ଦେଶ ବିଦେଶ

ୟୁକ୍ରେନ ଯୁଦ୍ଧର ଅବସାନ ଘଟିବ! ଅଣ୍ଟା ଭିଡ଼ିଲେ ଆମେରିକା, ରୁଷ୍

ରିୟାଦ: ରୁଷ୍ ଓ ଆମେରିକା ମଧ୍ୟରେ ସଂପର୍କରେ ଉନ୍ନତି ଆଣିବା ଏବଂ ୟୁକ୍ରେନ ଯୁଦ୍ଧରେ ଅନ୍ତ ଘଟାଇବା ପାଇଁ ଦୁଇ ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି। ଦୁଇ ଦେଶର ଉଚ୍ଚ ପ୍ରତିନିଧିସ୍ତରୀୟ ବୈଠକ ଆଜି ସାଉଦି ଆରବରେ ହୋଇଛି। ତେବେ ଏହି ବୈଠକରେ ୟୁକ୍ରେନରେ କୌଣସି ପ୍ରତିନିଧି ସାମିଲ ହୋଇନାହାନ୍ତି। ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାର୍କୋ ରୁ‌ବିଓ ଏବଂ ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେଇ ଲଭରୋଭଙ୍କ ନେତୃତ୍ବରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହୋଇଛି। ବୈଠକରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜ୍ ଓ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିକଫ୍‌, କ୍ରେମଲିନ୍‌ର ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରି ଉଷାକୋଭ ସାମିଲ ଅଛନ୍ତି। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ୍ ଫରହାନ୍, ଜାତୀୟ ସୁରକ୍ଷା ପରାମର୍ଶଦାତା ମୁସାଏଦ ଅଲ୍ ଆଲବାନ୍ ରୁବିଓ ଓ ଅନ୍ୟମାନେ ଯୋଗ ଦେଇଛନ୍ତି।

ମାର୍କୋ ରୁବିଓ ସୂଚନା ଦେଇଛନ୍ତି ଯେ ଦୁଇ ଦେଶ ସେମାନଙ୍କ ଦୂତାବାସ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ପୁନଃଅବସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ ଆକ୍ରମଣ ପରେ ରୁଷ୍ ଏବଂ ଆମେରିକା ମଧ୍ୟ ସଂପର୍କ ବିଗିଡ଼ିଥିଲା। ଦୁଇ ଦେଶ ପରସ୍ପରର ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟରତ ବହୁସଂଖ୍ୟକ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିଥିଲେ। ଏଥିସହିତ ରୁଷ୍‌ ବିରୋଧରେ ମଧ୍ୟ ଏକାଧିକ କଟକଣା ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଲାଗୁ କରିଥିଲେ।
ତେବେ ଆଜିର ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପାଇଁ ବାଟ ଫିଟିଛି। ପୁଟିନଙ୍କ ବିଦେଶ ବ୍ୟାପାର ଉପଦେଷ୍ଟା ୟୁରି ଉଷାକୋଭ ରୁଷ୍‌ର ଏକ ଚ୍ୟାନେଲକୁ କହିଛନ୍ତି ଶୀର୍ଷ ନେତାଙ୍କ ଆଲୋଚନା ନେଇ ଯଦିଓ ତାରିଖ ଧାର୍ଯ୍ୟ ହୋଇନାହିଁ ତଥାପି ଆସନ୍ତା ସପ୍ତାହରେ ଏହା ହେବାର ସମ୍ଭାବନା ନାହିଁ। ‌ଦୁଇ ଦେଶ ପରସ୍ପରର ସ୍ବାର୍ଥକୁ ବିଚାରକୁ ନେବା ଲାଗି ରାଜି ହେବା ସହିତ ସେମାନଙ୍କ ସଂପର୍କକୁ ଆଗକୁ ବଢ଼ାଇବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ସେମାନଙ୍କ ସଂପର୍କ ନିକଟତର ହେଉଛି ବୋଲି କୁହାଯାଇ ପାରିବ ନାହିଁ।

