ବଜେଟ ନେଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ, କହିଲେ – ବସ୍ତାନି ଭାରୀ, ପାଠ ଘର ଶୂନ

ଭୁବନେଶ୍ୱର : ବସ୍ତାନି ଭାରୀ, ପାଠ ଘର ଶୂନ । ବଜେଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡବଲ ଇଂଜିନ ପାଲଟିଛି ଡବଲ ଦୁଃଖ । ପୂର୍ବ ବର୍ଷ ତୁଳନାରେ ବଢ଼ିନି କେନ୍ଦ୍ରୀୟ ଅନୁଦାନ । ଚଳିତ ବଜେଟ ବସ୍ତାନି ଭାରୀ, ପାଠ ଘର ଶୂନ ବୋଲି କହିଛନ୍ତି ନବୀନ ।
ବିଧାନସଭାରେ ବଜେଟ ଆଲୋଚନା ଭାଗ ନେଇ ନବୀନ କହିଥିଲେ ଯେ, ଡବଲ ଇଂଜିନ ସରକାର ଓଡ଼ିଶାକୁ ଆଗକୁ ନେବା କଥା ହେଲେ ତାହା ଏବେ ବିପରୀତ ଦିଗରେ ଗତି କରୁଛି । ଯେଉଁ ରାଜ୍ୟ ପୂର୍ବରୁ ରୁପାନ୍ତରୀକରଣ ନାଁରେ ବାରି ହୋଇପଡୁଥିଲା ଏବେ କେବଳ ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି । ବିଜେଡି ସରକାର ଅମଳରେ ଓଡ଼ିଶା ଏକ ଉଚ୍ଚ ଅଭିବୃଦ୍ଧି ସଂପନ୍ନ ରାଜ୍ୟ ଥିଲା । ଡବଲ ଇଂଜିନ ସରକାରରେ ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ ପାଇଛି । ଖୋଲା ମାର୍କେଟ ଋଣ ପରିମାଣ ୪୬ ହଜାର କୋଟି ହେଲାଣି । ରାଜସ୍ବ ଅଭିବୃଦ୍ଧି ପାଇଁ ବିଜେଡିକୁ ବିଜେପି ଧନ୍ୟବାଦ ଦେବା କଥା ।
ଚଳିତ ବଜେଟରେ ସମନ୍ବିତ ସହରୀ ରାସ୍ତା ଟ୍ରାଫିକ ଭିଡ଼ ମୁକ୍ତ ଯୋଜନା କରାଯାଇଛି । ହେଲେ ଡବଲ ଇଂଜିନ ସରକାରରେ ମେଟ୍ରୋ ରେଳ ପ୍ରକଳ୍ପ ବଜେଟ କମାଯାଇଛି । ମିଶନ ଶକ୍ତି ମାଆମାନେ ଏବେ ରାଜରାସ୍ତାରେ । ମିଶନ ଶକ୍ତି ଲାଗି ଅନୁଦାନ କମିଛି ବୋଲି ନବୀନ କହିଛନ୍ତି । ବଜେଟରେ ଲୋକଙ୍କ ପ୍ରକୃତ ସମସ୍ୟାକୁ ଗୁରୁତ୍ବ ଦିଆନଯାଇ ବଡ଼ ବଡ଼ ସ୍ଲୋଗାନ ରହିଛି । ଏହା ଧୂଆଁବାଣ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ।


