଭାଷା ଓ ସାହିତ୍ୟ) ପରୀକ୍ଷା ରହିଛି । ଉତ୍ତମ ପ୍ରସ୍ତୁତି ପାଇଁ ବୋର୍ଡ ଉଭୟ ଶ୍ରେଣୀ ପରୀକ୍ଷା ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ସୁନିଶ୍ଚିତ କରିଛି । ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୮ରେ ଶେଷ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୪ ତାରିଖରେ ସରିବ ।