ମୋ ବସ୍ ଦୁର୍ଘଟଣାରୁ ମିଳିବ ତ୍ରାହି ! ସବୁ ବସରେ ଲାଗିବ ADAS ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍

ଭୁବନେଶ୍ୱର : ଚିନ୍ତା ବଢାଇ ଦେଲାଣି ମୋ ବସ୍ । କେତେବେଳେ ମୋ ବସ୍ ଦୁର୍ଘଟଣା ନେଇ ଉତ୍ତେଜନା । ଆଉ କେଉଁଠି ମୋ ବସ୍ ଦୁର୍ଘଟଣା ପାଇଁ ଛାତ୍ରୀ ମୃତ୍ୟୁ । କେଉଁଠି ବୃଦ୍ଧ ଓ ମହିଳାଙ୍କ ଉପରେ ଚଢିଗଲାଣି ମୋ ବସ୍ ତ କେଉଁଠି ମୋ ବସରେ ନିଆଁ ଲଗାଇ ଦେଲେଣି ଲୋକେ । ମୋ ବସ୍ ଦୁର୍ଘଟଣାକୁ ଦିନକୁ ଦିନ ବାରମ୍ବାର ଅଭିଯୋଗ ପରେ ଏବେ ଦୁର୍ଘଟଣା ହ୍ରାସ ପାଇଁ ଟେକ୍ନୋଲୋଜିର ସାହାରା ନେବାକୁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ ।
ମୋ ବସ୍ରେ ଲାଗିବ ADAS (Advance driver assistance system) ସିଷ୍ଟମ । ସତର୍କ କରିବାକୁ ବାଜିବ ସାଇରନ୍ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ହେବ ମୋ ବସ୍ ଦୁର୍ଘଟଣା ଘଟାଇ ଚାଲିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ହେଲେ ସାଇରନ ବାଜିବ । ଏହା ସହ ସବୁ ମୋ ବସ୍ରେ କ୍ୟାମେରା ଲାଗିବ । ଦୁର୍ଘଟଣା କମାଇବାକୁ ୪୦ କିମି ସ୍ପିଡ୍ ଗଭର୍ନର ଲଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ADAS ସିଷ୍ଟମ କଣ ?
ଏହା ଏପରି ଏକ ଜରିଆ ଯାହା ଦ୍ବାରା ଦୁର୍ଘଟଣା ଉପରେ ରୋକ ଲାଗିପାରିବ । ଏହି ଟେକ୍ନୋଲୋଜି ଲାଗୁ ହେଲେ ସ୍ୱୟଂଚାଳିତ ଭାବେ ଗାଡ଼ିଟି ଟ୍ରାଫିକ ସିଗ୍ନାଲକୁ ଜାଣି ପାରିବ । ଏନେଇ ଗାଡିଟି କେଉଁ ଲେନରୁ ଅନ୍ୟ କେଉଁ ଲେନରେ ଗତି କରିବ । ଗାଡ଼ିଟିର ସ୍ପିଡ ଲିମିଟ କେତେ ରହିବ । କେଉଁ ଅଞ୍ଚଳରେ ଗାଡ଼ିର ବେଗ କେତେ ରହିବ । ଗାଡ଼ିର ସାମ୍ନାରେ ଥିବା ସାଇନ ଏଜ ବା ଫଳକକୁ ମଧ୍ୟ ଜାଣିପାରି ସେନେଇ ଗାଡିର ଗତିବିଧି ଆଦି ଉପରେ ରୋକ ଲଗାଇପାରିବ ।
ଏମିତି କରିବ କାମ:
ଆଣ୍ଟି ବ୍ରେକ ସିଷ୍ଟମ୍ ମଧ୍ୟ ଲାଗୁ ହୋଇପାରିବ । ଏପରିକି ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ ସହ ଦୁର୍ଘଟଣା ଜନିତ ସମସ୍ୟାରୁ କିପରି ଗାଡ଼ିଟି ବର୍ତ୍ତିପାରିବ ଓ ଅନ୍ୟ ଗାଡି ଠାରୁ କେତେ ଦୂରତା ରଖିପାରିବ ଏହି ADAS ଦ୍ବାରା ଜାଣିବା ସମ୍ଭବ ହୋଇପାରିବ । ଏପରିକି ଏହି ସିଷ୍ଟମ ଅନେକ ହାଇ ପ୍ରୋଫାଇଲ୍ ଗାଡିରେ ମଧ୍ୟ ଲାଗୁ ହେଲାଣି । ଗାଡ଼ିର ଅଟୋ ପାର୍କିଂ ବା ଟ୍ରାଫିକ ସିଗ୍ନାଲ ଉପରେ ଗାଡି ଷ୍ଟାର୍ଟ ବନ୍ଦ ଓ ଅନ ହେବା ଭଳି ଅନେକ ଜିନିଷ ଅପରେଟ ହୋଇପାରିବ ।