IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ କରୁଛି ଖୋଳତାଡ଼

ଭୁବନେଶ୍ୱର : IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ ଖୋଳତାଡ଼ କରୁଛି CBI । ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଦିଲ୍ଲୀରୁ ଆସିଥିବା ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ରେଡ କରୁଛନ୍ତି । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା ।
ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଟି ଲେଖାଯାଇଥିଲା । ଯେଉଁଥିରେ ବି କେ ସିଂ ଓ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀ ଆଇଏଏସ ବିଷ୍ଣୁପଦଙ୍କୁ ଡିସେମ୍ବର ୫ ତାରିଖରେ ଭେଟିବାକୁ ସମୟ ମାଗିଥିଲେ । ଏହାର ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ରାତିରେ ଭୁବନେଶ୍ବରରେ ଏକ ହୋଟେଲ ଆଗରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କରାବାର ମାମଲାରେ ଚଞ୍ଚଲଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀ ୧୯ ଅକ୍ଟୋବର ୨୦୨୪ରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ସିଏମଡିଙ୍କୁ ଚିଠି ଲେଖିଥିଲେ । ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରିବାକୁ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ଚିଠିରେ ଉଲ୍ଲେଖ ଥିଲା ।