ମାତ୍ର ୮୩ ଟଙ୍କାରେ ବିକ୍ରି ହେବ ୨ଟି ବେଡ୍ରୁମ୍ ଥିବା ବିଶ୍ବର ସବୁଠୁ ଶସ୍ତା ଘର – Utkal Mail
ଲାନ୍ସିଙ୍ଗ୍: ମାତ୍ର ୧ ଡଲାର୍ ବା ଭାରତୀୟ ମୁଦ୍ରାରେ ୮୩ ଟଙ୍କାରେ ଆମେରିକାର ମିଚିଗାନ୍ ପ୍ରଦେଶରେ ଗୋଟାଏ ଘର ବିକ୍ରୟ କରାଯିବ ବୋଲି ଏକ ୱେବ୍ସାଇଟ୍ ନିଲାମ୍ ତାଲିକାରେ ପ୍ରକାଶ ପାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ବିଶ୍ବର ସବୁଠୁ ଶସ୍ତା ଘର ବୋଲି କୁହାଯାଉଥିବା ଏହି ଘର ଡିଟ୍ରଏଟ୍ଠାରୁ ପ୍ରାୟ ୩୦ ମାଇଲ୍ ଦୂରରେ ଅବସ୍ଥିତ। ସେ ଘରେ ୨ଟି ବେଡ୍ରୁମ୍ ଓ ଗୋଟିଏ ବାଥ୍ରୁମ୍ ରହିଛି।
ବିକ୍ରି ପାଇଁ ‘ଜିଲୋଜ୍’ ୱେବ୍ସାଇଟ୍ରେ ଉଲ୍ଲେଖ କରାଯାଇଛି: ବିଶ୍ବର ସବୁଠୁ ଶସ୍ତା ଘର ଉପହାର ଦେଉଛୁ! ମିଚିଗାନ୍ ପୋଣ୍ଟିଆକ୍ ଅଞ୍ଚଳର ମଧ୍ୟସ୍ଥଳରେ ଏ ଘର ଅବସ୍ଥିତ। ମୂଲ୍ୟ ମାତ୍ର ୧ ଡଲାର୍। ଏ ଘର ଖାଲି ଘର ନୁହେଁ- ଜୀବନବ୍ୟାପୀ ‘ରିୟଲ୍ ଇଷ୍ଟେଟ୍ ଆଡ୍ଭେଞ୍ଚର୍’ ପାଇଁ ଖଣ୍ଡେ ଟିକେଟ୍।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ପୂର୍ବରୁ ୨୦୨୨ରେ ଏ ଘରଟିକୁ ୪,୦୯୨ ଡଲାର୍ରେ ବିକ୍ରୟ କରାଯାଇଥିଲା।
ଏଜେଣ୍ଟ୍ କ୍ରିଷ୍ଟୋଫର୍ ହୁବେଲ୍ଙ୍କ କହିବା ଅନୁସାରେ, ଏହି ୭୨୪ ବର୍ଗଫୁଟ୍ ଅଞ୍ଚଳ ପରିମିତ ଘରବାଡ଼ିକୁ ପ୍ରକୃତରେ କେହି ୧ ଡଲାର୍ ବିନିମୟ କିଣିବେ କି, ନାହିଁ ସେ ସୁନିଶ୍ଚିତ ନୁହନ୍ତି। ସେ ପୂର୍ବାନୁମାନ କରିଛନ୍ତି ଯେ, ନିଲାମ ଡକାହେବା ବେଳେ ଏହି ଘର ୪୫,୦୦୦ରୁ ୫୦,୦୦୦ ଡଲାର୍ରେ ବିକ୍ରୟ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ୧୯୫୬ରେ ନିର୍ମିତ ଏହି ଘରର ପୁନଃରୁଦ୍ଧାର ପାଇଁ ପ୍ରାୟ ୨୦,୦୦୦ ଡଲାର୍ ଖର୍ଚ୍ଚ ହେବ। ଖାଲି ସେତିକି ନୁହେଁ, ଏ କାମ ଯେଉଁ କମ୍ପାନି କରିବ ସେ ପ୍ରାୟ ୪୫,୦୦୦ ଡଲାର୍ ନେବ।
ନିଲାମ ମୂଲ୍ୟ ୧ ଡଲାର୍ ରଖାଯିବା ପ୍ରସଙ୍ଗରେ ସେ କହିଛନ୍ତି, ଅନେକ ବର୍ଷ ହେବ ଏମିତି ଘୋଷଣା କରିବାକୁ ଆମେ ଇଚ୍ଛା କରୁଥିଲୁ। କାରଣ ମାତ୍ରାଧିକ ମୂଲ୍ୟ ଘୋଷଣା କଲେ ଗୋଟାଏ ଘରର ପ୍ରକୃତ ମୂଲ୍ୟ ନିରୂପଣ କରିହୁଏ ନାହିଁ। ସେ ଘରର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ଏହା ଗୋଟାଏ ସୁଯୋଗ।