ଭାରତରେ ‘ମତଦାନ’ ପାଇଁ ୨୧ ନିୟୁତ ଡଲାର ପାଣ୍ଠି ରଦ୍ଦ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ନୂଆ ପ୍ରଶାସନ ବଜେଟ୍ ହ୍ରାସ କରିବା ପରେ ଭାରତ ଓ ବାଂଲାଦେଶ ସମେତ ଅନେକ ଦେଶ ପାଇଁ ବିଭିନ୍ନ ପାଣ୍ଠି ରଦ୍ଦ କରିଛି। ଏଲନ୍ ମସ୍କଙ୍କ ନେତୃତ୍ବାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ରବିବାର ଘୋଷଣା କରିଛି ଯେ ଭାରତରେ ମତଦାନ ହାର ବୃଦ୍ଧି ପାଇଁ ପୂର୍ବରୁ ୨୧ ନିୟୁତ ଡଲାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା ଏବଂ ଏବେ ଏହାକୁ ରଦ୍ଦ କରାଯାଇଛି। ଏହା ସହିତ ବାଂଲାଦେଶର ରାଜନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୯ ନିୟୁତ ଡଲାରର ଏକ ପାଣ୍ଠିକୁ ମଧ୍ୟ ରଦ୍ଧ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି।
ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ: ବିଜେପି
‘ଭାରତ ବିରୋଧୀ ଜର୍ଜ ସୋରୋସ୍ଙ୍କ ମୁଖା ଖୋଲିଯାଇଛି’
ଆମେରିକାର ଏହି ଘୋଷଣା ପରେ ପୂର୍ବରୁ ବାଇଡେନ ସରକାର ସମୟରେ ଭାରତର ନିର୍ବାଚନୀ ପ୍ରକ୍ରିୟାରେ କିଭଳି ବାହ୍ୟ ହସ୍ତକ୍ଷେପ ହେଉଥିଲା ତାହା ସ୍ପଷ୍ଟ ହୋଇଛି ବୋଲି କୁହାଯାଉଛି। ବିଜେପି ଏହି ମାମଲାରେ କଂଗ୍ରେସ ପାର୍ଟି ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରି କଡ଼ା ସମାଲୋଚନା କରିଛି। ଆମେରିକା ଏବେ ନେଇଥିବା ପଦକ୍ଷେପ ଯୋଗୁଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ଏହା ସହିତ ବାଂଲାଦେଶରେ ମଧ୍ୟ ଶେଖ୍ ହସିନାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପଛରେ ଆମେରିକାର ହାତ ଥିବା ଅଭିଯୋଗ ହୋଇଛି। ବାଂଲାଦେଶକୁ ଅସ୍ଥିର କରିବା ପାଇଁ ଆମେରିକା ପାଣ୍ଠି ଯୋଗାଇଥିବା ହସିନାଙ୍କ ଦଳର ନେତାମାନେ କହିଛନ୍ତି।
ମସ୍କଙ୍କ ନେତୃତ୍ବାଧୀନ ବିଭାଗ ‘ଏକ୍ସ’ରେ ପାଣ୍ଠି ରଦ୍ଦ ଘୋଷଣା କରିବା ପରେ ଏଭଳି ପାଣ୍ଠି କେଉଁ ଉଦ୍ଦେଶ୍ୟରେ ପ୍ରକୃତରେ ବ୍ୟୟ ହେଉଥିଲା ଏବଂ କେଉଁମାନେ ଏହାର ନିୟନ୍ତ୍ରଣ କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଭାରତ ପାଇଁ ଧାର୍ଯ୍ୟ କରାଯାଇଥିବା ୨୧ ନିୟୁତ ଡଲାର ଦେଶର ନିର୍ବାଚନରେ ଭୋଟରଙ୍କ ଭାଗୀଦାରି ବୃଦ୍ଧି କରିବା ପାଇଁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଥିଲା ବୋଲି ଦର୍ଶାଯାଇଥିବା ବେଳେ ପ୍ରକୃତରେ ଏହା ବାହ୍ୟ ହସ୍ତକ୍ଷେପ ଏବଂ ଭାରତକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେପି କହିଛି। ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କିଛି ଦିନ ପରେ ଏହି ଘୋଷଣା କରାଯାଇଛି ଏବଂ ଦୁଇ ନେତା ଆମେରିକା-ଭାରତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।