ଦେଶ ବିଦେଶ

ଦିଲ୍ଲୀ ଷ୍ଟେସନ୍‌ ଦଳାଚକଟା: ମୃତ୍ୟୁସଂଖ୍ୟା ୧୮ ଛୁଇଁଲା, ଷଡ଼୍‌ଯନ୍ତ୍ର ଓ ମିଛ ଖବର ଉପରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଗତରାତି ପ୍ରାୟ ୧୦ଟାରେ ହୋଇଥିବା ବଡ଼ଧରଣର ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ଆଜି ୧୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଏହାସହିତ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଅଧିକାଂଶ ମୃତକଙ୍କ ଛାତି ଓ ପେଟରେ ଆଘାତ ଲାଗିଛି ଏବଂ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ଅପରାହ୍ନ ୪ଟାରୁ ମହାକୁମ୍ଭକୁ ଯିବା ପାଇଁ ଷ୍ଟେସନ୍‌ରେ ଭିଡ଼ ଜମିବା ଆରମ୍ଭ ହୋଇଥିଲା ଏବଂ ହଜାର ହଜାର ଲୋକଙ୍କ ଅନିୟନ୍ତ୍ରିତ ଭିଡ଼ ୧୩, ୧୪ ଓ ୧୫ ନମ୍ବର ପ୍ଲାଟ୍‌ଫର୍ମରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିଲା। ପ୍ରତି ଘଣ୍ଟାରେ ୧୫ ଶହ ଜେନେରାଲ ଟିକେଟ୍‌ ବିକ୍ରି ହେବା ମଧ୍ୟ ପରିସ୍ଥିତିକୁ ଜଟିଳ କରିଥିଲା। ରାତି ପ୍ରାୟ ସାଢ଼େ ୮ଟାବେଳେ ପ୍ରୟାଗରାଜ ଯାଉଥିବା ୩ଟି ଟ୍ରେନ୍ ବିଳମ୍ବିତ ହେବାରୁ ଭିଡ଼ ବଢ଼ିଥିଲା ଏବଂ ବିଶୃଙ୍ଖଳା ଆରମ୍ଭ ହୋଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିର ନାମ ଓ ଫ୍ଲାଟ୍‌ଫର୍ମ ଘୋଷଣାକୁ ନେଇ ‌ଦ୍ବନ୍ଦ୍ବ ଯୋଗୁଁ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଏହା ଦଳାଚକଟାର ରୂପ ନେଇଥିଲା। ଆଜି ଭାରତୀୟ ରେଳବାଇ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଏହାସହିତ ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି।

ଷଡ଼୍‌ଯନ୍ତ୍ର ଓ ମିଛ ଖବର ଉପରେ ତଦନ୍ତ ନିର୍ଦ୍ଦେଶ
ଯାଞ୍ଚ କମିଟି ଗଠନ, ସିସିଟିଭି ଫୁଟେଜ୍‌ ସିଲ୍‌
ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ଦିଲ୍ଲୀ ଷ୍ଟେସନ୍‌ ଦଳାଚକଟାର ତଦନ୍ତ ପାଇଁ ଦୁଇଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଉତ୍ତର ରେଳବାଇର ଦୁଇ ବରିଷ୍ଠ ଅଧିକାରୀ ନରସିଂହ ଦେଓ ଓ ପଙ୍କଜ ଗଙ୍ଗୱାରଙ୍କୁ ସାମିଲ କରାଯାଇଛି। ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ର ସମସ୍ତ ସିସିଟିଭି ଭିଡିଓ ଫୁଟେଜ୍ ସୁରକ୍ଷିତ ରଖିବାକୁ କମିଟି ନିର୍ଦ୍ଦେଶ ଦେଇଛି। ପ୍ଲାଟ୍‌ଫର୍ମ ଘୋଷଣା ସଂପର୍କିତ ସମସ୍ତ ସୂଚନା, ସୁରକ୍ଷା ବ୍ୟବସ୍ଥା, ଟିକେଟ୍‌ ପରିଚାଳନା, ଭିଡ଼ ନିୟନ୍ତ୍ରଣ ପାଇଁ ଜରୁରୀ ପଦକ୍ଷେପ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ କମିଟି ରିପୋର୍ଟ ପ୍ରଦାନ କରିବ। ଏତଦ୍‌ବ୍ୟତୀତ ଦଳଚକଟା ପଛରେ ଷଡ଼୍‌ଯନ୍ତ୍ର ଓ ମିଛ ଖବର ଦିଗ ପ୍ରତି ମଧ୍ୟ ରେଳବାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରି ୨୯ରେ ପ୍ରୟାଗରାଜର ମହାକୁମ୍ଭରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀ ଦଳାଚକଟା ପରେ ଉତ୍ତରପ୍ରଦେଶର ବିଭିନ୍ନ ଷ୍ଟେସନ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ଲାଟ୍‌ଫର୍ମ-୧୪ରେ ୩ଟି ଟ୍ରେନ୍‌ର ଯାତ୍ରୀଙ୍କ ଭିଡ଼ ଏବଂ ପ୍ଲାଟ୍‌ଫର୍ମ ନମ୍ବର ଘୋଷଣାକୁ ନେଇ ଦ୍ବନ୍ଦ୍ବ ସଂକ୍ରାନ୍ତରେ ବିସ୍ତୃତ ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରୟାଗରାଜ ଏକ୍ସପ୍ରେସ୍‌କୁ ନେଇ କେତେକ ଭୁଲ୍‌ ସୂଚନା ମଧ୍ୟ ଜାରି ହୋଇଥିବାରୁ ଦିଲ୍ଲୀ ପୁଲିସ ଏହାର ତଦନ୍ତ ଚଳାଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଷ୍ଟେସନ୍‌ରେ ଏତେ ଭିଡ଼ ଥିଲା ଯେ ପାଦ ରଖିବା ପାଇଁ ଜାଗା ନଥିଲା। ପୁଲିସ ଲୋକଙ୍କୁ କହୁଥିଲା, ଯଦି ସେମାନେ ନିଜ ଜୀବନ ବଞ୍ଚାଇବାକୁ ଚାହୁଛନ୍ତି ତେବେ ଫେରି ଯାଆନ୍ତୁ। ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। କନ୍‌ଫର୍ମ ଟିକେଟ୍ ଥିବା ଲୋକମାନେ ମଧ୍ୟ ବଗି ଭିତରକୁ ପ୍ରବେଶ କରିପାରିନଥିଲେ। ଲୋକମାନେ ପରସ୍ପର ଉପରେ ଚଢ଼ିଯିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ କେହି ନଥିଲେ ବୋଲି ଅନେକ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଉତ୍ତର ରେଳବାଇ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, ଦଳାଚକଟାର କିଛି ସମୟ ପୂର୍ବରୁ ପ୍ଲାଟ୍‌ଫର୍ମ ୧୪-୧୫ ଆଡ଼କୁ ଆସୁଥିବା ଜଣେ ଯାତ୍ରୀ ଖସି ଯାଇ ସିଡି ଉପରେ ଖସି ପଡ଼ିଥିଲେ ଏବଂ ତାଙ୍କ ପଛରେ ଠିଆ ହୋଇଥିବା ଅନେକ ଯାତ୍ରୀ ଏଥିରେ ଧକ୍କା ଖାଇଥିଲେ। ଏହାକୁ ନେଇ ମଧ୍ୟ ସେଠାରେ ବଡ଼ଧରଣର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା ଏବଂ କିଛି ମିନିଟ୍‌ ମଧ୍ୟରେ ଏହା ଭୀଷଣ ରୂପ ନେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button