କ୍ରାଇମ

ଯୁବକଙ୍କୁ ଅପହରଣ ପରେ ଗାଡ଼ିରେ ଘୋଷାଡ଼ି ହତ୍ୟା: ଚା ଦୋକାନରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ – Utkal Mail


ହତ୍ୟା ପରେ ଜଙ୍ଗଲ ରାସ୍ତାରେ ଫୋପାଡ଼ି ଦେଲେ

ମାଣିଆବନ୍ଧ/ଭଟ୍ଟାରିକା: ବଡ଼ମ୍ବା ବ୍ଲକ୍‌ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡ଼ୁମୁ ଗାଁରେ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗାଁର ଏକ ଚା ଦୋକାନରୁ ଜଣେ ଯୁବକଙ୍କୁ ପିକ୍‌ଅପ୍‌ ଭ୍ୟାନ୍‌ରେ ଉଠାଇ ନେଇ ଗାଡ଼ିରେ ଘୋଷାଡ଼ିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ବରି​ଷ୍ଠ ପୁଲିସ ଅଧିକାରୀ, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୋଗ ମୁତାବକ, ଆଜି ସକାଳ ପ୍ରାୟ ୬ଟାରେ ଯୋଡ଼ୁମୁ ଗ୍ରାମର ରାଘବ ବିଶ୍ୱାଳଙ୍କ ପୁଅ ସନ୍ତୋଷ ବିଶ୍ୱାଳ (୩୫) ଗାଁମୁଣ୍ଡ ଦୋକାନରେ ଚା ପିଉଥିଲେ। ଏହି ସମୟରେ ଗ୍ରାମର ଗୌତମ ରାଉତ, ଦିଲ୍ଲୀପ ବେହେରା, ସିଲୁ ବେହେରାଙ୍କ ସମେତ ଅନ୍ୟମାନେ ପଛପଟୁ ଆସି ସନ୍ତୋଷଙ୍କୁ ଜୋରଜବରଦସ୍ତ ପିକ୍‌ଅପ୍‌ ଭ୍ୟାନ୍‌ରେ ଉଠାଇ ନେଇଥିଲେ। ସେମାନେ ସନ୍ତୋଷଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଡ଼ି ପଛରେ ବାନ୍ଧି ଘୋଷାରି ଘୋଷାରି ନେଇ ଯାଇଥିଲେ। ତାଳମୁଣ୍ଡଳୀ-ନରଣପୁର ରାସ୍ତାପାର୍ଶ୍ବ ଜଙ୍ଗଲ ନିକଟରେ ତାଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଫୋପାଡ଼ି ଫେରାର ହୋଇଯାଇଥିଲେ ବୋଲି ମୃତକଙ୍କ ବାପା ରାଘବ ବିଶ୍ବାଳ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଦୁର୍ବୃତ୍ତମାନେ ସନ୍ତୋଷଙ୍କୁ ଗାଡ଼ି ପଛରେ ଘୋଷାଡ଼ି ନେବାରୁ ତାଙ୍କ ସମ୍ପୂର୍ଣ୍ଣ ଶରୀରର ଚମ ଛିଡ଼ି ଯାଇଛି। ଏପରି କି ପିନ୍ଧାବସ୍ତ୍ର ଛିଡ଼ିଯାଇ ରାସ୍ତା ପାର୍ଶ୍ବରେ ଉଲଗ୍ନ ଶବ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଖବର ପାଇ ମାଣିଆବନ୍ଧ ଥାନାଧିକାରୀ ବସନ୍ତ କୁମାର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପରେ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ, ତିଗିରିଆ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ, ବଡ଼ମ୍ବା ଥାନା ଏସ୍‌ଆଇ ଉତ୍କଳ ପ୍ରଧାନ, ଆଠଗଡ଼ ଥାନା ଏସ୍‌ଆଇ ବିଶ୍ୱଜିତ୍‌ ଜେନାଙ୍କ ସମେତ ପୁଲିସ୍‌ ଫୋର୍ସ, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ଥାନାରେ ଏକ ହତ୍ୟା ମାମଲା (କେସ୍‌ ନଂ-୮୨/୨୩) ରୁଜୁ କରାଯାଇଥିବା ମାଣିଆବନ୍ଧ ଥାନାଧିକାରୀ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପେସାରେ ଡ୍ରାଇଭର୍‌ ସନ୍ତୋଷ କିଛିଦିନ ତଳେ ଏକ ଟ୍ରାକ୍ଟର୍‌ କିଣି ବ୍ୟବସାୟ ଆରମ୍ଭ କରିଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ସନ୍ତୋଷଙ୍କର ପତ୍ନୀ ଓ ଦୁଇ ପୁଅ ସାଇରାମ (୧୦), ଶମ୍ଭୁ (୧ବର୍ଷ) ଅଛନ୍ତି। କିଛିଦିନ ତଳେ ସନ୍ତୋଷଙ୍କ ପରିବାର ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଉଭୟପକ୍ଷ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉପସ୍ଥିତିରେ ଏହାର ଆପୋସ ସମାଧାନ କରାଯାଇଥିଲେ ମଧ୍ୟ ଉଭୟପକ୍ଷ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button