ଦେଶ ବିଦେଶ

ଭିଟାମାଟିକୁ ଫେରିଲେ ଆନ୍ଧ୍ରର ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଥିବା ଓଡ଼ିଆ ମହିଳା ଶ୍ରମିକ

ଭିଟାମାଟିକୁ ଫେରିଲେ ଆନ୍ଧ୍ରର ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଥିବା ଓଡ଼ିଆ ମହିଳା ଶ୍ରମିକ । ପୂର୍ବରୁ ଆପଣ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁରୁଷ ମାନେ ବାହାର ରାଜ୍ୟ ତଥା ଦେଶକୁ ଯାଇ ନିର୍ଯ୍ୟାତିତ ହେବାର କାହାଣୀ ଶୁଣିଥିବେ । କିନ୍ତୁ ଏବେ ମହିଳାମାନେ ଅନ୍ୟ ରାଜକୁ ଯାଇ ନିର୍ଯ୍ୟାତିତ ହେବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଭ୍ରମରପୁର ଗାଁରୁ ।

ଭ୍ରମରପୁର ଗାଁର ଲକ୍ଷ୍ମୀ ସେଠୀ, ଶ୍ରୀୟା ନାୟକ ଓ ସୁବଦୀ ନାୟକ ଗତ ୨୦୨୪ ଅକ୍ଟୋବର ମାସ ୭ ତାରିଖରେ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀର ମହାଲକ୍ଷ୍ମୀ ନାମକ ଜଣେ ମହିଳାଙ୍କ ଜରିଆରେ ସମ୍ପୃକ୍ତ କମ୍ପାନୀକୁ ଯାଇଥିଲେ । ପ୍ରତିଦିନ ୮ ଘଣ୍ଟା କାମ କରିବା ପରେ ମାସିକ ୧୨ ହଜାର ଟଙ୍କା ଦିଆଯିବ ବୋଲି କମ୍ପାନୀର ମହାଲକ୍ଷ୍ମୀ କହିଥିଲେ । କିନ୍ତୁ ସେଠାକୁ ଯିବା ପରେ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟାରୁ ୧୨ ଘଣ୍ଟା କାମ କରିବା ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ । ଏହାସହିତ ମାସକୁ ୧୦ ହଜାର ୫୦୦ଟଙ୍କା ଦିଆଯିବ ବୋଲି ମଧ୍ୟ କହିଥିଲେ ।

କିନ୍ତୁ ଦିନକୁ ପ୍ରାୟ ୧୨ ଘଣ୍ଟା କାମ କରିବା ପରେ ମଧ୍ୟ ତାଙ୍କୁ ମାସିକ ଦରମା ଦେଇନଥିଲେ କମ୍ପାନୀ । ସ୍ବାସ୍ଥ୍ୟଖରାପ ଥିଲେ ସୁଦ୍ଧା ମହିଳାଙ୍କୁ ଜୋର ଜବରଦସ୍ତ କାମ କରିବା ନିମନ୍ତେ ବାଧ୍ୟ କରାଯାଉଥିଲା । ମାସିକ ଦରମା ମାଗିଲେ ନିର୍ଯ୍ୟାତନା ଦିଆଯାଉଥିଲା । ଲକ୍ଷ୍ମୀ ନିଜ ସ୍ବାସ୍ଥ୍ୟଖରାପ ଥିବା ସମୟରେ ଦରମା ମାଗିବା ବେଳେ ତାଙ୍କୁ ମାତ୍ର ୩ ହଜାର ଟଙ୍କା ପ୍ରଦାନ କରିଥିଲା କମ୍ପାନୀ । ଏହାଛଡ଼ା ଫୋନ ରିଚାର୍ଜ କରିବା ବାବଦକୁ ୧୫୦୦ ଟଙ୍କା ଦେଇଥିଲା କିନ୍ତୁ ଦରମା ଦେଇନଥିଲେ କମ୍ପାନୀ କର୍ତ୍ତୃପକ୍ଷ ।

