ରାଜ୍ୟରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ: ସପ୍ତାହେ ଶୁଖିଲା ପାଗ, ଶୀତ ପ୍ରଭାବ କମ୍

ଭୁବନେଶ୍ୱର,୦୮/୧୧: ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷାର ସମ୍ଭାବନା ଦେଖାଯାଉନି । ଆସନ୍ତା ୧୩ ତାରିଖ ଯାଏ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଡ଼ କଥା ହେଲା, ରାଜ୍ୟରେ ଏଯାଏ ଶୀତ ଅନୁଭୂତ ହୋଇନଥିବା ବେଳେ ସବୁଠି ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା ତାମିଲନାଡ଼ୁ କିମ୍ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । ଅଧିକ ଘନୀଭୂତ ସମ୍ଭାବନା ଦେଖାଯାଉନି । ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଅବପାତ ସମ୍ଭାବନା କମ୍ । ତେଣୁ ରାଜ୍ୟରେ ପାଗରେ କିଛି ପରିବର୍ତ୍ତନ ହେବନି ।
ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ଅଛି । ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ରହୁଛି । ଶୀତ ଅନୁଭୂତ ହୋଇନାହିଁ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୧୬.୫, ନବରଙ୍ଗପୁରରେ ୧୭.୬, ଫୁଲବାଣୀରେ ୧୮, କୋରାପୁଟରେ ୧୮.୫, ଭବାନୀପାଟଣାରେ ୧୯.୪, ରାଉରକେଲାରେ ୧୯.୩, ଅନୁଗୁଳରେ ୧୯, ହୀରାକୁଦରେ ୧୯, କେନ୍ଦୁଝରରେ ୧୯ ଡିଗ୍ରୀ ଥିଲା । କୌଣସି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିନାହିଁ। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ଥିବାବେଳେ ପଶ୍ଚିମରେ ବି ଦେଢ଼ରୁ ୩ ଡିଗ୍ରୀ ଓ ଦକ୍ଷିଣରେ ୨ରୁ ୩ ଡିଗ୍ରୀ ଏବଂ ଉତ୍ତରରେ ୨ରୁ ୩ ଡିଗ୍ରୀ ଅଧିକ ଅଛି ।