ବୃହତ୍ତମ ତାସ୍ ଘର – Utkal Mail
ଭାରତୀୟ ଛାତ୍ର ୧୫ ବର୍ଷୀୟ ଅର୍ଣ୍ଣବ ଡାଗା ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ୧,୪୩,୦୦୦ଟି ତାସ୍ ପତାକୁ ବ୍ୟବହାର କରି ବିଶ୍ବର ବୃହତ୍ତମ ତାସ୍ଘର ଗଢ଼ିବାର ରେକର୍ଡ ସୃଷ୍ଟି କରିଛନ୍ତି। ସବୁଠୁ ବଡ଼ କଥା ହେଲା, ଏହି ନିର୍ମାଣରେ ସେ କୌଣସି ଅଠା ବା ଟେପ୍ ବ୍ୟବହାର କରିନାହାନ୍ତି। ୧୨.୨୧ ମିଟର ବା ୪୦ ଫୁଟ୍ ଉଚ୍ଚ ଏହି ତାସ୍ ଭବନର ଦୈର୍ଘ୍ୟ ହେଉଛି ୫.୦୮ ମିଟର (୧୬ ଫୁଟ ୮ ଇଞ୍ଚ) ଓ ପ୍ରସ୍ଥ ୩.୪୭ ମିଟର (୧୧ ଫୁଟ ୪ ଇଞ୍ଚ)। ଏହାକୁ ଗଢ଼ିବାକୁ ତାଙ୍କୁ ୪୧ ଦିନ ସମୟ ଲାଗିଥିଲା। ପଶ୍ଚିମବଙ୍ଗର ବାସିନ୍ଦା ଅର୍ଣ୍ଣବଙ୍କ ଜନ୍ମ ସହର କୋଲକାତାର ରାଇଟର୍ସ ବିଲ୍ଡିଂ, ସହିଦ ମିନାର, ସଲ୍ଟ ଲେକ୍ ଷ୍ଟାଡିଅମ୍ ଓ ସେଣ୍ଟ୍ ପଲ୍ସ କାଥେଡ୍ରାଲ ପରି ଚାରିଟି ନିର୍ମାଣର ପ୍ରତିକୃତି ଏହି ତାସ୍ ଭବନରେ ସ୍ଥାନ ପାଇଛି। ଏହାକୁ ନିର୍ମାଣ କରିବା ପୂର୍ବରୁ ସେ ଏଥିରେ ସ୍ଥାନ ପାଇଥିବା ଚାରିଟି ଯାକ ଭବନର ସ୍ଥାପତ୍ୟ ଶୈଳୀକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ତେବେ ତାଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ଥିଲା ଏତେ ଉଚ୍ଚ ତାସ୍ ଭବନକୁ ସ୍ଥାନ ଦେବା ପାଇଁ ପ୍ରକୃଷ୍ଟ ଚଟାଣ ଥିବା ପବନ ରହିତ ସ୍ଥାନ ଯୋଗାଡ଼ କରିବା।
ସେଥିପାଇଁ ସେ ୩୦ଟି ସ୍ଥାନ ନିରୀକ୍ଷଣ କରି ଗୋଟିକୁ ବାଛିଥିଲେ। ତେବେ ଏହି ତାସ୍ ଭବନ ଗଢ଼ିଲା ଭିତରେ ତାଙ୍କୁ ସେଣ୍ଟ୍ ପଲ୍ କାଥେଡ୍ରାଲର ପ୍ରତିକୃତି ଆଂଶିକ ଭାବରେ ଭାଙ୍ଗିଯିବା ଏବଂ ନିର୍ମାଣ ସରିଲା ପରେ ସହିଦ ମିନାର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ପରି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଏଥିରେ ସାମୟିକ ଭାବେ ହତାଶ ହୋଇପଡ଼ିଥିଲେ, କିନ୍ତୁ ଧୈର୍ଯ୍ୟର ସହ ପୁଣି ଗଢ଼ିବା ଆରମ୍ଭ କରିଥିଲେ। ନିଜର ନିୟମିତ ସ୍କୁଲ ପଢ଼ା ସାଙ୍ଗକୁ ତାସ୍ ଘର ନିର୍ମାଣକୁ ସଂପନ୍ନ କରିବା ମଧ୍ୟ ଅନ୍ୟତମ ଆହ୍ବାନ ଥିଲା। ପ୍ରାୟ ଆଠ ବର୍ଷ ବୟସରୁ ସେ ଏପରି ତାସ୍ ଘର ଗଢ଼ିବାରେ ସଉକ ରଖିଥିବା ବେଳେ ୨୦୨୦ର କୋଭିଡ୍ ବେଳେ ଏଥିରେ ମନୋନିବେଶ କରିବା ପାଇଁ ତାଙ୍କୁ ପ୍ରଭୂତ ସମୟ ମିଳିଥିଲା। ନିଜ ଘରେ ସ୍ଥାନର ଅଭାବ ଯୋଗୁଁ ସେ ଛୋଟ ଛୋଟ ଭବନ ଗଢ଼ିବା ଆରମ୍ଭ କରିଥିଲେ। ତେବେ ତାଙ୍କର ନିଷ୍ଠା ଓ ଦୀର୍ଘ ତିନି ବର୍ଷର ଅଧ୍ୟବସାୟର ପରିଣତି ସ୍ବରୂପ ସେ ଆଜି ବିରଳ ରେକର୍ଡ ହାସଲ କରିପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଆମେରିକାର ବ୍ରିଆନ୍ ବର୍ଗଙ୍କ ନାମରେ ରହିଥିଲା, ଯିଏ ୧୦.୩୯ ମିଟର (୩୪ ଫୁଟ୍ ୧ ଇଞ୍ଚ) ଉଚ୍ଚ, ୩.୫୪ମିଟର (୧୧ଫୁଟ୍ ୭ ଇଞ୍ଚ) ଲମ୍ବ ଓ ୨.୮୮ ମିଟର (୯ ଫୁଟ ୫ ଇଞ୍ଚ) ଓସାରର ଏକ ତାସ ଘର ଗଢ଼ିଥିଲେ, ଯେଉଁଥିରେ ତିନିଟି ମାକାଓ ହୋଟେଲ୍ର ପ୍ରତିକୃତି ସ୍ଥାନ ପାଇଥିଲା।