ଦେଶ ବିଦେଶ

ନୈରାଶ୍ୟଜନକ ଆଚରଣ: ବାଚସ୍ପତି, ସଂସଦ ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଚେତାବନୀ

ନୂଆଦିଲ୍ଲୀ: ବ୍ୟବସାୟୀ ଜର୍ଜ ସୋରୋସଙ୍କ ପାଣ୍ଠିରେ ଚାଲୁଥିବା ମିଡିଆ ହାଉସ୍ ଓ ଥିଙ୍କ୍ ଟ୍ୟାଙ୍କ୍ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ଥିବା ଅଭିଯୋଗକୁ ନେଇ ଶାସକ ବିଜେପି ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ଚାଲିବା ପରେ ମଙ୍ଗଳବାର ସଂସଦକୁ ନିର୍ଦ୍ଧାରିତ ସମୟର କିଛି ଘଣ୍ଟା ପୂର୍ବରୁ ମୁଲତବୀ ରଖାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା। ସଂସଦରେ କ୍ରମାଗତ ଅଚଳାବସ୍ଥାକୁ ନେଇ ବାଚସ୍ପତି ଓମ୍ ବିର୍ଲା କ୍ଷୋଭ ପ୍ରକାଶ କରିଛନ୍ତି। ଆମେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଏହା ଶହେ କୋଟିରୁ ଅଧିକ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛି। ଆମକୁ ସେହି ମର୍ଯ୍ୟାଦା ବଜାୟ ରଖିବାକୁ ପଡ଼ିବ। କିନ୍ତୁ ମୁଁ ଏପରି କିଛି ଘଟିବା ଦେଖୁଛି ଯାହା ଭଲ ନୁହେଁ ଏବଂ ବିରୋଧୀ ସାଂସଦଙ୍କ ଆଚରଣ ନୈରାଶ୍ୟଜନକ ବୋଲି ବିର୍ଲା କହିଛନ୍ତି।

ବିରୋଧୀ ହୁଅନ୍ତୁ ବା ଶାସକ ଦଳର ସଦସ୍ୟ, ସମସ୍ତେ ସମ୍ମାନ ବଜାୟ ରଖିବା ସହ ଏଭଳି ଭାବରେ କାର୍ଯ୍ୟ କରିବା ଉଚିତ ଯେପରି ଗଣତନ୍ତ୍ରର ଏହି ମନ୍ଦିରରୁ ଏକ ସକାରାତ୍ମକ ବାର୍ତ୍ତା ବାହାରିବ। ସହମତି ଓ ମତଭେଦ ଏକ ସୁସ୍ଥ ଗଣତନ୍ତ୍ରର ଅଂଶ ବୋଲି ବିର୍ଲା ସାଂସଦମାନଙ୍କୁ କହିଥିଲେ। ଉଭୟ ପକ୍ଷଙ୍କୁ ଟେବୁଲରେ ବସି ସେମାନଙ୍କ ମତଭେଦକୁ ଆପୋଷ ଭାବରେ ସମାଧାନ କରିବାକୁ ସେ ଅନୁରୋଧ କରିଥିଲେ।

ବିଜେପିର ସୋରୋସ-ସୋନିଆ ଗାନ୍ଧୀ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରୁଥିବା ବିରୋଧୀ ସାଂସଦମାନେ ପ୍ରଶ୍ନକାଳ ଆରମ୍ଭ କରିବାକୁ ମନା କରିବା ପରେ ବିର୍ଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଲତବୀ ହେବାର କିଛି ସମୟ ପରେ ବିଜେପି ସାଂସଦ ସମ୍ବିତ ପାତ୍ର ବିରୋଧୀ ଓ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କ ଭଳି ଆଚରଣ କରିବା ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି ସେ ସଂସଦୀୟ ଗଣତନ୍ତ୍ରରେ ବିଶ୍ୱାସ କରୁନଥିବା ଅଭିଯୋଗ କରିବା ସହ କଂଗ୍ରେସର ସହଯୋଗୀ ସମାଜବାଦୀ ପାର୍ଟି ଓ ତୃଣମୂଳ ସମେତ ଅନ୍ୟ ବିରୋଧୀ ସାଂସଦମାନେ ମଧ୍ୟ ତାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ବୋଲି ଦାବି କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାର ଜବାବ ଦେଇ କହିଛନ୍ତି, ଆମେ ପ୍ରତିଦିନ ଆଲୋଚନା କରିବାକୁ ଚେଷ୍ଟା କରୁ, କିନ୍ତୁ ସେମାନେ ଆଲୋଚନା କରିବାକୁ ଦିଅନ୍ତି ନାହିଁ। ସେଥିପାଇଁ ସେମାନେ ଯେକୌଣସି କାରଣରୁ ଗୃହକୁ ମୁଲତବୀ କରିଦିଅନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button