୨ ଦେଶ ପ୍ରତିନିଧିଙ୍କ ଉଚ୍ଚସ୍ତରୀୟ ବୈଠକ
ଫଳାଫଳକୁ ଗ୍ରହଣ କରିବନି କିବ୍‌

ଆମେରିକାର ପରରାଷ୍ଟ୍ର ବିଭାଗ ପ୍ରବକ୍ତା ଟମି ବ୍ରୁସ କହିଛନ୍ତି ଶାନ୍ତିକୁ ରୁଷ୍‌ କେତେ ଗୁରୁତ୍ବ ଦେଉଛି ତାହା ଜାଣିବା ଲାଗି ଏହି ବୈଠକର ଉଦ୍ଦେଶ୍ୟ। ଏଥିସହିତ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ପାଇଁ ବିସ୍ତୃତ ଆଲୋଚନା ଆରମ୍ଭ ହୋଇପାରିବ କି ନାହିଁ ତାହା ମଧ୍ୟ ଜାଣିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ରୁଷ୍‌ ବିଦେଶ ମନ୍ତ୍ରୀ ଲଭରୋଭ କହିଛନ୍ତି ୟୁକ୍ରେନ ଆକ୍ରମଣ ସମୟରେ ଆମେରିକା ଲଗାଇଥିବା କଟକଣାକୁ ହଟାଇବା ସପକ୍ଷରେ ସେହି ଦେଶ ରହିଛି। ୟୁକ୍ରେନର ଅନୁପସ୍ଥିତିରେ ଏହି ବୈଠକ ହେଉଥିବାରୁ ସେହି ଦେଶର ନାଗରିକମାନେ ଚିନ୍ତିତ ଅଛନ୍ତି। ଅନ୍ୟପକ୍ଷରେ ଫ୍ରାନ୍ସ ମଧ୍ୟ ୟୁରୋପୀୟ ସଂଘର ସଦସ୍ୟ ଦେଶ ସମେତ ବ୍ରିଟେନର ଏକ ଜରୁରୀ ବୈଠକ ପାଇଁ ମତ ଦେଇଛି। ତେବେ ରୁବିଓ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଅନ୍ତ ଘଟାଇବା ହେଲେ ପ୍ରତ୍ୟେକଙ୍କ ଅଂଶଗ୍ରହଣ ଜରୁରୀ ଏବଂ ୟୁରୋପୀୟ ସଂଘକୁ ମଧ୍ୟ ଆଲୋଚନାରେ ସାମିଲ କରାଯିବ। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶର ପ୍ରତିନିଧିଙ୍କ ବିନା ଉପସ୍ଥିତିରେ ବୈଠକର ଫଳ ଯାହା ଆସିଲେ ମଧ୍ୟ କିବ୍‌ ତାହାକୁ ଗ୍ରହଣ କରିବ ନାହିଁ।

ଏହି ବୈଠକ ରୁଷ୍‌କୁ ଏକଘରିଆ କରିବା ପାଇଁ ଆମେରିକାର ପୂର୍ବ ନୀତିର ବିପରୀତ। ଟ୍ରମ୍ପ ଚଳିତ ମାସ ପ୍ରାରମ୍ଭରେ କହିଥିଲେ ଯେ ସେ ଓ ପୁଟିନ୍ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ମଙ୍ଗଳବାର କହିଛନ୍ତି ଯେ ସେ ଡୋନାଲ୍ଡ ଟ୍ରମ୍ପ ଓ ବୋଲଡିମିର ଜେଲେନସ୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଆମେ ୟୁକ୍ରେନରେ ସ୍ଥାୟୀ ଶାନ୍ତି ଚାହୁଛୁ ବୋଲି ମାକ୍ରନ୍ ‘ଏକ୍ସ’ରେ ଲେଖିଛନ୍ତି। ଏହା ହାସଲ କରିବାକୁ ହେଲେ ରୁଷ୍‌କୁ ଆକ୍ରମଣ ବନ୍ଦ କରିବାକୁ ପଡିବ ଏବଂ ଏହାସହିତ ୟୁକ୍ରେନବାସୀଙ୍କ ପାଇଁ ଦୃଢ଼ ଓ ବିଶ୍ୱସନୀୟ ସୁରକ୍ଷା ଗ୍ୟାରେଣ୍ଟି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍ ଦିମିତ୍ରିଭ କହିଛନ୍ତି, ସମଗ୍ର ବିଶ୍ୱ ପାଇଁ ଆମେରିକା-ରୁଷ୍‌ର ଉତ୍ତମ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ରୁଷ୍ ଓ ଆମେରିକା ମିଳିତ ଭାବେ ଅନେକ ବିଶ୍ୱ ସମସ୍ୟା ଓ ବିଶ୍ୱ ସଂଘର୍ଷର ସମାଧାନ କରିପାରିବେ। ତେବେ ବୈଠକର ଫଳାଫଳ କ’ଣ ଆସୁଛି, ତାହା ଉପରେ ସମଗ୍ର ବିଶ୍ବ ନଜର ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button