ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଲେ ଅପରାଜିତା, ଛାତିରେ କୋହ ଆଖିରେ ଧାର ଧାର ଲୁହ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ମହାନ୍ତି । ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଲେ ଅପରାଜିତା । ବିମାନବନ୍ଦରରୁ ସିଧା ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଛନ୍ତି ଅପରାଜିତା । ଛାତିରେ କୋହ ଓ ଆଖିରେ ଲୁହକୁ ଚାପି ଧରି ଫେରିଛନ୍ତି ଅପରାଜିତା । ଉତ୍ତମଙ୍କ ଶୋକରେ ଭାଙ୍ଗିପଡ଼ିଛନ୍ତି ସେ । ଶାନ୍ତ୍ୱନା ଜଣାଇବା ପାଇଁ ଘରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ଆସି ପହଞ୍ଚୁଛନ୍ତି । ମେଦାନ୍ତରୁ ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଏହା ପରେ ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ଉତ୍ତମ-ଅପରାଜିତା (ଟିକି)ଙ୍କ ଯୋଡ଼ି ଓଡ଼ିଆ ସିନେଜଗତର ଅନ୍ୟତମ ଲୋକପ୍ରିୟ ଯୋଡ଼ି। ‘ଅଶାନ୍ତ ଗ୍ରହ’ ସିନେମାର ସୁଟିଂ ସେଟ୍ରେ ଅପରାଜିତାଙ୍କ ସହ ଉତ୍ତମଙ୍କର ପ୍ରଥମେ ଦେଖା ହୋଇଥିଲା । ତା’ପରେ ପରେ ବେଶ୍ କିଛି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିବା ଭିତରେ ସେ ଅପରାଜିତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ବର୍ଷ ଲାଗିଥିଲା । ତେବେ ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରି ନଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଶେଷରେ ୧୯୮୭ ମସିହା ମେ’ ୧୭ରେ ଭୁବନେଶ୍ବରସ୍ଥିତ ମ୍ୟୁନିସିପାଲିଟି ଅତିଥି ଭବନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୧୯୮୯ରେ ଦୁହିଁଙ୍କର ପୁଅ ତଥା ବର୍ତ୍ତମାନର ସୁପର୍ଷ୍ଟାର୍ ବାବୁଶାନ୍ ଜନ୍ମ ହୋଇଥିଲେ।
ଅନ୍ୟପଟେ ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ । ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। କିନ୍ତୁ ତାଙ୍କ ବିୟୋଗରେ ଆଜି ସାରା ଓଡିଶା କାନ୍ଦୁଛି ।