ବ୍ୟବସାୟ

ଆଜି ସରିବ ଦ୍ବିତୀୟ ମହଲତ: ୧୨ ହଜାର କୋଟିର ୨୦୦୦ ଟଙ୍କିଆ ଫେରିନି – Utkal Mail


ମୁମ୍ବାଇ: ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆସନ୍ତାକାଲି (ଶନିବାର) ଶେଷ ହେଉଛି। ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେବି ୧୨ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ‌ଶକ୍ତିକାନ୍ତ ‌କହିଛନ୍ତି ଯେ ଅକ୍ଟୋବର ୮ ପରେ ମଧ୍ୟ ଲୋକମାନେ ନୋଟ୍‌ ଫେରାଇପାରିବେ। ଯେହେତୁ ନୋଟ୍‌ଗୁଡ଼ିକ ଲିଗାଲ ଟେଣ୍ଡର ହୋଇରହିବ ତେଣୁ ସେଗୁଡ଼ିକୁ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟରେ ଫେରସ୍ତ କରାଯାଇପାରିବ। ଦେଶରେ ୧୯ଟି ଇସ୍ୟୁ କାର୍ଯ୍ୟାଳୟ ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ଯେଉଁମାନେ ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁନାହାନ୍ତି ସେମାନେ ଡାକ ଜରିଆରେ ନୋଟ୍‌ ପଠାଇପାରିବେ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା। ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ଓ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଚାରି ମାସ ଅର୍ଥାତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କୁ ନଜରରେ ରଖି ନୋଟ୍ ବଦଳର ମହଲତକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସେହି ସମୟ ସୀମା ଆସନ୍ତାକାଲି ଶେଷ ହେବ। ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ରହିଛି ସେଗୁଡ଼ିକୁ ବଦଳାଇବା ପାଇଁ ସେମାନଙ୍କ ପାଖରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ଗତ ଶନିବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ୧୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଫେରିନାହିଁ। ସପ୍ତାହକ ଭିତରେ ଆଉ ଦୁଇ ହଜାର କୋଟି ଟଙ୍କାର ‌୨୦୦୦ ଟଙ୍କିଆ ନୋଟ୍ ଫେରିଛି। ବ୍ୟାଙ୍କଗୁଡ଼ିକ ପାଖକୁ ‌ଫେରିଥିବା ୨୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ମଧ୍ୟରୁ ୮୭ ପ୍ରତିଶତ ନୋଟ୍‌କୁ ଗ୍ରାହକମାନେ ନିଜ ଖାତାରେ ଜମା କରିଥିବା ବେଳେ ଅବଶିଷ୍ଟ ନୋଟ୍‌ଗୁଡ଼ିକୁ ବଦଳାଇ ଅନ୍ୟାନ୍ୟ ନୋଟ୍ ନେଇଛନ୍ତି। ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରାଯିବା ପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ନୋଟ୍‌ଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ତାହାକୁ ପ୍ରତ୍ୟାହାର କରାଯାଉଛି ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ନୋଟ୍ ପ୍ରତ୍ୟାହାରର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇଥିବା ‌ଶକ୍ତିକାନ୍ତ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button