ହସ୍ପିଟାଲର ଭୁଲ ତଥ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଶିଶୁର ମା’, ଖାଉଟି ଅଦାଲତକୁ ଯାଇ ପାଇଲେ ନ୍ୟାୟ

ନ୍ୟାୟ ପାଇଲେ ମହିଳା । ନିଜ ଶିଶୁ ପାଇଁ ଲଢ଼େଇ କରି ଶେଷରେ ସଫଳତା ପାଇଲେ । ନିଜ ପିଲା ପାଇଁ ମା’ ସମସ୍ତଙ୍କ ସହ ଲଢ଼ିପାରେ ଓ ଜିତିପାରେ । ଜଗତସିଂହପୁର ଜିଲ୍ଲାରେ ହସ୍ପିଟାଲର ଭୁଲ ତଥ୍ୟ ଉପରେ ଶିଶୁର ମା’ ଖାଉଟି ଅଦାଲତକୁ ଯାଇ ନ୍ୟାୟ ମାଗିଥିଲେ । ଯାହା ପରେ ଜଗତସିଂହପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ମହିଳାଙ୍କ କଥାକୁ ଗୁରୁତ୍ବ ଦେଇ ସମସ୍ୟାର ସମାଧାନ କରିଛନ୍ତି । ଆଉ ଏବେ ମହିଳା ଓ ଶିଶୁକୁ କ୍ଷତିପୂରଣ ବାବଦକୁ ୧୧ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିବ ହସ୍ପିଟାଲ ।
ସୂଚନା ଅନୁସାରେ ୨୦୨୧ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଜୟପୁର ଗାଁର ବନ୍ଦନା ଦାସ ନିଜର ଗର୍ଭସ୍ଥ ଶିଶୁର ଅଲଟ୍ରା ସାଉଣ୍ଡ କରିବାକୁ ଏକ ଘରୋଇ ହସ୍ପିଟାଲ ଯାଇଥିଲେ । ସେଠାରେ ମହିଳାଙ୍କୁ ଭୁଲ ଅଲଟ୍ରା ସାଉଣ୍ଡ ରିପୋର୍ଟ ଦିଆଯାଇଥିଲା । ଅଲଟ୍ରା ସାଉଣ୍ଡ ରିପୋର୍ଟରେ ରାହାମାର ଏକ ହସ୍ପିଟାଲ ଓ ଏହାର ଡାକ୍ତର ପ୍ରତାପ କେଶରୀ ଦାସ ବନ୍ଦନା ଦାସଙ୍କ ଦିବ୍ୟାଙ୍ଗ ଶିଶୁକୁ ସୁସ୍ଥ ଶିଶୁ ବୋଲି ଦର୍ଶାଇଥିଲେ । କିନ୍ତୁ ଶିଶୁ ଜନ୍ମ ହେବା ପରେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲା । ହସ୍ପିଟାଲ ଓ ଡାକ୍ତରଙ୍କ ଭୁଲ ତଥ୍ୟ ପାଇଁ ମାନସିକ ଆଘାତ ପାଇଥିଲେ ଶିଶୁର ମାଆ । ତେଣୁ ଅଲ ଇଣ୍ଡିଆ କଞ୍ଜ୍ୟୁମର ୱେଲଫେୟାର କାଉନ୍ସିଲ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସହାୟତାରେ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ନିକଟରେ ଅଭିଯୋଗ କରିଥିଲେ ।
ପରେ ଜିଲ୍ଲା ଖାଉଟି ଅଦାଲତ ହସ୍ପିଟାଲକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ । ମାତ୍ର ହସ୍ପିଟାଲ କତ୍ତୃପକ୍ଷ ଜିଲ୍ଲା ଖାଉଟି ଅଦାଲତର ନିର୍ଦେଶକୁ ଚ୍ୟାଲେଞ୍ଚ ଦେଇ ରାଜ୍ୟ ଖାଉଟି କମିଶନର ନିକଟରେ ଆଶ୍ରୟ ନେଇଥିଲେ । ରାଜ୍ୟ ଖାଉଟି କମିଶନ ଏହାକୁ ଆଗ୍ରାହ୍ୟ କରି ଜିଲ୍ଲା ଖାଉଟି ସମାଧାନ ଆୟୋଗକୁ ମାମଲାକୁ ହସ୍ତାନ୍ତର କରିଥିଲେ । ଯାହାର ଆଜି ରାୟ ପ୍ରକାଶ ପାଇଛି । ଜିଲ୍ଲା ଖାଉଟି ସମାଧାନ ଆୟୋଗ ଶିଶୁକୁ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ହସ୍ପିଟାଲ ଓ ଡାକ୍ତରଙ୍କୁ ନିର୍ଦେଶ ଦେଇଛନ୍ତି । ଏଭଳି ଯୁଗାନ୍ତକାରୀ ରାୟ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଦିବ୍ୟାଙ୍ଗ ଶିଶୁ ପାଇଁ ବନ୍ଦନା ଯେଉଁ ଭଳି ଭାବେ ଲଢ଼େଇ କରିଛନ୍ତି ତାହା ସତରେ ପ୍ରଶଂସନୀୟ ।