କେବଳ ଲକ୍ଷ୍ମୀ ନୁହେଁ ବରଂ ଶ୍ରୀୟା ଓ ସୁବଦୀଙ୍କୁ ମଧ୍ୟ ମାସିକ ଦରମା ଦେଇନଥିଲା କମ୍ପାନୀ । ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ଓ ବାଧ୍ୟ ହୋଇ କାମ କରିବାକୁ କୁହାଯାଉଥିଲା । ଏପରିକି ସେମାନେ ନିଜ ଘରକୁ ଯିବାକୁ ଚାହୁଁଥିଲେ ସୁଦ୍ଧା ତାଙ୍କୁ ଛଡ଼ାଯାଉନଥିବା ନେଇ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ଓ ସୁବଦୀ ନାୟକ । ସେପଟେ ଆନ୍ଧ୍ରର ଚିଙ୍ଗୁଡ଼ି କମ୍ପାନୀରେ ଏଭଳି ନିର୍ଯ୍ୟାତିତ ହେବା ପରେ ତିନି ଜଣ ମହିଳା ଉଦ୍ଧାର କରିବା ନିମନ୍ତେ ଏକ ଭିଡ଼ିଓ ମେସେଜ ମାଧ୍ୟମରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏନେଇ ଲକ୍ଷ୍ମୀଙ୍କ ଭାଇ ବିଭୂ ସେଠୀ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଶ୍ରମ ଅଧିକାରୀଙ୍କୁ ଲକ୍ଷ୍ମୀ ଓ ତାଙ୍କ ଦୁଇ ମହିଳା ସହକର୍ମୀଙ୍କୁ ଉଦ୍ଧାର କରିବା ପାଇଁ ଚିଠି ଲେଖିଥିଲେ । ଚିଠି ପାଇବା ପରେ ବ୍ରହ୍ମପୁର ସାଂସଦ ଓ ଶ୍ରମ ଅଧିକାରୀଙ୍କ ଉଦ୍ୟମରେ ତିନି ମହିଳା ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଆଜି ନିଜ ଭିଟାମାଟିକୁ ଫେରିଛନ୍ତି । ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଯୋଗୁଁ ବ୍ରହ୍ମପୁର ସାଂସଦ ଓ ଶ୍ରମ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତିନି ମହିଳା ଓ ଲକ୍ଷ୍ମୀଙ୍କ ଭାଇ ।

ସେପଟେ ଯଦି କୌଣସି ଗାଁରୁ ମହିଳା ଅଥବା ପୁରୁଷ ଅନ୍ୟ ରାଜ୍ୟ ତଥା ଦେଶକୁ କାମ କରିବାକୁ ଯିବେ ତେବେ ନିଜ ପଞ୍ଚାୟତରେ ଏନେଇ ତଥ୍ୟ ଦେବା ଆବଶ୍ୟକ । କିନ୍ତୁ ଉଦ୍ଧାର ହୋଇଥିବା ତିନି ମହିଳା ନିଜ ତଥ୍ୟ ପଞ୍ଚାୟତରେ ଦେଇନାହାନ୍ତି । ତଥାପି ମଧ୍ୟ ଏହି ତିନି ମହିଳାଙ୍କ ବୟାନ ରେକର୍ଡ଼ କରାଯିବା ପରେ ସେମାନେ କେତେ ମାସ ଧରି ଆନ୍ଧ୍ରର କମ୍ପାନୀରେ କାମ କରିଥିଲେ ଓ କେତେ ଟଙ୍କା ଦରମା କମ୍ପାନୀ ମହିଳାଙ୍କୁ ଦେବ ସେ ନେଇ ତଦନ୍ତ କରାଯିବା ସହ ସେମାନେ କିଭଳି ନିଜ ଟଙ୍କା ପାଇବେ ସେଥିନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଶ୍ରମ ଅଧିକାରୀ ।

ତେବେ ଏବେ ବି ଗଜପତି ଜିଲ୍ଲାର କିଛି ମହିଳା ସେହି କମ୍ପାନୀରେ ନିର୍ଯ୍ୟାତିତ ହେଉଥିବା ନେଇ ଉଦ୍ଧାର ହୋଇଥିବା ମହିଳାମାନେ ସୂଚନା ଦେଇଛନ୍ତି । ତେଣୁ ଏନେଇ ରାଜ୍ୟ ସରକାର ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଛନ୍ତି ଉଦ୍ଧାର ହୋଇଥିବା ମହିଳାମାନେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button