ଦେଶ ବିଦେଶ

ଉତ୍ତରାଖଣ୍ଡ ହିମସ୍ଖଳନରେ ୪ ମୃତ, ୫୦ ଉଦ୍ଧାର: ୫ ଶ୍ରମିକ ଏବେ ବି ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବଦ୍ରିନାଥର ମାନା ଗାଁ ନିକଟରେ ଥିବା ଏକ ସୀମା ସଡ଼କ ସଂଗଠନ (ବିଆର୍‌ଓ) କ୍ୟାମ୍ପରେ ହିମସ୍ଖଳନ ହେବାର ଗୋଟିଏ ଦିନ ପରେ ଅନ୍ୟୂନ ୪ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରାଯାଇଛି। ଅନ୍ୟମାନେ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅବଶିଷ୍ଟ ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି। ଉଦ୍ଧାର ଶ୍ରମିକମାନଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଯୋଶୀମଠ ନେବାକୁ  ୬ଟି ହେଲିକପ୍ଟର ନିୟୋଜିତ କରାଯାଇଛି।

ଡେରାଡୁନରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଲୋକସମ୍ପର୍କ ଅଧିକାରୀ (ପିଆର୍‌ଓ) ତଥା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମନିଷ ଶ୍ରୀବାସ୍ତବ କହିଛନ୍ତି ଯେ ଆହତମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରାଥମିକତା ଦିଆଯାଉଛି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ୫୫ ଜଣ ଶ୍ରମିକଙ୍କ ମଧ୍ୟରୁ ବାକି ୫ ଜଣଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ସେନା ଏବଂ ଉଦ୍ଧାରକାରୀ ଦଳ ଜୋର୍‌ଦାର୍‌ କାମରେ ଲାଗିଛନ୍ତି। ଦ୍ୱିତୀୟ ଦିନର ସର୍ଚ୍ଚ ଅପରେସନରେ ଆଉ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଗୁରୁତର ଅବସ୍ଥାରେ ଥିବା ୩ ଜଣଙ୍କୁ ବେସାମରିକ ହେଲିକପ୍ଟର ଯୋଗେ ଯୋଶୀମଠ ନିଆଯାଇଛି। ରାତି ହେବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ପ୍ରବଳ ତୁଷାରପାତ ଏବଂ ଅଧିକ ହିମସ୍ଖଳନ ଆଶଙ୍କା ମଧ୍ୟରେ ଅବଶିଷ୍ଟ ଶ୍ରମିକମାନଙ୍କୁ ଖୋଜିବା ଚ୍ୟାଲେଞ୍ଜିଂ ହୋଇଥିଲା।

ପ୍ରଥମ ଦିନ ଶେଷ ସୁଦ୍ଧା ସର୍ଚ୍ଚ ଅପରେସନ ଟିମ୍ ୩୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଉଦ୍ଧାର କାର୍ଯ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ସମୟରେ ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଅବଶିଷ୍ଟ ଶ୍ରମିକମାନଙ୍କୁ ସଫଳତାର ସହ ଉଦ୍ଧାର କରିବା କେନ୍ଦ୍ର ସରକାରଙ୍କ ମୂଳ ଉଦ୍ଦେଶ୍ୟ। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଫସି ରହିଥିବା ଶ୍ରମିକମାନେ ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ ଓ ଜମ୍ମୁ-କଶ୍ମୀର ସମେତ ଅନ୍ୟ ରାଜ୍ୟର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button